Kerala
ମାଲାୟାଲମ ଅଭିନେତ୍ରୀ ରିନି ଜର୍ଜ କୌଣସି ରାଜନେତାଙ୍କ ନାଁ ନେଇ କେବଳ ଏତିକି କହିଥିଲେ ଯେ ଗୋଟିଏ ବଡ଼ ରାଜନୀତିକ ଦଳର ଯୁବ ନେତା ତାଙ୍କ ପାଖକୁ ବିଗତ ୩ ବର୍ଷ ହେଲା ଆପତ୍ତିଜନକ ମେସେଜ ପଠାଇ ଚାଲିଛନ୍ତି। ତାଙ୍କୁ ସେ ଗୋଟିଏ ପଞ୍ଚ ତାରକା ହୋଟେଲକୁ ମଧ୍ୟ ଡାକୁଛନ୍ତି। ଏନେଇ ସେ ଦଳର ବରିଷ୍ଠ ନେତାମାନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଉକ୍ତ ଯୁବ ନେତାଙ୍କ ବିରୋଧରେ ହୋଇନାହିଁ।
ଅଭିନେତ୍ରୀ ରିନି କୌଣସି ରାଜନେତା କିମ୍ବା ରାଜନୀତିକ ଦଳର ନାଁ କହି ନାହାନ୍ତି। କିନ୍ତୁ କେରଳ ବିଜେପି ଏହାକୁ କଂଗ୍ରେସ ସହ ଯୋଡ଼ିଛି। କଂଗ୍ରେସ ବିଧାୟକ ରାହୁଲ ମାମକୋତାଥିଲ ହିଁ ରିନିଙ୍କୁ ଏପରି ନିର୍ଯାତନା ଦେଉଥିବା ଦାବି କରି ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି। ପାଲାକ୍କଡରେ ଥିବା ରାହୁଲଙ୍କ ଅଫିସ ଆଗରେ ବିଜେପି କର୍ମୀ ଓ ନେତାମାନେ ବିକ୍ଷୋଭ କରିବାରୁ ବିବାଦ ଦେଖିବାକୁ ମିଳିଛି।
ବିବାଦ ବଢ଼ୁଥିବା ବେଳେ ରାହୁଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିନ୍ତୁ ସେ ଯୁବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, “ମୋ ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ ମୁଁ ଚ୍ୟାଲେଞ୍ଜ କରୁଛି। ସେ ମୋ ବିରୋଧରେ ଆଣିଥିବା ଅଭିଯୋଗକୁ କୋର୍ଟରେ ପ୍ରମାଣ କରି ଦେଖାନ୍ତୁ। କୌଣସି ବି ସ୍ଥାନରେ ମୋ ବିରୋଧରେ କୌଣସି ବି ଅଭିଯୋଗ ଦାଖଲ କରାଯାଇ ନାହିଁ।
ଯୁବ କଂଗ୍ରେସ କର୍ମୀ ଓ ଦଳୀୟ କର୍ମୀଙ୍କ କଥା କହିଲେ, ସେମାନଙ୍କୁ ଆସନ୍ତା ବିଧାନସଭା ଓ ପଞ୍ଚାୟତ ନିର୍ବାଚନ ପାଇଁ ଅନେକ କାମ କରିବାର ଅଛି। ସେମାନେ ମୋତେ ଯର୍ଥାର୍ଥ ପ୍ରମାଣିତ କରିବା ପାଇଁ ସମୟ ନଷ୍ଟ କରନ୍ତୁ ନାହିଁ। ସେମାନଙ୍କ ସମୟକୁ ମୁଁ ସମ୍ମାନ କରେ। ଆମେ ସିପିଆଇ(ଏମ) ସରକାର ବିରୋଧରେ ଦୃଢ଼ ଭାବେ ଲଢ଼ିବୁ ଓ ନିର୍ବାଚନକୁ ସାମ୍ନା କରିବୁ। ମୋତେ କେହି ବି ଇସ୍ତଫା ଦେବାକୁ କହି ନାହାନ୍ତି। ମୁଁ ମୋ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛି।”
ବୁଧବାର ଅଭିନେତ୍ରୀ ରିନି ଜର୍ଜ ଗୋଟିଏ ସାକ୍ଷାତକାରରେ କହିଥିବା କଥା ଏବେ ବେଶ ଭାଇରାଲ ହେଉଛି। ସେ କହିଥିଲେ, “ସୋଶାଲ ମିଡିଆ ଜରିଆରେ ଜଣେ ରାଜନେତାଙ୍କ ସହ ମୋର ଯୋଗାଯୋଗ ହୋଇଥିଲା। ତାଙ୍କର ଅଭଦ୍ର ବ୍ୟବହାର ୩ ବର୍ଷ ତଳୁ ଆରମ୍ଭ ହୋଇଥିଲା। ୩ ବର୍ଷ ତଳେ ମୁଁ ତାଙ୍କ ଠାରୁ ପ୍ରଥମଥର ଆପତ୍ତିଜନକ ମେସେଜ ପାଇଥିଲି। ସେ ମୋ ପାଖକୁ ବାରମ୍ବାର ଆପତ୍ତିଜନକ ମେସେଜ ପଠାଇଛନ୍ତି। ଏପରି କି ମୋ ପାଇଁ ପାଞ୍ଚ ତାରକା ହୋଟେଏ ବୁକ କରି ସେଠାକୁ ମୋତେ ନିମନ୍ତ୍ରଣ ମଧ୍ୟ କରିଛନ୍ତି।”
ଏହାବାଦ ରିନି ଜର୍ଜ ଆହୁରି କହିଛନ୍ତି ଯେ ନେତା ଜଣଙ୍କ ଯେଉଁ ପାର୍ଟିର ସଦସ୍ୟ ଥିଲେ ତା’ର ନେତୃବୃନ୍ଦଙ୍କୁ ସେ ବାରମ୍ବାର ଜଣାଇଥିଲେ ହେଁ ତାଙ୍କ କଥାକୁ କେହି ବି ଗୁରୁତ୍ୱ ଦେଇ ନଥିଲେ। କାର୍ଯ୍ୟାନୁଷ୍ଠାନ ବଦଳରେ ଦଳ ପକ୍ଷରୁ ତାଙ୍କୁ ପ୍ରମୁଖ ପଦପଦବୀ ମଧ୍ୟ ମିଳିଥିଲା।
ରିନି କହିଛନ୍ତି, “ଉକ୍ତ ନେତାଙ୍କୁ ମୁଁ ଦଳର ନେତୃବୃନ୍ଦଙ୍କ ପାଖକୁ ଯିବି ବୋଲି କହିଥିଲି। ହେଲେ ସେ ମୋତେ ଧମକ ଦେଇଥିଲେ। କହିଥିଲେ ତୁମେ ଯାହା ପାଖକୁ ଯାଉଛ ଯାଅ ଓ କାହାକୁ କହିବାର ଅଛି କୁହ, ମୁଁ ସେସବୁ ଖାତିର କରେନି। ତାଙ୍କ ପ୍ରତି ମୋ ମନରେ ଥିବା ଛବି ଭାଙ୍ଗି ଚୁରମାର ହୋଇଯାଇଥିଲା। ମୋ ଅଭିଯୋଗ ପରେ ଦଳର ନେତୃବୃନ୍ଦ ତାଙ୍କୁ ପ୍ରମୋସନ ଦେଇଥିଲେ।
ମୁଁ କୌଣସି ଖରାପ ଘଟଣାର ଶିକାର ହୋଇନି। କେବଳ ଆପତ୍ତିଜନକ ମେସେଜ ପାଇଛି। କିନ୍ତୁ ମୋ ବନ୍ଧୁଙ୍କ ଜରିଆରେ ମୁଁ ଜାଣିବାକୁ ପାଇଥିଲି ଯେ ଅନ୍ୟ ମହିଳାମାନେ ଭୟଙ୍କର ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ମୁଁ ସେମାନଙ୍କ ପାଇଁ କହୁଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kerala_1755771838.jpg)