ବିଜେଡି ସରକାର ଅମଳରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ସବୁଠୁ ବଡ଼ ଜମି ଦୁର୍ନୀତି । ସବୁ ନିୟମକୁ ଫୁ’ କରି ଗୋଟିଏ ଶିକ୍ଷାନୁଷ୍ଠାନକୁ କିଭଳି ଭୁବନେଶ୍ୱରର ମୂଲ୍ୟବାନ ଶତାଧିକ ସରକାରୀ ଏକର ଜମି ଟେକି ଦିଆଯାଇଛି, ସେ ସଂକ୍ରାନ୍ତ ଦସ୍ତାବିଜ ‘ଓଡ଼ିଶା ରିପୋର୍ଟର’ ହାତରେ ଲାଗିଛି । ଏପରିକି ସିଏଜି(ମହାଲେଖାଗାର) ଏସବୁ ଅନିୟମିତତାକୁ ଧରି ୨୦୧୩-୧୪ ମସିହାରେ ଆପତ୍ତି ଉଠାଇଲେ, ବିଭିନ୍ନ ସଂଗଠନ ଓ ବ୍ୟକ୍ତବିଶେଷ ମଧ୍ୟ ଏଭଳି ଜମି ଜାଲିଆତି ନେଇ ବାରମ୍ବାର ଅଭିଯୋଗ କଲେ । ତଥାପି ତତକାଳୀନ ବିଜେଡି ସରକାର ସେସବୁକୁ ଖାତିର କଲେନି । ଚନ୍ଦକା ଶିଳ୍ପାଂଚଳରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ଥରେ କି ଦୁଇଥରରେ ନୁହେଁ ୩୦ଥରରେ ଟେକିଦେଇଛନ୍ତି ୧୦୮ ଏକରରୁ ଅଧିକ ଇଡକୋ ଜମି । ଏପରିକି ୨୦୦୯ ମସିହା ପରଠୁ ଏଠାରେ ଶିଳ୍ପାଂଚଳ ଜମି ଦରକୁ ମଧ୍ୟ ବଢ଼ାଯାଇନି । ଏତେ ପରିମାଣର ଶିଳ୍ପ ପାଇଁ ଉଦ୍ଦିଷ୍ଟ ଜମି ଇଡ୍କୋଠୁ ନେବା ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାଲିକଙ୍କ ‘ଜମି ହାତେଇବା ଲୋଭ’ରେ ପୂର୍ଣ୍ଣଚ୍ଛେଦ ପଡ଼ିନଥିଲା । ବରଂ ଚନ୍ଦକା ଶିଳ୍ପାଂଚଳ ଛାଡ଼ି ପଟିଆରେ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଆବାସିକ ଜମିକୁ ନେବାରେ ଏହି ସଂସ୍ଥା ସଫଳ ହୋଇଛି । ସଂସ୍ଥାର ମାଲିକ ନିଜେ ବିଜେଡିର ସାଂସଦ ହେବାପରେ ୨୦୧୯ରୁ ୨୦୨୪ ମସିହା ମଧ୍ୟରେ ତାଙ୍କ ସଂସ୍ଥା ନାଁରେ ୭ଟି ଦଫାରେ ପଟିଆର ୧୧.୩ ଏକର ଜମିକୁ ନିଜ ସଂସ୍ଥା ନାଁରେ କରାଇ ନେଇଛନ୍ତି ।
ନବୀନ ଶାସନ ଓ ଅଚ୍ୟୁତଙ୍କ ଜମି ଆହରଣ
ସ୍ୱଚ୍ଛ ଓ ପାରଦର୍ଶିତାର ଡିଣ୍ଡିମ ପିଟୁଥିବା ତତକାଳୀନ ନବୀନ ପଟ୍ଟନାୟକ ସରକାରରେ କିଭଳି ଏପରି ଅନିୟମିତତା ହେଲା ଏବଂ କିଏ ଏହି ଜମି ହାତେଇଛନ୍ତି ଜାଣିବାକୁ ଛାହୁଁଛନ୍ତି କି? ନବୀନ ପଟ୍ଟନାୟକ ସରକାରରେ ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ଅଚ୍ୟୁତ ସାମନ୍ତଙ୍କ ‘କିଟ୍’ ଶିକ୍ଷାନୁଷ୍ଠାନ ଏତେ ପରିମାଣର ସରକାରୀ ଜମି ହାତେଇଛି । ୧୯୯୭ ମସିହା ଅକ୍ଟୋବର ୧୮ତାରିଖରେ ନିଜ ସଂସ୍ଥା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍) ନାଁରେ ଇଡକୋଠୁ ଚନ୍ଦକା ଶିଳ୍ପାଂଚଳରେ ମାତ୍ର ଗୋଟିଏ ଏକର ଜମି(ପ୍ଲଟ/ସେଡ୍ -୨୭କ-୧ ) ଜମି ନେଇଥିବା ଅଚ୍ୟୁତ ସାମନ୍ତ ସରକାରୀ ଜମିକୁ ହାତେଇବା କଳା ଏଭଳି ଶିଖିଯାଇଥିଲେ ଯେ ସେ ଆଉ ପଛକୁ ଫେରିନାହାନ୍ତି । ୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିବା ପରେ ସେ ୨୦୦୧ ଜୁନ୍ ୨୭ତାରିଖରେ ପୁଣିଥରେ ୨ଏକର ଜମି ସେହି ଚନ୍ଦକା ଶିଳ୍ପାଂଚଳର ପ୍ଲଟ ନମ୍ବର (୨୦-କ)କୁ ହାତେଇଥିଲେ । ସେବେଠୁ ସରକାରୀ ଜମି ହାତେଇବା ଯେଭଳି ଅଚ୍ୟୁତଙ୍କ ନିଶା ପାଲଟିଯାଇଛି ଓ ବିଜେଡି ସରକାରର ପ୍ରଶାସନକୁ କଳବଳକୌଶଳରେ ନିଜ ସପକ୍ଷକୁ ନେଇ ଚନ୍ଦକା ଶିଳ୍ପାଂଚଳରେ ଗୋଟିଏ ପରେ ଗୋଟିଏ ମୋଟ ୩୦ଥରରେ ୧୦୮.୦୧୨ଏକର ଜମି ଇଡକୋଠୁ ନେଇଛନ୍ତି । ତେବେ ରାଜ୍ୟରେ ଏତେ ଶିକ୍ଷାନୁଷ୍ଠାନ(ଦେଶର ପ୍ରମୁଖ ସଂସ୍ଥା) କାର୍ଯ୍ୟରତ ଥିବା ସତ୍ତ୍ୱେ ତତକାଳୀନ ବିଜେଡି ସରକାର ସବୁ ଆଇନକାନୁନ ମୋଡ଼ମକଚି କେବଳ ଏହି ଗୋଟିଏ ସଂସ୍ଥାକୁ ଏତେ ପରିମାଣର ଜମି ଟେକି ଦେବା ପଛରେ ବଡ଼ଧରଣର ଜମି କେଳେଙ୍କାରୀକୁ ଇଙ୍ଗିତ କରୁଛି । ବିଜେଡି ସରକାରର ଏସବୁ ଅନିୟମିତତାକୁ ଏବେ ରାଜ୍ୟର କ୍ଷମତାସୀନ ବିଜେପି ସରକାର ଖୋଳତାଡ଼ କରିବେ ନା ପୂର୍ବ ସରକାରଙ୍କ ନୀତିକୁ ଅନୁସରଣ କରି ଚୁପ୍ ରହିବେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସିଏଜି ଓ ମୁଖ୍ୟ ସଚିବଙ୍କ ଆପତ୍ତି ସତ୍ତ୍ୱେ ଜମି ହସ୍ତାନ୍ତର
ଅଚ୍ୟୁତ ସାମନ୍ତଙ୍କ ‘କିଟ୍’ ସଂସ୍ଥାକୁ ବେଆଇନ ଭାବେ ଜମି ଦିଆଯାଉଥିବା ନେଇ ସିଏଜି ହିଁ ପ୍ରଥମେ ଆପତ୍ତି ଉଠାଇଥିଲେ । ୨୦୦୦ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଇଡକୋ ଦ୍ୱାରା ହୋଇଥିବା ଜମି ଆବଂଟନର ଅନିୟମିତତାକୁ ସିଏଜି ନିଜର ଅଡିଟରେ ଧରିବା ସହ କାହିଁକି ବେଆଇନ ଭାବେ ‘କିଟ୍’କୁ ଏତେ ପରିମାଣର ଜମି ଦିଆଯାଉଛି ବୋଲି ତତକାଳୀନ ସରକାରଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ସ ସରକାର ସେହିସବୁ ପ୍ରଶ୍ନର ଉତ୍ତର ଦେଲେ ନାହିଁ । ଯେଉଁଥିପାଇଁ ସିଏଜି ନିଜର ‘୨୦୧୨ ଆର୍ଥିକ ବର୍ଷ ଶେଷର’ ଅଡିଟ୍ ରପୋର୍ଟ ପ୍ରାୟ ଏକବର୍ଷ ବିଳମ୍ବରେ ବାଧ୍ୟ ହୋଇ ୨୦୧୪ ଜୁନ୍ ୨୩ତାରିଖରେ ବିଧାନସଭାରେ ଉପସ୍ଥାପନ କଲେ । ସିଏଜିଙ୍କ ଏହି ଅଡିଟ୍ ରିପୋର୍ଟ ପଦାକୁ ଆସିବା ପରେ ବର୍ତ୍ତମାନର ବିଜେପି(ସେବେ ବିରୋଧୀ ଦଳ) ଓ କଂଗ୍ରେସ ଏନେଇ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଏପରିକି ସିଏଜିଙ୍କ ରିପୋର୍ଟ ଆସିବା ପରେ ତତକାଳୀନ ମୁଖ୍ୟ ସଚିବ ଗୋକୁଳ ଚନ୍ଦ୍ର ପତି ମଧ୍ୟ ଇଡକୋ ନିଜ ଆଇନକୁ ଉଲ୍ଲଘଂନ କରି ୨୦୧୦ ଅକ୍ଟୋବରରେ କିଟ୍ ବିଶ୍ୱବିଦ୍ୟାଳୟକୁ ୧୪ଏକର ଜମି (ଜବରଦଖଲରେ ଥିବା)ଆବଂଟନ ପାଇଁ ନେଇଥିବା ନୀତିଗତ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଆଇନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗୋକୁଳଙ୍କ ଚାକିରି କାଳ ସରିବା ଓ ସିଏଜି ରିପୋର୍ଟକୁ ନେଇ ସବୁକିଛି ଥମିଯିବା ପରେ ଇଡକୋକୁ ହାତେଇ କିଟ୍ କର୍ତ୍ତୃପକ୍ଷ ପ୍ରାୟ ୪ବର୍ଷପରେ ଅର୍ଥାତ୍ ୨୦୧୮ ନଭେମ୍ବର ୯ତାରିଖରେ ଏହି ୧୪ଏକର ଜମି(ଜବରଦଖଲରେ ରଖିଥିଲେ)କୁ କିଟ୍ ପରିବର୍ତ୍ତେ ‘କିସ୍’ ନାଁରେ ହାତେଇବାରେ ସକ୍ଷମ ହୋଇଥିଲେ ।
କିଟ୍ ଜମି ଆବଂଟନ ଅନିୟମିତତା
ଇଡକୋର ୨୦୦୪ ଜାନୁୟାରୀ ଗାଇଡଲାଇନ୍ ଅନୁସାରେ ପ୍ରତ୍ୟେକ ଶିଳ୍ପାଂଚଳରେ ୨୦ ପ୍ରତିଶତ ଜମିକୁ ଶିକ୍ଷାନୁଷ୍ଠାନ ଓ ପ୍ରଫେସନାଲ ଅନୁଷ୍ଠାନ ପାଇଁ ସଂରକ୍ଷିତ ରଖାଯିବ । ଆଉ ଉପଲବ୍ଧ ଥିବା ଜମି ଓ ତା’ର ଦର ସମ୍ପର୍କରେ ଇଡକୋ କର୍ତ୍ତୃପକ୍ଷ ଖବରକାଗଜରେ ବିଜ୍ଞାପନ ଆକାରରେ ପ୍ରକାଶିତ କରିବେ । ଆଉ ଦୁଇ ପର୍ଯ୍ୟାୟ ବିଶିଷ୍ଟ ବିଡ଼ିଂ ପ୍ରକ୍ରିୟା ମାଧ୍ୟମରେ ହିତାଧିକାରୀ ଚୟନ କରାଯାଇ ଜମି ଆବଂଟନ ହେବ । କିନ୍ତୁ ଚନ୍ଦକା ଶିଳ୍ପାଂଚଳରେ କିଟ୍ ହିଁ ଏକମାତ୍ର ସଂସ୍ଥା ଯିଏ ସମଗ୍ର ଶିଳ୍ପାଂଚଳରେ ଶିକ୍ଷାନୁଷ୍ଠାନ ପାଇଁ ଉଦ୍ଦିଷ୍ଟ ସମସ୍ତ ଜମିକୁ ନିଜ ନାଁରେ କରାଇ ନେବାରେ ସକ୍ଷମ ହୋଇଛି । ଚନ୍ଦକା ଶିଳ୍ପାଂଚଳରେ ଇଡକୋ ଆବଂଟିତ କରିଥିବା ମୋଟ୍ ୪୭୯.୦୭୯ଏକର ଜମି ମଧ୍ୟରୁ କେବଳ କିଟ୍ ନେଇଛି ୧୦୮.୦୧୨ଏକର ଜମି ।
ସେହିପରି ଓଡ଼ିଶା ଜମି ଜବରଦଖଲ ପ୍ରତିରୋଧ ଆଇନ-୧୯୭୨(ଓପିଏଲଇ ଆକ୍ଟ) ଓ ଏହା ରୁଲସ-୭ର ପ୍ରାବଧାନ ଅନୁସାରେ ଯଦି ଜଣେ ବ୍ୟକ୍ତି ଜମିହୀନ ହୋଇନଥିବ ତା’ହେଲେ ସେ ଜବରଦଖଲରେ ରଖିଥିବା ଜମିକୁ ନିୟମିତ କରାଯାଇପାରିବ ନାହିଁ । ୨୦୧୦ ଜୁନ୍ ମାସରେ ମଧ୍ୟ ତତକାଳୀନ ମୁଖ୍ୟସଚିବ ଓ ୨୦୧୦ ନଭେମ୍ବର ମାସରେ ରାଜସ୍ୱ ବିଭାଗ ମଧ୍ୟ ଏଭଳି ଜବରଦଖଲରେ ଥିବା ଜମିକୁ ସରକାରଙ୍କ ବିନା ଅନୁମତିରେ ନିୟମିତ ନକରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଏପରିକି କୌଣସି ପ୍ରମୋଟର ଅବା ଶିଳ୍ପ ସଂସ୍ଥା ଦ୍ୱାରା ଜବରଦଖଲରେ ଥିବା ସରକାରୀ ଜମିକୁ ନିୟମିତ କରିବାର କ୍ଷମତା ଇଡକୋର ନାହିଁ । ତଥାପି ଇଡକୋ ନିର୍ଦ୍ଦେଶକମଣ୍ଡଳୀ ଓପିଏଲଇ ଆଇନକୁ ଉଲ୍ଲଘଂନ କରି କିଟ୍ ଜବରଦଖଲରେ ରଖିଥିବା ଚନ୍ଦକା ଶିଳ୍ପାଂଚଳର ମୋଟ ୧୬.୩୯୭ଏକର ଜମିକୁ ଦୁଇଟି ପର୍ଯ୍ୟାୟରେ (୨୦୦୫ ଏପ୍ରିଲରେ ୯.୮୦୯ଏକର ଓ ୨୦୦୯ ଜୁଲାଇରେ ୬.୫୮୮ଏକର ଜମି)କୁ ନିୟମିତକରଣ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ବେଆଇନ ଓ ଇଡକୋ କ୍ଷମତା ବର୍ହିଭୂତ କାର୍ଯ୍ୟ ଥିଲା ।
କିଟ୍ ପାଇଁ ଇଡକୋର ବେଆଇନ କାରବାର ଏତିକିରେ ସରିନଥିଲା । ୨୦୧୦ ଏପ୍ରିଲରେ କିଟ୍ ନିଜ ଜବରଦଖଲରେ ରଖିଥିବା ଚନ୍ଦକା ଶିଳ୍ପାଂଚଳର ୧୪ଏକର ଜମିକୁ ନେବା ନିମନ୍ତେ ଆବେଦନ କଲା । ଆଉ ଇଡକୋ ଜମି ଆଂବଟନ କମିଟି(ଏଲଏଏସି) ସେହି ଏପ୍ରିଲ ମାସରେ ଏଥିପାଇଁ ସମ୍ମତି ଦେଇ କିଟକୁ ଜମି ହସ୍ତାନ୍ତର ନିମନ୍ତେ ସୁପାରିଶ କଲେ ଓ ୨୦୧୦ ଅକ୍ଟୋବର ମାସରେ ଏହି ଜବରଦଖଲରେ ଥିବା ୧୪ଏକର ଜମିକୁ କିଟ୍ ସପକ୍ଷରେ ଇଡକୋ କର୍ତ୍ତୃପକ୍ଷ ନୀତିଗତ ଆବଂଟନ କଲେ । ଯଦିଓ ଇଡକୋ ନିର୍ଦ୍ଦେଶକମଣ୍ଡଳୀ ୨୦୦୪ ଏପ୍ରିଲ ମାସରେ ନିଜର ୬୫ତମ ବୈଠକରେ ଚନ୍ଦକା ଶିଳ୍ପାଂଚଳର କୌଣସି ଜବରଦଖଲରେ ଥିବା ଜମିକୁ ଯଦି ନିୟମିତକରଣ ନିମନ୍ତେ ‘କିଟ୍’ ଆବେଦନ କରେ ତାକୁ ଗ୍ରହଣ ନକରିବାକୁ ନୀତିଗତ ନିଷ୍ପତ୍ତି ନେଇଥିଲେ ।
ସାଧାରଣ ପ୍ରଶାସନ ବିଭାଗ ଆବାସିକ ଜମି
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଜର ସୁରକ୍ଷା ପାଇଁ ୨୦୧୮ ମସିହାରେ ବିଜେଡିରେ ସାମିଲ ହେଲେ । ତତକାଳୀନ ବିଜେଡି ସରକାରରେ ରହି ସାଧାରଣ ପ୍ରଶାସନର ଜମି ହାତେଇବାର ମାର୍ଗ ପ୍ରଶସ୍ତ କରିଥିଲେ । ଚନ୍ଦକା ଶିଳ୍ପାଂଚଳରୁ ଇଡକୋ ଜମି ହାତେଇବା ପରେ ତାଙ୍କ ନଜର ପଡ଼ିଥିଲା ପଟିଆର ଆବାସିକ ଅଂଚଳରେ ଥିବା ସାଧାରଣ ପ୍ରଶାସନ ବିଭାଗର ଜମି ଉପରେ । ଏପରିକି ସାଧାରଣ ପ୍ରଶାସନ ଜମିରେ ଥିବା ପୋଖରୀ(ଜଳାଶୟ)କୁ ମଧ୍ୟ ନେବାକୁ ପଛାଇନାହିଁ କିଟ୍ । ୨୦୧୯ ମସିହାରେ ୪ଟି ପର୍ଯ୍ୟାୟରେ ୫.୩୦୦ଏକର ଜମି ଓ ୨୦୨୧ ମସିହାରେ ୩ଟି ପର୍ଯ୍ୟାୟରେ ୬ଏକର ଜମିକୁ ନେଇଛି । ଏହି ଜମିରେ ନିଜ ସଂସ୍ଥାର ସମ୍ପ୍ରସାରଣ ଓ କର୍ମଚାରୀଙ୍କ ପାଇଁ ବାସଭବନ ନିର୍ମାଣ କରିବ ବୋଲି ଦର୍ଶାଇଛି । କିଟ୍ ପାଖରେ ଏତେ ପରିମାଣର ଇଡକୋ ଜମି ଥିବା ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ କାହିଁକି ଏତେ ପରିମାଣର ଜମି କିଟ୍କୁ ଟେକି ଦେଲେ ତାହା ସନ୍ଦେହଘେରରେ । ସାଧାରଣ ପ୍ରଶାସନ ବିଭାଗର ଜମି ଆବଂଟନ ପୂର୍ବରୁ ଯେଉଁ କିଛି ସର୍ତ୍ତାବଳୀ ରହିଛି ତାକୁ ‘କିଟ୍’ ପୂରଣ କରୁନଥିଲେ ମଧ୍ୟ ନବୀନ ସରକାର ସେସବୁକୁ ଆଖିବୁଜି ଦେଇଥିବା ଭଳି ପ୍ରତୀତ ହୋଇଛି ।
ବହୁ ଆଡ଼ମ୍ବରେ ଲଘୁ କ୍ରିୟା
କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରବର୍ତ୍ତୀ ଘଟଣାକୁ ନେଇ ଭାରତ-ନେପାଳ ସମ୍ପର୍କ ପ୍ରଭାବିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ନେପାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରାଇବାରେ କିଟ୍ କର୍ତ୍ତୃପକ୍ଷ ସଫଳ ହୋଇନାହାନ୍ତି । ଏପଟେ ବିଧାନସଭାରେ ଶୂନ୍ୟକାଳଠୁ ଆରମ୍ଭ କରି ମୁଲତବୀ ପ୍ରସ୍ତାବ ଆଲୋଚନା ମାଧ୍ୟମରେ ସବୁ ଦଳର ବିଧାୟକମାନେ ନିଜର ରୋଷ ବ୍ୟକ୍ତ କରୁଛନ୍ତି । ସାଧାରଣରେ ରହିଥିବା ଜନଆକ୍ରୋଶକୁ ପରଖି ବର୍ତ୍ତମାନର କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବ୍ୟକ୍ତିଗତ ହାଜିରା ହେବାକୁ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ନିର୍ଦ୍ଦେଶ ଦେଇଛି । ମାତ୍ର ଏସବୁ କେବଳ ଘଟଣାକୁ ପ୍ରଶମିତ ପାଇଁ ନହୋଇ ବାସ୍ତବରେ କିଟ୍ ଭଳି ଏକ ଘରୋଇ ଶିକ୍ଷାନୁଷ୍ଠାନ କିପରି ଏତେ ପରିମାଣର ସରକାରୀ ଜମି ହାତେଇଛି ଓ କାହିଁକି ସବୁ ନୀତିନିୟମକୁ ଫୁ’ କରାଯାଇଛି ତଥା ଏସବୁ ପାଇଁ କେଉଁ ଅଫିସର ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଅବଶ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କିଟ୍ ବିଶ୍ୱବିଦ୍ୟାଳୟ ଜମି ଆବଂଟନରେ ଯଦି ଜାଲିଆତି ହୋଇଥାଏ ତା’ର ତଦନ୍ତ କରାଯିବ ବୋଲି କହିଛନ୍ତି । କିନ୍ତୁ ଏସବୁ ଘଟଣା କେବଳ ବୟାନବାଜି ମଧ୍ୟରେ ସୀମିତ ନରହି ବାସ୍ତବ ତଥ୍ୟ ଓ ଅନିୟମିତତା ଲୋକଲୋଚନକୁ ଆସୁ ତଥା କିଟ୍ ବିଶ୍ୱବିଦ୍ୟାଳୟର ପରିଚାଳନାକୁ ସରକାର ନିଜ ନିୟନ୍ତ୍ରଣକୁ ନେଇ ଭବିଷ୍ୟତରେ ଏଭଳି ଅଭାବନୀୟ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇବାର ଆବଶ୍ୟକତା ରହିଛି ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି ।