/odisha-reporter/media/post_attachments/uploadimage/library/16_9/16_9_0/KCR_1696343354.jpg)
KCR
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ। କିନ୍ତୁ କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ ବୋଲି ଆଜି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୋଦିଙ୍କ ଏପରି ଦାବିକୁ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି(ବିଆରଏସ୍) ଖଣ୍ଡନ କରିଛି। ଏହା ଡାହା ମିଛ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ରାଜ୍ୟରେ ଆଜି ବିଜେପି ପକ୍ଷରୁ ଗୋଟିଏ ସଭାର ଆୟୋଜନ କରାଯାଇଥିଲା। ଏହି ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, “ହାଇଦ୍ରାବାଦ ପୌରପାଳିକା ନିର୍ବାଚନରେ ବିଜେପି ୪୮ଟି ଆସନ ଜିତିଥିଲା। ଏହି ସମୟରେ କେସିଆର ବିଜେପିର ସମର୍ଥନ ଚାହିଁଥିଲେ।
ଏହି ନିର୍ବାଚନ ପୂର୍ବରୁ ସେ ମୋତେ ଏୟାରପୋର୍ଟରେ ସ୍ୱାଗତ କରୁଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଆଉ ସ୍ୱାଗତ କରିବାକୁ ଯାଇ ନଥିଲେ। ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ କେସିଆର ଦିଲ୍ଲୀରେ ମୋତେ ଭେଟିବାକୁ ଆସିଥିଲେ।
ଏତିକି ବେଳେ ସେ ଏନଡିଏରେ ସାମିଲ ହେବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଥିଲେ। ଏଥିସହ ସେ ମୋତେ ତାଙ୍କୁ ସମର୍ଥନ କରିବାକୁ କହିଥିଲେ। ମୁଁ ତାଙ୍କୁ କହିଥିଲି ଯେ ତାଙ୍କର କୁକର୍ମ ପାଇଁ ମୋଦି ତାଙ୍କ ସହ କେବେ ହେଲେ ମିଶି ପାରିବ ନାହିଁ।”
୨୦୨୦ ଗ୍ରେଟର ହାଇଦ୍ରାବାଦ ପୌର ପାଳିକା ନିର୍ବାଚନରେ କେସିଆରଙ୍କ ବିଆରଏସ୍ ସଂଖ୍ୟାଗରିଷ୍ଠତାରୁ ୨୧ଟି ଆସନ ପଛରେ ରହି ଯାଇଥିଲା। ବିଜେପି ୧୫୦ ଆସନରୁ ୪୮ଟିରେ ଜିତିଥିଲା। ୨୦୧୫ ତୁଳନାରେ ବିଜେପି ଦମଦାର ପ୍ରଦର୍ଶନ କରିଥିଲା। ଉକ୍ତ ନିର୍ବାଚନ କଥା ମୋଦି ଆଜି କହିଛନ୍ତି।
ତେବେ କେସିଆରଙ୍କ ଦଳ ବିଆରଏସର ମୁଖପାତ୍ର ଏମ କ୍ରିଷ୍ଣକ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏଥର ଜଣେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯିବା ବେଳେ ନିଜ ସହ କ୍ୟାମେରା ନେଇକି ଯିବେ। କାରଣ ନରେନ୍ଦ୍ର ମୋଦି ନିଜର ରାଜନୀତି ଫାଇଦା ପାଇଁ ଯେକୌଣସି ସ୍ତରକୁ ଖସି ମିଛ କହିପାରନ୍ତି।”
ତେଲେଙ୍ଗାନାର ନିଜାମାବାଦରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ କେସିଆରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, “ତେଲେଙ୍ଗାନାର ଚାଷୀମାନଙ୍କୁ ବିଆରଏସ୍ ସରକାର ଦେଇଥିବା ସବୁ ପ୍ରତିଶ୍ରୁତିକୁ ଭାଙ୍ଗି ଦେଇଛନ୍ତି। କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ଆମେ ୪୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ ହଜାର କୋଟି ଟଙ୍କା ପଠାଇଛୁ। ନିଜାମାବାଦରେ ଉତ୍ପାଦନ ହେଉଥିବା ହଳଦୀକୁ ଗୋଟିଏ ଜିଲ୍ଲା, ଗୋଟିଏ ସାମଗ୍ରୀ ଯୋଜନାରେ ପ୍ରୋତ୍ସାହିତ କରାଯାଇଛି। ହଳଦୀ ଚାଷୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଆମେ ଜାତୀୟ ହଳଦୀ ବୋର୍ଡ ଗଠନ କରିବୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
