Advertisment

ସରକାରୀ ଜମି ଦଖଲର ଅଚ୍ୟୁତ ଫଣ୍ଡା: ଲିଜ୍ ମିଳିଛି ଅନ୍ୟ କଂପାନିକୁ, କୋଠା କରୁଛି କିଟ୍

ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ରହିଛି। ପ୍ରଭାବଶାଳୀଙ୍କ ପାଖରେ ମୋଡ଼ି ମକଚି ଯାଉଛି।

Achyuta Samanta

Achyuta Samanta

Advertisment

କଳେବଳେ କୌଶଳେ ଆଗ ସରକାରୀ ଜାଗା ମାଡ଼ିବସି ସାମ୍ରାଜ୍ୟ ବିସ୍ତାର କର। ତା’ପରେ ଉପରେ ଫଳେପୁଷ୍ପେ ସନ୍ତୁଷ୍ଟ କରି ମାଡ଼ିବସିଥିବା ଜମିକୁ ଲିଗାଲାଇଜ୍ କରିନିଅ। କୁହାଯାଉଛି, ଇଏ କୁଆଡ଼େ ସରକାରୀ ଜମି ଜବରଦଖଲର 'ପ୍ରଭାବଶାଳୀ' ଫଣ୍ଡା! କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଶୈଳୀ ବି ଏମିତି କିଛି। ଏହାର ଅନେକ ଉଦାହରଣରୁ ଏଠାରେ ଗୋଟିକର ଉପସ୍ଥାପନା କରାଯାଉଛି। 

Advertisment

ଭୁବନେଶ୍ୱର ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ୪ଟି ପ୍ଲଟ- N/57, N/58, N/59 ଓ N-59/1 ଉପରେ ନିର୍ମାଣାଧୀନ ରହିଛି ଏକ ବିରାଟ କୋଠା। ଏହି ଜମିର ମୂଳ ମାଲିକ ହେଉଛି ଇଡକୋ। ଇଡକୋ ୱେବସାଇଟରୁ ଜଣାପଡୁଛି ଯେ ଏହି ୪ଟି ପ୍ଲଟର ଆକାର ହେଉଛି ୦.୮୨୧ ଏକର ବା ପ୍ରାୟ ୧ ଏକର। ଏଠାରେ ଏକ ସଫ୍ଟୱେୟର ଡେଭଲପମେଣ୍ଟ ୟୁନିଟ୍ ବସାଇବାକୁ ୨୦୧୧ ମସିହାରେ ଜମି ନେଇଥିଲା ପୁନେର ଏକ କମ୍ପାନି- ‘ଆଲାଏନ୍ସ କମ୍ପ୍ୟୁଟର ଟେଲିଫୋନି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ’। ସେହି ଫାର୍ମ ସେତେବେଳେ ମାତ୍ର ୨୦ ଲକ୍ଷ ୫୨ ହଜାର ଟଙ୍କା ଦେଇ ଲିଜ୍‌ ନେଇଥିଲା। ହେଲେ ଏବେ ଆଉ ଏହା କାର୍ଯ୍ୟ କରୁନାହିଁ ବୋଲି ୱେବସାଇଟରେ ଦର୍ଶାଯାଇଛି। ମାତ୍ର ସେଇ ଜମିରେ କିଟ୍ ନିଜର ବିଲ୍ଡିଂ କରୁଛି, ଯେଉଁଥିରେ ଏକ ଅଡିଟୋରିୟମ ବି ରହିଛି। 

ଇଡକୋର ବିଭାଗୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କିଟ୍ ଏପର୍ଯ୍ୟନ୍ତ ଏହି ଜମି ନିଜ ନାମକୁ ଟ୍ରାନ୍‌ସଫର କରିବାକୁ ଇଡକୋର ଅନୁମତି ନେଇନାହିଁ। ଅପରପକ୍ଷେ କାମ ଚାଲୁଥିବା ସ୍ଥଳରେ ରାଜମିସ୍ତ୍ରୀ, ସୁରକ୍ଷାକର୍ମୀ ମଧ୍ୟ ନିର୍ମାଣାଧୀନ ଏହି କୋଠା କିଟ୍‌ର ବୋଲି ସ୍ପଷ୍ଟ କରିଛନ୍ତି। ଏ ନେଇ ପୁନେ ସ୍ଥିତ ଆଲାଏନ୍ସ କମ୍ପ୍ୟୁଟର ଟେଲିଫୋନି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ସଂଜୟ ଅଗ୍ରଓ୍ବାଲଙ୍କୁ ମେଲ୍ କରିଥିଲୁ। ଏଥିସହ କିଟର ମୁଖ୍ୟ ଲୋକସଂପର୍କ ଅଧିକାରୀ ଶ୍ରଦ୍ଧାଞ୍ଜଳି ନାୟକଙ୍କୁ ବି ହ୍ବାଟସଆପ୍ ଯୋଗେ ପ୍ରତିକ୍ରିୟା ମାଗିଥିଲୁ। ମାତ୍ର କୌଣସି ପ୍ରତିକ୍ରିୟା ମିଳିନଥିଲା।

Advertisment

ଇଡକୋ ସାଇଟ୍‌କୁ ଗଲେ କିଟ୍ ଇତିମଧ୍ୟରେ ଇଡକୋରୁ ୨୭ ଥରରେ ପ୍ରାୟ ୮୪ ଏକର ସରକାରୀ ଜମି ଲିଜ୍‌ରେ ନେଇଥିବା ସ୍ପଷ୍ଟ ହୋଇଛି। ତେବେ ଆଲାଏନ୍ସ କମ୍ପ୍ୟୁଟର ଟେଲିଫୋନିର ଏହି ଜମିଟି ଏପର୍ଯ୍ୟନ୍ତ କିଟ୍ ନାମରେ ହୋଇପାରିନାହିଁ। କିଟ୍ ପୂର୍ବରୁ ଅନ୍ୟ କେତେକ ଶିଳ୍ପ ସଂସ୍ଥା ଭଳି ୧୬.୯୨ ଏକର ଇଡକୋ ଜମି ମାଡ଼ି ବସିଥିବାରୁ ତା’ର ଆବେଦନ ଗ୍ରହଣ ନ କରିବାକୁ IDCO ୨୦୦୪ରେ ନିଷ୍ପତ୍ତି ନେଇଥିଲା। ଜବରଦଖଲକାରୀଙ୍କ ଆବେଦନକୁ ନିୟମିତ କରିବା ପାଇଁ ବିଚାରକୁ ନ ନେବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ୨୦୧୧ ମସିହାରେ କିଟ୍ ଇଡକୋଠାରୁ ପ୍ରାୟ ୧୪ ଏକର ଜମି ବିଭିନ୍ନ ଶିଳ୍ପ ସଂସ୍ଥାଠାରୁ ଟ୍ରାନସଫର କରି ନେଇଥିଲା।

୨୦୧୪ରେ ସିଏଜି ଏଭଳି ଜବରଦଖଲ ବା ଅନିୟମିତତାକୁ ନିୟମିତ କରିବା ନେଇ ଆପତ୍ତି ଉଠାଇବା ସହ କିଟକୁ ବେଞ୍ଚମାର୍କ୍ ଭାଲ୍ୟୁଠାରୁ କମ୍ ରେଟରେ ଜମି ଦେଇ ଅଯଥା ୬୬.୨୫ କୋଟି ଟଙ୍କା ଫାଇଦା ଦିଆଯାଇଛି ବୋଲି ଦର୍ଶାଇଥିଲେ। କେବଳ ସେତିକି ନୁହେଁ, ଜିଏ ବା ସାଧାରଣ ପ୍ରଶାସନ ବିଭାଗରୁ ବି କିଟ୍ ପ୍ରାୟ ୧୧ ଏକର ଜମିକୁ ମାଡ଼ି ବସି ପରେ ତାକୁ ନିୟମିତ କରିନେବା ୨୦୧୩ରେ ଆରଟିଆଇ ଉତ୍ତରରୁ ଜଣାପଡ଼ିଥିଲା। କିସ୍ ପାଇଁ ପଥରଗାଡ଼ିଆ ଅଂଚଳରେ ୧୦ ଏକର ଜଙ୍ଗଲ ଜମି ମାଡ଼ି ବସି ତାକୁ ବି ପରେ ନିୟମିତ କରିବାରେ ସଫଳ ହୋଇଥିଲା। ଏଥିରୁ ଜଣାପଡ଼ୁଛି, ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ରହିଛି। ପ୍ରଭାବଶାଳୀଙ୍କ ପାଖରେ ମୋଡ଼ି ମକଚି ଯାଉଛି। 

KIIT Bhubaneshwar Achyuta Samanta
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe