Advertisment

ଅଡ଼ୁଆରେ କିଟ୍ : ସରକାରୀ ଜମି ଜବରଦଖଲର ପୁଣି ମିଳିତ ଯାଂଚ ନିର୍ଦ୍ଦେଶ, ସନ୍ଦେହଘେରରେ କ୍ୟାମ୍ପସ ଜମିର ବୈଧତା

ଭୁବନେଶ୍ୱର ତହସିଲଦାର ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ମେ’ ୨୯ତାରିଖରେ ମିଳିତ ଯାଂଚ କରିଥିବା ସତ୍ତ୍ୱେ ଭୁବନେଶ୍ୱର ତହସିଲଦାର ତାଙ୍କ ରିପୋର୍ଟରେ ଜଣାଇଛନ୍ତି ଯେ , ଜିଏ ବିଭାଗ ଏବଂ ଇଡକୋର କ୍ଷେତ୍ର ଅଧିକାରୀମାନଙ୍କ ସହ ମିଳିତ ଯାଂଚ ଓ ମାପଚୁପ ବିନା କିଟ୍ ଓ କିସ୍ ଦ୍ୱାରା କେତେ ଜମି ଜବରଦଖଲ କରାଯାଇଛି, ତା’ର ସଠିକ ପରିମାଣ ଆକଳନ କରାଯିବା ସମ୍ଭବପର ନୁହେଁ ।

author-image
Ordigital Desk
KIIT

KIIT

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପାଇଁ ଅଡ଼ୁଆ ବଢ଼ିଛି । ପୁଳାପୁଳା ସରକାରୀ ଜମିକୁ ଜବରଦଖଲ କରି ସେଥିରେ ଶିକ୍ଷାନୁଷ୍ଠାନ ଗଢ଼ି ବ୍ୟବସାୟିକ ସାମ୍ରାଜ୍ୟ ବଢ଼ାଇବା ଏବେ ଅଚ୍ୟୁତଙ୍କ ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି । କିଟ୍ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ପରିସରରେ ଜବରଦଖଲ ଜମିରେ କୋଠା ନିର୍ମାଣ ହୋଇଥିବା ପ୍ରାରମ୍ଭିକ ସନ୍ଦେହ ଉପୁଜିବା ପରେ ସାଧାରଣ ପ୍ରଶାସନ ବିଭାଗ ଓ ଇଡକୋ ଦ୍ୱାରା ମିଳିତ ଭାବେ ବିସ୍ତୃତ ଯାଂଚ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱର ତହସିଲଦାର ଓ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କ ମିଳିତ ଯାଂଚରେ ଏହି ଜମିର ମାଲିକାନାର ବୈଧତାକୁ ନେଇ ସନ୍ଦେହ ଉପୁଜିବା ପରେ ସେମାନେ ଦେଇଥିବା ରିପୋର୍ଟ ଆଧାରରେ ଭୁବନେଶ୍ୱର ପୁଲିସ ଡିସିପିଙ୍କୁ ଚିଠି ଲେଖି ଭୁବନେଶ୍ୱର ଉପଜିଲ୍ଲାପାଳ ଅନୁରୂପ ପରାମର୍ଶ ଦେଇଛନ୍ତି । ଆଉ ଯାହାକୁ ଆଧାର କରି ପୁଲିସ କମିଶନର ଜୁଲାଇ ୨ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଆଉ ଏହାପରେ ଗୃହ ବିଭାଗର ଅତିରକ୍ତ ସଚିବ ନିବେଦିତା ପୃଷ୍ଟି କିଟ୍ ଓ କିସ୍ ଦ୍ୱାରା ସରକାରୀ ଜମି ଜବରଦଖଲର ମିଳିତ ଯାଂଚ ପାଇଁ  ସାଧାରଣ ପ୍ରଶାସନ ବିଭାଗ, ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଇଡକୋ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

Advertisment

ପଥରଗାଡ଼ିଆ ଓ ପଟିଆ ମୌଜାରେ ଜବରଦଖଲ ଓ ଯାଂଚ

ଭୁବନେଶ୍ୱର ଉପଜିଲ୍ଲାପାଳ ଜୁନ୍ ୧୭ତାରିଖରେ ଭୁବନେଶ୍ୱର ପୁଲିସ ଡିସିପିଙ୍କୁ ଦେଇଥିବା ରିପୋର୍ଟ ଅନୁସାରେ, ଭୁବନେଶ୍ୱର ତହସିଲଦାର ଓ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କ ମିଳିତ ଟିମ୍ ମେ’ ୨୯ତାରିଖରେ କିଟ୍ ଓ କିସ୍ ଦ୍ୱାରା ଜବରଦଖଲ କରାଯାଇଥିବା ନେଇ ଇନଫୋସିଟି ଥାନାରେ ଗତ ମାର୍ଚ୍ଚ ୧୨ ଓ ୨୨ତାରିଖରେ ଦାଖଲ ଦୁଇଟି ଏଫଆଇଆର ଆଧାରରେ ଯାଂଚ କରିଥିଲେ । ଏହି ମିଳିତ ଯାଂଚବେଳେ ଉକ୍ତ ଟିମ୍ ପଥରଗାଡ଼ିଆ ଓ ପଟିଆ ମୌଜାରେ କିଟ୍ ଓ କିସ୍ ଦ୍ୱାରା ଉପଯୋଗ ହେଉଥିବା ଜମିଗୁଡ଼ିକର ବୈଧତା ଓ ମାଲିକାନା ଯାଂଚ କରିଥିଲେ ।

ପଥରଗାଡ଼ିଆ ମୌଜାର କିସ୍ ବିଶ୍ୱବିଦ୍ୟାଳୟ ପରିସର ଓ ପାଶ୍ୱର୍ରେ ‘ଜଙ୍ଗଲ’ କିସମର ଜମିର ଅନେକ ପ୍ଲଟ୍ (୧୬୯୭, ୧୬୯୮, ୧୬୯୯, ୧୭୦୦, ୧୭୦୧, ୧୭୦୨, ୧୭୦୩, ୧୭୦୪, ୧୭୦୫, ୧୭୦୬, ୧୭୦୭) ରହିଛି, ଯେଉଁଥିରେ ପାଚେରୀ ନିର୍ମାଣ ହୋଇଛି ଓ ଏହା କିଟ୍ ଜଗନ୍ନାଥ ମନ୍ଦିରର ‘ପାର୍କିଂ ସ୍ଥଳୀ ଓ ‘ରଥ ଖଳା’ ଭାବେ ବ୍ୟବହୃତ ହେଉଛି । ଯଦିଓ ଏହି ପ୍ଲଟଗୁଡ଼ିକ ପୂର୍ବରୁ ‘ୱେଷ୍ଟ ଲ୍ୟାଣ୍ଡ ଲିଜ୍‌’ ସହିତ ଜଡ଼ିତ ବୋଲି କୁହାଯାଉଛି, କିନ୍ତୁ ଏହାର ବୈଧତାର ଅଧିକ ତଦନ୍ତର ଆବଶ୍ୟକତା ରହିଥିବା ମିଳିତ ଟିମ୍ ଜଣାଇଛନ୍ତି । କେବଳ ସେତିକି ନୁହେଁ ପଥରଗଡ଼ିଆ ମୌଜାସ୍ଥିତ କିସ୍ ମୁଖ୍ୟ ଗେଟ୍ ସାମ୍ନାରେ ଥିବା ପ୍ଲଟ ନମ୍ବର-୧୬୯୨, ୧୬୯୩, ୧୬୯୪ ଓ ୧୬୯୫ ଜଙ୍ଗଲ ଜମି କିସମର ହୋଇଥିଲେ ମଧ୍ୟ ତା’ଉପରେ ପେଭର ପକାଯାଇ ଏହାକୁ ଆଉ ଏକ ପାର୍କିଂସ୍ଥଳୀ ଭାବେ ଉପଯୋଗ କରାଯାଉଥିବା ଟିମ୍ ଜାଣିବାକୁ ପାଇଛି । ତେବେ ପଥରଗାଡ଼ିଆର ପ୍ଲଟ୍ ନମ୍ବର-୧୭୦୮ ଏବେବି ବୀଣାପାଣି ବେହେରାଙ୍କ ନାମରେ ଅଛି ଓ ଉକ୍ତ ପ୍ଲଟକୁ ସଂଯୋଗ କରୁଥିବା ପ୍ଲଟ ନମ୍ବର-୧୭୧୨ ଯାହାକି ରାସ୍ତା ଭାବେ ଉପଯୋଗ ହେଉଛି, ବାସ୍ତବରେ ଏହା ଜଙ୍ଗଲକିସମର ବୋଲି ଉପଜିଲ୍ଲାପାଳ ଚିଠି ଲେଖି ଅବଗତ କରାଇଛନ୍ତି ।

Advertisment

ସେହିପରି ପଟିିଆ ମୌଜାରେ ଥିବା ସାଧାରଣ ପ୍ରଶାସନ ବିଭାଗ(ଜିଏ)ର ପ୍ଲଟ୍ ନମ୍ବର ୩୧୯ ଓ ୩୨୦ରେ କିଟ୍ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ରହିଛି, ଯେଉଁଠି ଷ୍ଟାଡ଼ିୟମ ଓ ପ୍ରମୁଖ ଅନୁଷ୍ଠାନ ଅଛି । ଜିଏ ବିଭାଗର ପ୍ଲଟ୍ ନମ୍ବର-୩୧୯ର ମୋଟ ଏରିଆ ପରିମାଣ ହେଉଛି ୮ଏକର ୬୩୦ଡିସିମିଲ। ଏଥିରୁ ୪.୭୦୦ଏକର ଜମିକୁ ଜିଏ ବିଭାଗ  ଦ୍ୱାରା କିଟ ବିଶ୍ୱବିଦ୍ୟାଳୟକୁ ଲିଜ୍ ସୂତ୍ରରେ ଦିଆଯାଇଥିବା ଜଣାପଡ଼ିଛି । ମାତ୍ର ଏଠାରେ ଥିବା ବାକି ଜମିକୁ କିଟ୍ କର୍ତ୍ତୃପକ୍ଷ କିଭଳି ଦଖଲରେ ରଖିଛନ୍ତି ତାହା କେବଳ ଜିଏ ବିଭାଗ ଓ ଇଡକୋର ମିଳିତ ଯାଂଚ ପରେ ହିଁ ପଦାକୁ ଆସିପାରିବ ବୋଲି ତହସିଲଦାର ଓ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କ ମିଳିତ ଟିମ୍ ଦେଇଥିବା ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ଜଣାଇଛନ୍ତି ।

ଏହି ଟିମ୍ ଜାଣିବାକୁ ପାଇଛନ୍ତି ଯେ, କିସ୍ ପୂର୍ବରୁ ୧୮.୧୦୦ ଏକର ଜମିକୁ ଜବରଦଖଲରେ ରଖିଥିଲା । ଯେଉଁଥିରୁ ୮.୧୦୦ଏକର ଜମି(କେସ୍ ନମ୍ବର ୬୪୧/୨୦୧୧)କୁ ଜବରଦଖଲମୁକ୍ତ କରାଯାଇ ସରକାରଙ୍କ ଅଧୀନକୁ ଫେରାଇ ଅଣାଯାଇଛି । ଅବଶିଷ୍ଟ ୧୦ଏକର ଜମି ‘ଜଙ୍ଗଲ କିସମ’ର ହୋଇଥିବାବେଳେ ତାକୁ କିସ୍ ସପକ୍ଷରେ ପ୍ରଦାନ ନିମନ୍ତେ ଜଙ୍ଗଲ କିସମ ପରିବର୍ତ୍ତନର ଦ୍ୱିତୀୟ ପର୍ଯ୍ୟାୟ ଅନୁମୋଦନ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଦ୍ୱାରା ୨୦୨୪ ଫେବୃୟାରୀରେ ଦିଆଯାଇଛି ବୋଲି ପୁଲିସ ଡିସିପିଙ୍କୁ ଭୁବନେଶ୍ୱର ଉପଜିଲ୍ଲାପାଳ ଅବଗତ କରାଇଛନ୍ତି । ଅବଶ୍ୟ ଏହି ଜଙ୍ଗଲ ଜମି କିସମ ପରିବର୍ତ୍ତନକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ୨୦୨୪ ଜୁନ୍ ମାସରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା କଥାକୁ ଉପଜିଲ୍ଲାପାଳ ଉଲ୍ଲେଖ କରିନଥିବା ଜଣାପଡ଼ିଛି ।

କାହିଁକି ଅଧିକ ଯାଂଚ ଓ ଖୋଳତାଡ଼ ଜରୁରୀ

ଭୁବନେଶ୍ୱର ତହସିଲଦାର ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ମେ’ ୨୯ତାରିଖରେ ମିଳିତ ଯାଂଚ କରିଥିବା ସତ୍ତ୍ୱେ ଭୁବନେଶ୍ୱର ତହସିଲଦାର ତାଙ୍କ ରିପୋର୍ଟରେ ଜଣାଇଛନ୍ତି ଯେ , ଜିଏ ବିଭାଗ ଏବଂ ଇଡକୋର କ୍ଷେତ୍ର ଅଧିକାରୀମାନଙ୍କ ସହ ମିଳିତ ଯାଂଚ ଓ ମାପଚୁପ ବିନା କିଟ୍ ଓ କିସ୍ ଦ୍ୱାରା କେତେ ଜମି ଜବରଦଖଲ କରାଯାଇଛି, ତା’ର ସଠିକ ପରିମାଣ ଆକଳନ କରାଯିବା ସମ୍ଭବପର ନୁହେଁ ।

ଇନଫୋସିଟି ଥାନାରେ ହୋଇଥିଲା ଅଭିଯୋଗ

କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଜଙ୍ଗଲ ଜମି ଜବରଦଖଲ ସହ କେତେକ ବ୍ୟକ୍ତିଙ୍କ ଜମିକୁ ଜବରଦସ୍ତି ଦଖଲ କରି ବେଆଇନ ନିର୍ମାଣ କରାଯାଇଥିବା ନେଇ ଇନଫୋସିଟି ଥାନାରେ ୨୦୨୫ ମାର୍ଚ୍ଚ ୧୨ ଓ ୨୨ତାରିଖରେ ଦୁଇଟି ଏଫଆଇଆର ରୁଜୁ ହୋଇଥିଲା । ଯାହାର ତଦନ୍ତ ପାଇଁ ପୁଲିସ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ାଯାଇଥିଲା । ଭୁବନେଶ୍ୱର ପୁଲିସ ଦ୍ୱାର ଏପ୍ରିଲ ୨୭, ମେ’ ୨୪ ଓ ମେ’ ୩୧ତାରିଖରେ ଏହି ଜମିଗୁଡ଼ିକର ପ୍ରକୃତ ମାଲିକାନା ଯାଂଚ ନିମନ୍ତେ ଜିଲ୍ଲାପାଳଙ୍କୁ କରାଯାଇଥିବା ଅନୁରୋଧ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଦ୍ୱାରା ଭୁବନେଶ୍ୱର ତହସିଲଦାର ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ନେଇ ଏକ ମିଳିତ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ମେ’ ୨୯ତାରିଖରେ ଉଭୟ ପଥରଗାଡ଼ିଆ ଓ ପଟିଆ ମୌଜାକୁ ଯାଇ କିଟ୍ ଓ କିସ୍ ଦ୍ୱାରା ଜବରଦଖଲରେ ଥିବା ଜମିକୁ ଯାଂଚ କରିବା ପରେ ନିଜର ରିପୋର୍ଟ ଦାଖଲ କରିଛନ୍ତି ।

KIIT Bhubaneshwar