Advertisment

ଭାଷଣ ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ମୁଖିଆ, ତଥାପି...

ଅସୁସ୍ଥତା ସତ୍ତ୍ୱେ ସେ ନିଜର ଭାଷଣ ଶେଷ କରିବା ସହ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରୁ ହଟିବା ଯାଏ ମୁଁ ବଞ୍ଚି ରହିବି ବୋଲି ଖଡଗେ କହିଛନ୍ତି।

author-image
Hemant Lenka
Kharge

Kharge

ଷ୍ଟେଜ ଉପରେ ହଠାତ୍‌ ଅସୁସ୍ଥ ହେଲେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ। ଆଜି ସେ ଜମ୍ମୁ-କଶ୍ମୀରର କଠୁଆରେ ଆୟୋଜିତ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଛନ୍ତି।

Advertisment

ଅସୁସ୍ଥତା ସତ୍ତ୍ୱେ ସେ ନିଜର ଭାଷଣ ଶେଷ କରିବା ସହ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରୁ ହଟିବା ଯାଏ ମୁଁ ବଞ୍ଚି ରହିବି ବୋଲି ଖଡଗେ କହିଛନ୍ତି।

ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ। ଏଥିପାଇଁ ସେ ଆଜି କଠୁଆରେ ଦଳର ପ୍ରଚାର କରୁଥିଲେ। ସଭା ମଞ୍ଚରେ ସେ ଛିଡ଼ା ହୋଇ ଭାଷଣ ଦେଉଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ସେ ଜୋରରେ ନିଃଶ୍ୱାସ ନେବାରୁ ସମସ୍ତେ ବିଚଳିତ ହୋଇ ପଡ଼ିଥିଲେ।

Advertisment

ମଞ୍ଚ ଉପରେ ଥିବା କଂଗ୍ରେସର ନେତାମାନେ ତାଙ୍କ ପାଖକୁ ଯିବା ସହ ସହାୟତା ପ୍ରଦାନ କରିଥିଲେ। ଅସହଜ ଅନୁଭବ କରୁଥିବା ୮୨ ବର୍ଷୀୟ ଖଡଗେ କିଛି ସମୟ ଅଟକିବା ସହ ପାଣି ପିଇଥିଲେ। ପାଣି ପିଇବା ପରେ ସେ ନିଜ ଭାଷଣ ଆରମ୍ଭ କରିଥିଲେ।

ଏହି ସମୟରେ ତାଙ୍କ ବାହୁକୁ ଜଣେ କଂଗ୍ରେସ କର୍ମୀ ଧରି ରହିଥିଲେ। ଅସୁସ୍ଥତା ସତ୍ତ୍ୱେ ସେ ବିଜେପିକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ପାଣି ପିଇବା ପରେ ସେ କହିଛନ୍ତି, “ଆମେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ଲଢ଼େଇ କରିବୁ। ମୁଁ ୮୩ ବର୍ଷରେ ପାଦ ଦେବାକୁ ଯାଉଛି।

ମୁଁ ଏତେ ଶୀଘ୍ର ମରିବି ନାହିଁ। ପ୍ରଧାନମନ୍ତ୍ରୀ ମୋଦି କ୍ଷମତାରୁ ହଟିବା ଯାଏ ମୁଁ ଜୀବିତ ରହିବି।” ତେବେ କିଛି ମିନିଟ ମଧ୍ୟରେ ସେ ନିଜ ଭାଷଣକୁ ଶେଷ କରି ଦେଇଥିଲେ। ଭାଷଣ ସରିବା ପରେ ତାଙ୍କୁ କଂଗ୍ରେସ ନେତାମାନେ ନିଜ ଆସନକୁ ଧରି ଧରି ଆଣୁଥିବାର ଭିଡିଓ ସାମ୍ନାକୁ ଆସିଛି।

ପରବର୍ତ୍ତୀ ଅବସ୍ଥାରେ ଖଡେଗଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ପୁଅ ପ୍ରିୟଙ୍କ ଖଡଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସ ସଭାପତି ଶ୍ରୀ ଖଡଗେ ଜମ୍ମୁ-କଶ୍ମୀରର ଜାସ୍ରୋଟାରେ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ମେଡିକାଲ ଟିମ ଯାଞ୍ଚ କରିଛି। ତାଙ୍କ ରକ୍ତଚାପ ସାମାନ୍ୟ କମି ଯାଇଥିଲା। ସେ ଏବେ ସୁସ୍ଥ ଅଛନ୍ତି। ସମସ୍ତଙ୍କ ଚିନ୍ତା ପାଇଁ କୃତଜ୍ଞ। ଭଗବାନଙ୍କ କୃପା ଓ ଲୋକଙ୍କ ଭଲ ପାଇବା ଯୋଗୁ ସେ ଆଗକୁ ବଢ଼ିବେ।”

ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ଭୋଟ ହେବ। ଆଜି ପ୍ରଚାରର ଶେଷ ହେଉଥିବାରୁ ସବୁ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଦୀର୍ଘ ଗୋଟିଏ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ନଜର ଏହା ଉପରେ ରହିଛି।

ସେପ୍ଟେମ୍ବର ୧୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଥିବା ବେଳେ ୨୫ ତାରିଖରେ ଲୋକ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେଇଥିଲେ। ତୃତୀୟ ପର୍ଯ୍ୟାୟରେ ମୋଟ ୪୦ଟି ଆସନ ପାଇଁ ୧ ତାରିଖରେ ଭୋଟ ହେବ। ଆସନ୍ତା ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Jammu Kashmir Mallikarjun Kharge Jammu Kashmir Assembly Election