Advertisment

କର୍ଣ୍ଣାଟକା କଂଗ୍ରେସ କନ୍ଦଳ ଆହୁରି ଘନେଇଲା

ରାଜନୀତିକ ସମୀକ୍ଷକଙ୍କ ମତରେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବାରୁ ଦଳର ରାଜ୍ୟର ସଭାପତି ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। କାରଣ ସେ ଜାଣିଛନ୍ତି ଯେ ସଭାପତି ପଦ ଛାଡ଼ିଦେଲେ ଦଳରେ ତାଙ୍କର ସ୍ଥିତି ଦୁର୍ବଳ ହୋଇଯିବ।

author-image
Jitendra Garnayak
ଅଦ୍ୟତନ ହୋଇଛି
Siddaramaiah and Shivkumar

Siddaramaiah and Shivkumar

କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି (କେପିସିସି)ର ସଭାପତି ପଦ ଛାଡ଼ିବା ପାଇଁ ସିଧାସଳଖ ମନା କରି ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର। ଫଳରେ କର୍ଣ୍ଣାଟକା କଂଗ୍ରେସରେ ଚାଲିଥିବା କ୍ଷମତା ଲଢ଼େଇ ଆହୁରି ତୀବ୍ର ହୋଇଛି। ସ୍ଥିତି ଏଭଳି ହେବା ସତ୍ତ୍ୱେ ଦିଲ୍ଲୀରେ ଥିବା କଂଗ୍ରେସର ଶୀର୍ଷ ନେତୃତ୍ୱ ଶିବକୁମାରଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ପାଇଁ ତ ସେମାନେ (କଂଗ୍ରେସର ଶୀର୍ଷ ନେତୃତ୍ୱ) ଶିବକୁମାରଙ୍କୁ ସମର୍ଥନ କରୁଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ କ’ଣ ହେବ, ତାହା ସେତେବେଳେ ଜଣାପଡ଼ିବ।

Advertisment

ଦୁଇ ଦିନିଆ ଦିଲ୍ଲୀ ଗସ୍ତ ସାରି କର୍ଣ୍ଣାଟକା ଫେରିଛନ୍ତି ଶିବକୁମାର। କୁହାଯାଉଛି, ସେ ଦଳର ହାଇକମାଣ୍ଡଙ୍କ ନିକଟରେ ତାଙ୍କର ନିଷ୍ପତ୍ତି ସ୍ପଷ୍ଟ କରି ଦେଇଛନ୍ତି। ସେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ସେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦ ଛାଡ଼ିବେ ନାହିଁ ବୋଲି କହିଥିବା ଜଣାପଡ଼ିଛି।

ଶିବକୁମାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ କଂଗ୍ରେସ ହାଇକମାଣ୍ଡ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ କ୍ୟାବିନେଟ୍‌ରେ ଥିବା ତାଙ୍କର ବିଶ୍ୱସ୍ତ ସାଥୀମାନଙ୍କୁ ଫୋନ୍ କରି ଆଲୋଚନା କରିଥିଲେ। ସିଦ୍ଦରମୈୟା ଓ ତାଙ୍କର ବିଶ୍ୱସ୍ତ କ୍ୟାବିନେଟ୍ ସାଥୀମାନେ ଶିବକୁମାରଙ୍କୁ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟିର ସଭାପତିରୁ ବାହାର କରିବାକୁ ଚାହୁଁଥିବା କୁହାଯାଉଛି। ରାଜ୍ୟରେ ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ରାଜ୍ୟ ସଭାପତିଙ୍କୁ ପରିବର୍ତ୍ତନ କରାଯିବ ନାହିଁ ବୋଲି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କର ବିଶ୍ୱସ୍ତ କ୍ୟାବିନେଟ୍ ସାଥୀମାନଙ୍କୁ କହିଥିବା ଜଣାପଡ଼ିଛି।

Advertisment

ରାଜନୀତିକ ସମୀକ୍ଷକଙ୍କ ମତରେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବାରୁ ଦଳର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। କାରଣ ସେ ଜାଣିଛନ୍ତି ଯେ ସଭାପତି ପଦ ଛାଡ଼ିଦେଲେ ଦଳରେ ତାଙ୍କର ସ୍ଥିତି ଦୁର୍ବଳ ହୋଇଯିବ।

କର୍ଣ୍ଣାଟକା କଂଗ୍ରେସକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବା ପାଇଁ ରାଜ୍ୟର ଦୁଇ ପ୍ରମୁଖ ନେତା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ-ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି। ଯେହେତୁ ଦଳର ଶୀର୍ଷ ନେତୃତ୍ୱ ଶିବକୁମାରଙ୍କୁ ସଭାପତି ପଦରୁ ବାହାର କରି ନାହାନ୍ତି, ତେଣୁ ସେମାନେ ସ୍ଥିତିକୁ ସନ୍ତୁଳିତ କରି ରଖିବାକୁ ପ୍ରୟାସ କରୁଥିବା ଜଣାପଡ଼ୁଛି।

‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରେ ଉପ-ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କୁ ଦଳର ରାଜ୍ୟ ସଭାପତି ପଦରୁ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କର କିଛି ବିଶ୍ୱସ୍ତ ମନ୍ତ୍ରୀ ଅଭିଯାନ ଚଲାଇଛନ୍ତି। ଏହି ମନ୍ତ୍ରୀଙ୍କ ମଧ୍ୟରେ ସମବାୟ ମନ୍ତ୍ରୀ କେଏନ୍ ରାଜନ୍ନା ମଧ୍ୟ ଥିଲେ। କିନ୍ତୁ ହନିଟ୍ରାପ୍ ମାମଲା ପରେ ଏହି ଅଭିଯାନ ଶୀତଳ ପଡ଼ି ଯାଇଥିଲା। ରାଜନ୍ନା ଖୋଲାଖୋଲି ଘୋଷଣା କରିଥିଲେ ଯେ ଷଡ଼ଯନ୍ତ୍ର କରି ଯେଉଁ ୪୮ ଜଣ ରାଜନେତାଙ୍କୁ ହନିଟ୍ରାପ ମାମଲାରେ ଫସାଯାଇଥିଲା। ଆଉ ସେଥିଯୋଗୁ ଶିବକୁମାର ହଟାଅ ଅଭିଯାନ ଶୀତଳ ପଡ଼ିଯାଇଥିଲା।

କ୍ଷମତାକୁ ନେଇ ଦଳ ଭିତରେ ଚାଲିଥିବା ଲଢ଼େଇ ଶିବକୁମାର ଆଦୌ ବିଚଳିତ ଥିବା ଭଳି ମନେ ହେଉ ନାହାନ୍ତି। ସେ କହୁଛନ୍ତି ଯେ ନେତୃତ୍ୱ ହାସଲ କରାଯାଏ। କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି (କେପିସିସି) ପଦବୀ କୌଣସି ଦୋକାନରେ ମିଳେ ନାହିଁ। ଗଣମାଧ୍ୟମରେ ବାରମ୍ବାର ମତାମତ ଦେଲେ ମଧ୍ୟ ଏହି ପଦ ମିଳେ ନାହିଁ।

କର୍ଣ୍ଣାଟକାର ପୂର୍ତ୍ତ ମନ୍ତ୍ରୀ ସତୀଶ ଜାରକୀହୋଲି କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି (କେପିସିସି)ର ସଭାପତି ହେବାକୁ ଚାହୁଁଛନ୍ତି। ସେ ଖୋଲାଖୋଲି ଭାବେ କେପିସିସି ସଭାପତି ପରିବର୍ତ୍ତନ ପାଇଁ କହୁଛନ୍ତି। ସେ କହିଛନ୍ତି ଯେ ୨୦୨୮ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ତୃଣମୂଳ ସ୍ତରରୁ ଦୃଢ଼ କରିବା ପାଇଁ ଜଣେ ସମର୍ପିତ ସଭାପତି ଆବଶ୍ୟକ।

Congress Siddaramaiah DK Shivakumar