ଅଡ଼ୁଆରେ କିସ୍ : ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲାପାଳ ଦେବେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ

୨୦୧୭ ଜୁଲାଇ ୬ତାରିଖରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ଯେଉଁ ରିପୋର୍ଟ ଓ ସୁପାରିଶ କରିଥିଲେ ତା’ର ଅନୁପାଳନ କାହିଁକି ହୋଇନି ସେ ନେଇ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିବେ ।

KISS

କିସ୍

Ordigital Desk
  • Published: Friday, 28 March 2025
  • , Updated: 28 March 2025, 08:32 AM IST

ପ୍ରଶାସନକୁ ନିଜ ମର୍ଜିରେ ଚଳାଇବା ଏବେ କିସ୍ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି । ପୁଳାପୁଳା ଅଭିଯୋଗ ପରେ ଶେଷରେ କିସ୍ ବିରୁଦ୍ଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳ, ୟୁଜିସି ଓ ନାକ୍ ଅଧ୍ୟକ୍ଷଙ୍କୁ ଗୁରୁବାର ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ଜୁଲାଇ ୬ତାରିଖରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ଯେଉଁ ରିପୋର୍ଟ ଓ ସୁପାରିଶ କରିଥିଲେ ତା’ର ଅନୁପାଳନ କାହିଁକି ହୋଇନି ସେ ନେଇ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିବେ । କିସ୍ ପରିସରରେ ଛାତ୍ରଛାତ୍ରୀମାନେ ଅପରିଷ୍କାର ପରିବେଶରେ ରହୁଥିବା ନେଇ ସିଡବ୍ଲ୍ୟୁସି ନିଜର ଯାଂଚ ରିପୋର୍ଟ ଦେବା ସହ ଯୁଗ୍ମ କମିଟି ଦ୍ୱାରା ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ମାତ୍ର ଇତିମଧ୍ୟରେ ୮ବର୍ଷ ବିତିଯାଇଥିଲେ ମଧ୍ୟ ତଦନ୍ତ ତ ଦୂରର କଥା କିସ୍ କ୍ୟାମ୍ପସରେ ସ୍ଥିତି ଅନୁରୂପ ରହିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ,  ଆୟୋଗ ଗୁରୁବାର କିସ୍ ଘଟଣାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ୪ସପ୍ତାହ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ୨୦୧୭ ମସିହାରେ ସିଡବ୍ଲ୍ୟୁସିଙ୍କ ରିପୋର୍ଟକୁ ଅନୁପାଳନ ନକରାଯିବା ଉପରେ ସ୍ପଷ୍ଟୀକରଣ ଦେବା ପାଇଁ ମଧ୍ୟ ତାଗିଦ୍ କରିଛନ୍ତି । ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି)ଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରେ ମାର୍ଚ୍ଚ ୬ରୁ ୮ତାରିଖ ପର୍ଯ୍ୟନ୍ତ ସରଜମିନ୍ ତଦନ୍ତ କରିଥିବା ୩ଜଣିଆ ଟିମ୍ ‘କିସ୍‌’ କ୍ୟାମ୍ପସକୁ ଯାଇ ଏବେବି ସେଠାରେ ଖରାପ ସ୍ଥିତି ରହିଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ମାର୍ଚ୍ଚ ୮ତାରିଖରେ କିସ୍ କ୍ୟାମ୍ପସକୁ ଯାଇ ଏହି କମିଟି ସ୍ଥିତି ଅନୁଧ୍ୟାନ କରିବା ପରେ ନିଜର ରିପୋର୍ଟ ଦାଖଲ କରିଥିଲେ । କିସ୍ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଉଭୟ ଆଜି ମଧ୍ୟ ସିଡବ୍ଲ୍ୟୁସିଙ୍କ ସୁପାରିଶ ପାଳନ କରିନାହାନ୍ତି ।

୨୦୧୭ ମସିହାରେ ସିଡବ୍ଲ୍ୟୁସି ଦେଇଥିବା ରିପୋର୍ଟରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ)ରେ ପିଲାମାନେ ଖରାପ ସ୍ଥିତିରେ ରହୁଥିବା, ଅତ୍ୟଧିକ ଭିଡ଼, ଅପରିଷ୍କାର ଓ ମୌଳିକ ସୁବିଧାର ଅଭାବ ନେଇ ଉଲ୍ଲେଖ କରିଥିଲେ । ଏପରିକି କିସ୍ କ୍ୟାମ୍ପସରେ ହଜାର ହଜାର ସଂଖ୍ୟକ ପିଲା ରହୁଥିଲେ ମଧ୍ୟ ସେଠାରେ ଜୁଭେନାଇଲ ଜଷ୍ଟିସ ଆକ୍ଟ-୨୦୧୫ର ଉଲ୍ଲଘଂନର ଅଭିଯୋଗ ହୋଇଆସୁଛି । କିସ୍ କର୍ତ୍ତୃପକ୍ଷ ଏହି ଆକ୍ଟର ଉଲ୍ଳଘଂନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ଯୁଗ୍ମ ତଦନ୍ତ କମିଟି ଗଠନ ନିମନ୍ତେ ସିଡବ୍ଲ୍ୟୁସି ସୁପାରିଶ କରିଥିଲେ ।

ଆୟୋଗଙ୍କ ତଦନ୍ତକାରୀ ଟିମ୍ ମଧ୍ୟ କିସ୍ ପରିସରରେ ସ୍ଥିତିରେ ସୁଧାର ଆସିନାହିଁ ବୋଲି ଅନୁଭବ କରିଥିବା ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଛାତ୍ରଙ୍କ ସୁରକ୍ଷା ଓ ଅଧିକାର ପ୍ରଦାନରେ କିସ୍ ବିଫଳ ହୋଇଛି । ତେଣୁ ନାକ୍ ଅଧ୍ୟକ୍ଷ ଏହାକୁ ମାନ୍ୟତା ପ୍ରକ୍ରିୟାରେ ବିଚାର କରିବା ଉଚିତ୍ ବୋଲି ଆୟୋଗ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, କିସ୍ ବିରୁଦ୍ଧରେ ଆଦିବାସୀ ଶିଶୁମାନଙ୍କୁ ଶୋଷଣ, ମାନବାଧିକାର ଉଲ୍ଲଘଂନ, ଅବୈଧ ଜମି ଅଧିଗ୍ରହଣର ଅଭିଯୋଗ ରହିଥିଲା । ଏପରିକି ଆୟୋଗଙ୍କ ତଦନ୍ତ ଟିମ୍ ଭୁବନେଶ୍ୱରରେ ସରଜମିନ୍ ଯାଂଚ କରୁଥିବାବେଳେ ତାଙ୍କୁ ବିଭିନ୍ନ ବର୍ଗର ଲୋକେ ଭେଟି କିସ୍ ଦ୍ୱାରା ସେମାନେ କିଭଳି କ୍ଷତିଗ୍ରସ୍ତ ହୋଇଛନ୍ତି ତା’ର କଳା ଚିଠା ରଖିଥିଲେ ।

ଗତ ସପ୍ତାହରେ ରାଜ୍ୟ ଅନୁସୂଚିତ ଜାତି-ଜନଜାତି ଓ ପଛୁଆ ବର୍ଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କିସରେ ୩୦ହଜାର ଆଦିବାସୀ ପିଲା ପାଠ ପଢ଼ୁଛନ୍ତି ବୋଲି ବିଧାନସଭାରେ ସୂଚନା ଦେଇଥିଲେ ।

 

Related story