୨୦୨୩ ଡିସେମ୍ବର ମାସରୁ ଭାରତୀୟ ଭୋଟର ନିଜର ଜନାଦେଶ ମାଧ୍ୟମରେ ରାଜନୀତିକ ପଣ୍ଡିତ ଓ ଭାଷ୍ୟକାରକୁ ଭୁଲ ପ୍ରମାଣିତ କରି ଆସୁଛନ୍ତି। କେବଳ ଭୁଲ ପ୍ରମାଣିତ କରୁ ନାହାନ୍ତି ବରଂ ନିର୍ବାଚନ ରେଜଲ୍ଟ ଦ୍ୱାରା ନିରାଶ ମଧ୍ୟ କରୁଛନ୍ତି। ଭୋଟରମାନେ ଏବେ ପୁଣିଥରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପଣ୍ଡିତ ଓ ଭାଷ୍ୟକାରଙ୍କୁ ଆଉ ଏକ ଝଟକା ଦେବାକୁ ସକ୍ଷମ ହେବେ କି? ଅବଶ୍ୟ ଏକଥା ଫେବୃଆରୀ ୮ରେ ଜଣାପଡ଼ିବ। କାରଣ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଫେବୃଆରୀ ୮ରେ ପ୍ରକାଶ ପାଇବ।
ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ। ଏହାପରେ ଲୋକଙ୍କ ମୁଡ ମାପିବାକୁ ସି-ଭୋଟର ପକ୍ଷରୁ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ। ତଥାପି ହାୱା ସାମାନ୍ୟ ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ରହିଛି। ସେ ଭାରତୀୟ ଜନତା ପାର୍ଟିକୁ ଦିଲ୍ଲୀରେ ଅଟକାଇବାକୁ ସକ୍ଷମ ହେବେ। କିନ୍ତୁ ସାମ୍ନାକୁ ଆସିଥିବା ତଥ୍ୟ ଓ ସଂଖ୍ୟା କେଜ୍ରିୱାଲଙ୍କୁ ଆଦୌ ଆଶ୍ୱସ୍ତ କରିପାରିବ ନାହିଁ।
ପ୍ରଥମେ ଲୋକପ୍ରିୟତାକୁ ବିଚାରକୁ ନିଆଯାଉ। ଏହା ମଧ୍ୟ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଫେବୃଆରୀ ୨ରେ ସି-ଭୋଟର କରିଥିବା ସର୍ଭେରୁ ଜଣାପଡ଼ିଛି ଯେ ଦିଲ୍ଲୀର ୪୬% ଭୋଟର କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଛନ୍ତି। ଏହା ଦ୍ୱିତୀୟ ପସନ୍ଦର ମୁଖ୍ୟମନ୍ତ୍ରୀ ଚେହେରା ବିଜେପିର ମନୋଜ ତିୱାରୀଙ୍କ ଠାରୁ ଯଥେଷ୍ଟ ଆଗରେ। ମାତ୍ର ୧୫% ଲୋକ ତିୱାରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନ୍ତି।
କିନ୍ତୁ ଏହି ଲୋକପ୍ରିୟତାରେ ମଧ୍ୟ ଟ୍ୱିଷ୍ଟ ରହିଛି। ୫ ବର୍ଷ ତଳେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ୭୦% ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା କହିଥିଲେ। ଏଥର ତାଙ୍କ ଲୋକପ୍ରିୟତା ପ୍ରାୟ ୨୩% ହ୍ରାସ ପାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ୨୦୨୫ ବିଧାନସଭା ନିର୍ବାଚନ ଆପ୍ ପାଇଁ ଆଦୌ ସହଜ ହେବନି। ୨୦୧୫ ଓ ୨୦୨୦ରେ ଆପ୍ ବେଶ ସହଜରେ ବିଜୟ ହୋଇଥିଲା। ଏଥର ବିଜେପି ଭଲ ଟକ୍କର ଦେବ।
ସେହିପରି ୨୦୨୩ ନଭେମ୍ବର ମାସରେ ଅନୁଷ୍ଠିତ ଛତିଶଗଡ଼ ବିଧାନସଭା ନିର୍ବାଚନ ଓ ୨୦୨୪ ମେ’ ମାସରେ ଅନୁଷ୍ଠିତ ଓଡ଼ିଶା ବିଧାନସଭାର ରେଜଲ୍ଟ କଥାକୁ ମଧ୍ୟ କେହି ଭୁଲି ନାହାନ୍ତି। ଛତିଶଗଡ଼ରେ ବିଦାୟୀ ମୁଖ୍ୟମନ୍ତ୍ରୀ କଂଗ୍ରେସର ଭୂପେଶ ବଘେଲ ଶୀର୍ଷ ପଦ ପାଇଁ ପ୍ରଥମ ପସନ୍ଦ ଭାବେ ଉଭା ହୋଇଥିଲେ। ସେହିପରି ଓଡ଼ିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରାୟ ଅଧିକାଂଶ ଭୋଟର ମତ ରଖିଥିଲେ। କିନ୍ତୁ ଉଭୟ ନବୀନ ଓ ବଘେଲଙ୍କୁ ହାରିବାକୁ ପଡ଼ିଥିଲା। ବିଜେପି ଦୁଇ ରାଜ୍ୟରେ ସମସ୍ତଙ୍କୁ ଚକିତ କରି ବିଜୟ ହୋଇଥିଲା।
ହରିୟାଣା ବିଧାନସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। କଂଗ୍ରେସର ଭୂପେନ୍ଦର ସିଂହ ହୁଡ୍ଡା ପ୍ରଥମ ପସନ୍ଦର ମୁଖ୍ୟମନ୍ତ୍ରୀ ରହିଥିଲେ। କଂଗ୍ରେସ ମଧ୍ୟ ହରିୟାଣାରେ ଜିତିଥିବା ଅନେକ ସଂସ୍ଥା ସର୍ଭେ କରି ମତ ରଖିଥିଲେ। କଂଗ୍ରେସ ବି ଏହାକୁ ଦେଖି ଉତ୍ସବ ମନାଇଥିଲା। କିନ୍ତୁ ରେଜଲ୍ଟ ହଠାତ ବିଜେପି ସପକ୍ଷରେ ଯାଇଥିଲା।
ସି-ଭୋଟର ସର୍ଭେରେ କ’ଣ ପଚରା ଯାଇଥିଲା?
ବେଶ କିଛି ଦଶନ୍ଧି ଧରି ସି ଭୋଟର ସର୍ଭେ ବେଳେ ଦୁଇଟି ପ୍ରଶ୍ନ ପଚାରି ଭୋଟରଙ୍କ ମୁଡ ମାପିଥାଏ। ଏଥିରୁ ହାୱା କେଉଁ ଆଡ଼େ ବହୁଛି ବୋଲି ଜଣାପଡ଼ିଥାଏ। ହେଲେ ଏହା ଯେ ସିଟ୍ରେ ପରିଣତ ହେବ, ତା’ର ଗ୍ୟାରେଣ୍ଟୀ ନାହିଁ। ସର୍ଭେ ବେଳେ ପଚରା ଯାଇଥାଏ ଯେ ଆପଣ ଏ ସରକାର ଉପରେ କ୍ଷୁବ୍ଧ କି ଓ ଆପଣ ଏହାକୁ ବଦଳାଇବାକୁ ଚାହୁଁଛନ୍ତି କି? ୨୦୨୦ରେ ସି ଭୋଟର ସର୍ଭେ କରିବା ବେଳେ ଜାଣିବାକୁ ପାଇଥିଲା ଯେ ୨୭% ଲୋକ ଆପ ସରକାର ଉପରେ କ୍ଷୁବ୍ଧ ଓ ୭୦% ଲୋକ ଏହାକୁ ବଦଳାଇବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ।
ତେବେ ଫେବୃଆରୀ ୨ରେ ହୋଇଥିବା ସର୍ଭେ ବେଳେ ୪୪% ଆପ ସରକାର ଉପରେ ଯୁବ୍ଧ ଓ ୪୯% ଲୋକ ଏହାକୁ ବଦଳାଇବାକୁ ଚାହୁଁ ନଥିବା କହିଛନ୍ତି। ହାୱା ଆପ୍ ସପକ୍ଷରେ ରହିଛି ସତ, କିନ୍ତୁ ଏହା କେବଳ ଧାରରେ ଝୁଲୁଛି।
ସର୍ଭେ ବେଳେ ଆଉ ଏକ ପ୍ରଶ୍ନ ପଚରା ଯାଇଥାଏ। ଆପଣ ଯେକୌଣସି ରାଜନୀତିକ ଦଳକୁ ସମର୍ଥନ କରୁଥିଲେ ମଧ୍ୟ ଆପଣ ରାଜ୍ୟରେ କେଉଁ ଦଳ ଜିତିବ ବୋଲି ଭାବୁଛନ୍ତି? ୨୦୨୦ରେ ୧୯% ଲୋକ ବିଜେପି ଓ ୭୦% ଲୋକ ଆପ ସମର୍ଥନରେ ମତ ରଖିଥିଲେ। ଏଥର କିନ୍ତୁ ବିଜେପି ସପକ୍ଷରେ ୩୭% ଓ ଆପ୍ ସପକ୍ଷରେ ୪୨% ସମର୍ଥନ ରହିଛି। ଅରବିନ୍ଦ କେଜ୍ରିୱାଲଙ୍କ ଭଳି ଜଣେ ସଫଳ ନେତା ଭାବେ ଏପରି ସଂଖ୍ୟା ଅତ୍ୟନ୍ତ ବିବ୍ରତ କରିବା ଭଳି।
ଆପ୍ ପାଇଁ ଚିନ୍ତାର କାରଣ ଗୁଡ଼ିକ କ’ଣ?
ଆପ୍ ଦୀର୍ଘ ୧୦ ବର୍ଷ ହେଲା କ୍ଷମତାରେ ରହିଛି। ଫଳରେ ସରକାରୀ ବିରୋଧୀ ହାୱା ରହିଛି। ୨୦୨୪ ଲୋକସଭା ନିର୍ବାଚନରେ ସରକାର ବିରୋଧୀ ହାୱା ଯୋଗୁ ବିଜେପିକୁ ବେଶ କ୍ଷତି ସହିବାକୁ ପଡ଼ିଥିଲା। ତଥାପି ବିଜେପି ସହଯୋଗୀଙ୍କ ସହ ମିଶି କେନ୍ଦ୍ରରେ ସରକାର ଗଠନ କରିଛି। ଆପ୍ ପାଇଁ ବିଧାନସଭା ନିର୍ବାଚନରେ ସରକାରୀ ବିରୋଧୀ ହାୱା ସମସ୍ୟା ସୃଷ୍ଟି କରିପାରେ।
ଦ୍ୱିତୀୟ ସମସ୍ୟା ହେଲା ଅବକାରୀ ନୀତି ଦୁର୍ନୀତି ଓ ଶୀଶ ମହଲ ବିବାଦ। ଆପ୍ ସବୁବେଳେ ଦୁର୍ନୀତି ବିରୋଧରେ ସ୍ୱର ଉଠାଉଥିବା ବେଳେ ଏଭଳି ଅଭିଯୋଗ ଦଳର ଛବିକୁ ମଳିନ ପକାଇଛି। ଯଦି ବି ଆପ୍ ବିଧାନସଭା ନିର୍ବାଚନରେ ଜିତିବ, ତା’ହେଲେ ଏହା ଦୁର୍ନୀତି ବିରୋଧୀ ଲଢ଼େଇ ପାଇଁ ଯେ ତାହା ଭାବିବା ଭୁଲ ହେବ। ଆପ୍ ତୃଣମୂଳ ସ୍ତରରେ ମାଗଣା ଯୋଜନା ଲାଗୁ କରୁଥିବାରୁ ଅଳ୍ପକେ ଜିତିଲା ବୋଲି ଭାବିବାକୁ ପଡ଼ିବ। କାରଣ ୬୦% ଦିଲ୍ଲୀବାସୀ ଆପ୍ର ମାଗଣା ଯୋଜନାର ଫାଇଦା ହାସଲ କରୁଛନ୍ତି।
୨୦୨୨ ଦିଲ୍ଲୀ ପୌରପାଳିକା ନିର୍ବାଚନରେ ଆପ୍ ବାଜିମାତ କରିଥିଲା। ଏହାର ଫାଇଦା ଉଠାଇବାକୁ ବିଜେପି ଲକ୍ଷ୍ୟ ରଖିଛି। ଏବେ ବି ଅଧିକାଂଶ ବସ୍ତି ଅଞ୍ଚଳ ଠିକ ଭାବେ ସଫା ହୋଇପାରୁନି ଓ ସେଠାରେ ସ୍ୱରେଜ ସମସ୍ୟା ଦେଖାଯାଉଛି। ତେଣୁ ବିଜେପି ଏହାକୁ ପ୍ରସଙ୍ଗ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ଏହାକୁ ଆପ୍ ନିର୍ବାଚନ ବେଳେ ପ୍ରସଙ୍ଗ କରୁଥିଲା। କାରଣ ୨୦୨୨ ପୂର୍ବରୁ ବିଜେପି ଏମସିଡିକୁ ନିଜ ଦଖଲରେ ରଖିଥିଲା।
ସଫାସୁତରା, ପିଇବା ପାଣି ସମସ୍ୟା ଓ ସ୍ୱରେଜ ବ୍ୟବସ୍ଥାରେ ଥିବା ତ୍ରୁଟି ବଡ଼ ପ୍ରସଙ୍ଗ ହୋଇଥିଲେ ହେଁ ବିଜେପିର ନେତାମାନେ ଅଧିକାଂଶ ସମୟ କେଜ୍ରିୱାଲଙ୍କ ଶୀଶ ମହଲ କଥା ଉଠାଇ ଚାଲିଛନ୍ତି। ଏହି ପ୍ରସଙ୍ଗ ପୂର୍ବରୁ ରହିଥିଲା। ଏହା କେଜ୍ରିୱାଲ ଓ ତାଙ୍କ ଦଳ ଆପ୍କୁ ଯାହା କ୍ଷତି ପହଞ୍ଚାଇବା କଥା ପୂର୍ବରୁ ପହଞ୍ଚାଇ ସାରିଛି। ଏବେ ଆପ୍ ଜାଣିଶୁଣି ଶୀଶ ମହଲ ବନାମ ରାଜମହଲ ବିବାଦକୁ ଜାରି ରଖିବାକୁ ଚାହୁଁଛି। ଏହାଦ୍ୱାରା କାହାର ବି ନଜର ପୌରପାଳିକା ସ୍ତରରେ ଆପ୍ର ବିଫଳତା ଆଡ଼କୁ ଯାଇ ପାରିବ ନାହିଁ।
କିନ୍ତୁ ଏବେ ଆପ୍ ଓ ଏହାର ଆବାହକ କେଜ୍ରିୱାଲଙ୍କ ପାଇଁ ଆଉ ଏକ ସମସ୍ୟା ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ମାତ୍ରେ ହାୱା ବିଜେପି ସପକ୍ଷରେ ବହିବା ଆରମ୍ଭ ହୋଇଛି। ବିଜେପି ସବୁବେଳେ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ବର୍ଗର ଭୋଟରଙ୍କୁ ଦିଲ୍ଲୀରେ ଟାର୍ଗେଟ କରୁଛି।
ଏଥର ବଜେଟରେ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତଙ୍କ ପାଇଁ ଟିକସ ରିଲିଫ ଘୋଷଣା କରାଯାଇଛି। ତେଣୁ ବିଜେପି ଏହାକୁ ଆଧାର କରି ନିଜର ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ୨୦୧୩ରୁ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ କେଜ୍ରିୱାଲଙ୍କୁ ସମର୍ଥନ କରି ଆସୁଛନ୍ତି। ହେଲେ ଏବେ ସେମାନଙ୍କ ମୁଡ ବଦଳିବାର ସମ୍ଭାବନା ରହିଛି।
ବଜେଟ ପୂର୍ବରୁ ୩୭% ନିମ୍ନ ମଧ୍ୟବିତ୍ତ ଲୋକ ବିଜେପି ଓ ୫୬% ଆପ୍କୁ ସମର୍ଥନ କରୁଥିଲେ। ଏହି ବିରାଟ ଗ୍ୟାପ ଯୋଗୁ ୨୦୧୫ ଓ ୨୦୨୦ରେ ଆପ୍ ବଡ଼ ବିଜୟ ହାସଲ କରିଥିଲା। କିନ୍ତୁ ବଜେଟ ପରେ ୪୨% ନିମ୍ନ ମଧ୍ୟବିତ୍ତ ବିଜେପି ଓ ୪୮% ନିମ୍ନ ମଧ୍ୟବିତ୍ତ ଆପ୍କୁ ସମର୍ଥନ କରୁଛନ୍ତି।
ଉଚ୍ଚ ମଧ୍ୟବିତ୍ତଙ୍କ ଭୋଟକୁ ବିଚାରକୁ ନେଲେ ବିଜେପି ସବୁବେଳେ ଆଗରେ ରହିଛି। ବଜେଟ ଉପସ୍ଥାପନ ପରେ ଏହି ଗ୍ୟାପ ଆହୁରି ବଢ଼ି ଯାଇଛି। ପୂର୍ବରୁ ଆପ୍ ତୁଳନାରେ ବିଜେପି ୮% ଆଗରେ ଥିଲା। ହେଲେ ଏବେ ଦୁଇ ଦଳ ମଧ୍ୟରେ ୨୧%ର ଗ୍ୟାପ ହୋଇଯାଇଛି। କିନ୍ତୁ ଏଠାରେ ମୁଖ୍ୟ ସମସ୍ୟା ହେଲା ମଧ୍ୟବିତ୍ତ ବର୍ଗର ଲୋକମାନେ ନିଜ ଘରେ ରହି ଉତ୍ସାହ ପ୍ରକାଶ କରନ୍ତି। ସେମାନେ ନିର୍ବାଚନ ଦିନ ଭୋଟ ଦେବାକୁ ସବୁବେଳେ ପଛ ଘୁଞ୍ଚା ଦିଅନ୍ତି। ଏପରି ସ୍ଥିତିରେ ସେମାନେ କେମିତି ଭୋଟ କେନ୍ଦ୍ରକୁ ଆସିବେ, ତା’ର ବ୍ୟବସ୍ଥା କରିବାକୁ ପଡ଼ିବ।
ଅନ୍ୟପକ୍ଷରେ ଆପ୍ର ମୁଖ୍ୟ ଭୋଟର ନିମ୍ନ ଆୟକର ଗ୍ରୁପର ଲୋକ। ଏମାନଙ୍କ ମଧ୍ୟରେ ଦଳିତ, ମୁସଲିମ ଓ ବସ୍ତିବାସିନ୍ଦା ଅଛନ୍ତି। ଏହି ବର୍ଗର ଲୋକମାନେ ନିର୍ବାଚନ ଦିନ ବିପୁଳ ସଂଖ୍ୟାରେ ଭୋଟ ଦେଇଥାଆନ୍ତି। ଗରିବ ଓ ବଞ୍ଚିତ ବର୍ଗର ଲୋକମାନେ ୨୦୧୫ରୁ କେଜ୍ରିୱାଲଙ୍କୁ ସମର୍ଥନ କରି ଆସୁଛନ୍ତି।
ନିରକ୍ଷର ବର୍ଗର ୨୪% ଲୋକ ବିଜେପିକୁ ଓ ୬୭% ଲୋକ ଆପ୍କୁ ସମର୍ଥନ କରନ୍ତି। ଉଚ୍ଚ ଶିକ୍ଷାରେ ମଧ୍ୟ ଦୁଇ ଦଳ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି। ଏହି ବର୍ଗର ୪୮% ଲୋକ ଆପ୍କୁ ଓ ୪୩% ଲୋକ ବିଜେପିକୁ ସମର୍ଥନ କରନ୍ତି। ଘରୋଇ ମହିଳା ବର୍ଗରେ ଆପ୍ ସପକ୍ଷରେ ୫୭% ଓ ବିଜେପି ସପକ୍ଷରେ ୩୩% ସମର୍ଥନ ରହିଛି। ତେବେ ବିଜେଟକୁ ଭଲ ଭାବେ ବୁଝିବା ପରେ ଏଥିରେ କେତେ ପରିବର୍ତ୍ତନ ହେଉଛି, ତା’ହା ରେଜଲ୍ଟ ଘୋଷଣା ବେଳେ ଜଣାପଡ଼ିବ।
ହାୱା ସାମାନ୍ୟ ଆପ୍ ସପକ୍ଷରେ ରହିଛି। କିନ୍ତୁ ୨୦୨୩ ଡିସେମ୍ବର ମାସରେ ମଧ୍ୟପ୍ରଦେଶ ଓ ଛତିଶଗଡ଼, ୨୦୨୪ ଲୋକସଭା ନିର୍ବାଚନ, ଓଡ଼ିଶା, ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟକୁ ଆମେ ସମସ୍ତେ ଦେଖିଛୁ। ଏପରି ସ୍ଥିତିରେ ଯଦି ଦିଲ୍ଲୀବାସୀ କୌଣସି ଅପ୍ରତ୍ୟାଶିତ ଜନାଦେଶ ଦିଅନ୍ତି, ତା’ହେଲେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।