Advertisment

ତେଲଙ୍ଗାନାରେ କିଏ ହେବେ ମୁଖ୍ୟମନ୍ତ୍ରୀ, ଖଡଗେ ନେବେ ନିଷ୍ପତ୍ତି

୧୧୯ଟି ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭାରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଭାରତ ରାଷ୍ଟ୍ର ସମିତି ୩୯ଟି ଆସନ ଜିତିଛି।

author-image
Jitendra Garnayak
Mallikarjun Kharge

Mallikarjun Kharge

ତେଲଙ୍ଗାନାରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ସେ ନେଇ ନିଷ୍ପତ୍ତି ନେବେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ। ଆଜି ତେଲଙ୍ଗାନା କଂଗ୍ରେସ ବିଧାୟକ ଦଳର ବୈଠକ ଏହି ନିଷ୍ପତ୍ତି ହୋଇଥିବା କହିଛନ୍ତି ଏଆଇସିସି ପର୍ଯ୍ୟବେକ୍ଷକ ତଥା କର୍ଣ୍ଣାଟକା ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର। 

Advertisment

ଏହି ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶିବକୁମାର କହିଥିଲେ, କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ନିଅନ୍ତୁ ବୋଲି ସମସ୍ତ ନବନିର୍ବାଚିତ ବିଧାୟକ କହିଛନ୍ତି। ତେଲଙ୍ଗାନା କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ ଏନେଇ ପ୍ରସ୍ତାବ ଦେଇଥିଲେ। ତାଙ୍କ ପ୍ରସ୍ତାବକୁ ଉପସ୍ଥିତ ସମସ୍ତ ବିଧାୟକ ସମର୍ଥନ କରିଥିଲେ।

ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହାକୁ ଦଳର ବିଧାୟକମାନେ ସମର୍ଥନ ଜଣାଇଛନ୍ତି ବୋଲି ଶିବକୁମାର କହିଛନ୍ତି। ମୁଖ୍ୟମନ୍ତ୍ରୀ ବାଛିବା ପୂର୍ବରୁ ଦଳର ସମସ୍ତ ୬୪ ଜଣ ବିଧାୟକଙ୍କ ମତାମତ ନିଆଯିବ। ସମସ୍ତ ବିଧାୟକ ଯେପରି ମନଖୋଲି ସେମାନଙ୍କର ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସଂପର୍କରେ କହିପାରିବେ, ସେଥିପାଇଁ ଶିବକୁମାର ସେମାନଙ୍କୁ ଜଣ ଜଣ କରି ଭେଟିବେ ବୋଲି ଜଣାପଡ଼ିଛି। 

Advertisment

ଆଜି ଏଆଇସିସି ପର୍ଯ୍ୟବେକ୍ଷକ ତଥା କର୍ଣ୍ଣାଟକା ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ ତେଲଙ୍ଗାନା ଦାୟିତ୍ୱରେ ଥିବାଏଆଇସିସି ଇନ୍‌ଚାର୍ଜ ମାନିକରାଓ ଠାକରେଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା। 

କଂଗ୍ରେସ ତେଲଙ୍ଗାନାରେ ସରକାର ଗଠନ କରିବା ପାଇଁ ରବିବାର ରାତିରେ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲା। ତେବେ କେବେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ, ସେ ନେଇ ଦଳ ପକ୍ଷରୁ କିଛି ନିଷ୍ପତ୍ତି ହୋଇନି।

୧୧୯ଟି ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭାରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଭାରତ ରାଷ୍ଟ୍ର ସମିତି ୩୯ଟି ଆସନ ଜିତିଛି। ସେହିପରି ୮ଟିରେ ବିଜେପି ଓ ୮ଟିରେ ଅନ୍ୟାନ୍ୟ ଦଳ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଠାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ୬୦ ରହିଥିବା ବେଳେ କଂଗ୍ରେସ ପାଖରେ ଏହି ସଂଖ୍ୟା ରହିଛି।

ମୁଖ୍ୟମନ୍ତ୍ରୀ ରେସ୍‌ରେ ସର୍ବାଗ୍ରେ ରହିଛି ତେଲଙ୍ଗାନା କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀଙ୍କ ନାଁ। ସେହିପରି ଭଟ୍ଟି ବିକ୍ରମାର୍କ ମାଲ୍ଲୁ ଓ ଉତ୍ତମ କୁମାର ରେଡ୍ଡୀଙ୍କ ନାଁ ମଧ୍ୟ ରେସ୍‌ରେ ଅଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ଥିଲେ ଭଟ୍ଟି ବିକ୍ରମାର୍କ ମାଲ୍ଲୁ। ନିର୍ବାଚନ ପୂର୍ବରୁ ସେ ୧୪୦୦ କିମି ପଦଯାତ୍ରା କରିଥିଲେ। ଉତ୍ତମ କୁମାର ରେଡ୍ଡୀ ପୂର୍ବରୁ ତେଲଙ୍ଗାନା କଂଗ୍ରେସ ସଭାପତି ଥିଲେ। ୨୦୨୧ରେ ରେବନ୍ଥ ରେଡ୍ଡୀ ତାଙ୍କଠାରୁ ଦାୟିତ୍ୱ ନେଇଥିଲେ। ତେବେ ଉତ୍ତମ କୁମାର ରେଡ୍ଡୀ ଏବେ ବି ରାଜ୍ୟର ଜଣେ ଲୋକପ୍ରିୟ ନେତା।   

ତେଲେଙ୍ଗାନା ରାଜ୍ୟ ଗଠନ ହେବାଠାରୁ ଏଠାରେ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ସରକାରରେ ଥିଲା। ଦଳ ଲଗାତାର ଦୁଇ ଥର ନିର୍ବାଚନ ଜିତିଥିଲା ଓ କେସିଆର ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହି ଆସିଥିଲେ। ସେ ଏଥର ହ୍ୟାଟ୍ରିକ୍ ମାରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ କଂଗ୍ରେସ ତାଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଛି। 

Congress Telengana Telengana Assembly Election