ମିଳିଲା ରାଜ୍ୟପାଳଙ୍କ ଅନୁମତି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ରୁଜୁ ହେବ ମାମଲା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଅଡୁଆ ବଢିଛି।

ସିଦ୍ଧରମୈୟା

  • Published: Saturday, 17 August 2024
  • , Updated: 17 August 2024, 01:51 PM IST

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଅଡୁଆ ବଢିଛି। ଜମି ଦୁର୍ନୀତି ଅଭିଯୋଗ ଉପରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ। ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧ କ୍ରମେ ଏହି ଅନୁମତି ଦେଇଛନ୍ତି ରାଜ୍ୟପାଳ। 

ସୂଚନାନୁସାରେ, ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନରେ ଘୋଟାଲା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଦୁର୍ନୀତି ଉପରେ ମାମଲା ରୁଜୁ କରି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ କରିବାକୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।

ରାଜ୍ୟପାଳ ଥାୱର ଚାନ୍ଦ ତାଙ୍କ ଅନୁରୋଧକୁ ଗ୍ରହଣ କରିବା ସହ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ପାଇଁ ଅନୁମତି ଦେଇଛନ୍ତି। ଏଥିସହ ଅଭିଯୋଗକାରୀ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଡକାଇଛନ୍ତି। ଆଜି ଦିନ 3ଟାରେ ଟି.ଜେ ଆବ୍ରାହମଙ୍କୁ ରାଜ ଭବନ ଆସି ତାଙ୍କ ସହ ସାକ୍ଷାତ କରିବାକୁ କହିଛନ୍ତି ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ।

ଅନ୍ୟପଟେ ସିଦ୍ଧରମୈୟା ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ରାଜ୍ୟପାଳଙ୍କ ଅନୁମତିକୁ ବିରୋଧ କରି କୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଜଣାଇଛି ଦଳ।

କଂଗ୍ରେସ ପକ୍ଷରୁ ଏହାକୁ କେନ୍ଦ୍ର ସରକାର ଏବଂ ବିଜେପିର ଚକ୍ରାନ୍ତ ବୋଲି ଅଭିଯୋଗ କରାଯିବା ସହ କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ କରି ଏପରି କରାଯାଉଥିବା ଦଳ ଅଭିଯୋଗ କରିଛି। ଦରକାର ପଡ଼ିଲେ ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ହଡ଼ତାଳ ହେବ ବୋଲି ମଧ୍ୟ ଦଳ ଚେତାବନୀ ଦେଇଛି।

Related story