Advertisment

ଆସିଲେନି ବିରୋଧୀ ବିଧାୟକ: ଗୃହରେ ହଙ୍ଗାମା ନକରିବାକୁ ନୂଆ ବିଧାୟକମାନଙ୍କୁ ପରାମର୍ଶ ଦେଲେ କିରେନ୍ ରିଜୁ

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବିଧାୟକମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଜ୍ଞାନସଂସ୍କାର’ର ଉଦଘାଟନକୁ ବିରୋଧ କରି ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଅନୁପସ୍ଥିତ ରହିଥିଲେ ।

 BJP

BJP

Advertisment

ବିଧାନସଭା କିମ୍ବା ସଂସଦରେ ହଙ୍ଗାମା କଲେ ଖବରର ଶିରୋନାମା ପାଲଟିବେ କିନ୍ତୁ ଲମ୍ବା ରାଜନୀତିକ କ୍ୟାରିୟର ସୁନିଶ୍ଚିତ କରିପାରିବେ ନାହିଁ । ଜଣେ ବିଧାୟକ ଅବା ସାଂସଦଙ୍କୁ ଉତ୍ତମ ଆଚରଣ ଓ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ଆହରଣ କରିବାର ଆବଶ୍ୟକତା ରହିଛି । ଏହା ହିଁ ସେମାନଙ୍କର ପ୍ରଦର୍ଶନକୁ ପ୍ରଭାବଶାଳୀ କରାଇବାରେ ସହାୟକ ହେବ। ଗୃହରେ ହଙ୍ଗାମା କରି ମିନିଟ୍ ଅବା ଦୁଇ ମିନିଟ୍ ପାଇଁ ଖବରରେ ରହିବେ କିନ୍ତୁ ଲମ୍ବା କ୍ୟାରିୟରରେ ଏହା ସହାୟକ ହେବନି।

Advertisment

ଆଜି ଏଭଳି ଢଙ୍ଗରେ ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜୁ । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବିଧାୟକମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଜ୍ଞାନସଂସ୍କାର’ର ଉଦଘାଟନକୁ ବିରୋଧ କରି ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଅନୁପସ୍ଥିତ ରହିଥିଲେ । ବିଧାନସଭା ଇତିହାସରେ ଏଭଳି କାର୍ଯ୍ୟକ୍ରମକୁ ଦୁଇଟି ବିରୋଧୀ ଦଳ ବିରୋଧ କରି ଅନୁପସ୍ଥିତ ରହିବା ଘଟଣା ପ୍ରଥମ ବୋଲି ଜଣାପଡ଼ିଛି । ତେବେ ଏହି କାର୍ଯ୍ୟକ୍ରମରେ ଆଜି ଅତିଥି ଥିବା ବିଜେଡିର ଦୁଇ ନେତା ପ୍ରଫୁଲ୍ଲ ଘଡ଼େଇ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଅନୁପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥତା ଦର୍ଶାଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ବୋଲି ସୂଚନା ମିଳିଛି ।

ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଧାନସଭା ପରିସରରେ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜୁ ଉଦଘାଟନ କରିଥିଲେ ।

Advertisment

ଶ୍ରୀ ରିଜୁ ବିଧାୟକମାନଙ୍କୁ ଶୃଙ୍ଖଳା,ସଂଯମତା ଓ କଠିନ ପରିଶ୍ରମ କରିବା ସହ ଗୃହର ମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ସେ ନୂଆ ବିଧାୟକମାନଙ୍କୁ କିଛି ଶିଖାଇବା ପାଇଁ ଏଠାକୁ ଆସିନାହାନ୍ତି ବରଂ ସଂସଦରେ ଜଣେ ସଦସ୍ୟ ଭାବେ ତାଙ୍କର ଅଭିଜ୍ଞତା ସମ୍ପର୍କରେ ଅବଗତ କରାଇବାକୁ ଚାହୁଁଛନ୍ତି । ଏଠାରେ ବହୁ ସଂଖ୍ୟାରେ ଯୁବ ଓ ଅଭିଜ୍ଞ ସଦସ୍ୟମାନଙ୍କ ସମ୍ମିଳିତ ଥିବା ଦେଖି ଖୁସି ଲାଗୁଛି ବୋଲି କହିଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ନିର୍ବାଚିତ ବିଧାୟକ-ବିଧାୟିକାମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛନ୍ତି ସମ୍ବିଧାନ ଭିତରେ ବାନ୍ଧି ହୋଇ ପ୍ରଦତ୍ତ କ୍ଷମତାର ସଦୁପଯୋଗ କରି ମତଦାତାମାନଙ୍କର ଆଶା ଓ ଭରସାକୁ ନିଷ୍ଠାପର ଭାବେ କର୍ମକରି ସେବା ମଶଧ୍ୟମରେ ପୂରଣ କରିବା ପାଇଁ ଚେଷ୍ଟା କରିବା ତଥା ସେମାନଙ୍କର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା । କାରଣ ସାଧାରଣ ଲୋକଙ୍କ ମତରେ ‘ଜଣେ ଜନପ୍ରତିନିଧି ଉପଯୁକ୍ତ ସ୍ଥାନରେ ରହି ଦେଶ ଓ ରାଜ୍ୟର ସେବାରେ ବ୍ରତୀ ହେବାପାଇଁ ସୁଯୋଗ ପାଉ ଓ ଶାସନ ପରିଚାଳନା ଲୋକାଭିମୁଖୀ ହେଉ ।

ବାଚସ୍ପତି ସୁରମା ପାଢ଼ୀ  ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ବିଧାୟକମାନଙ୍କ ସହ ଭାବ ବିନିମୟ କରିଥିଲେ ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ଦ୍ୱାରା ବିଧାନସଭାର ଗାରିମା ନଷ୍ଟ ହୋଇଛି ବୋଲି ଅଭିଯୋଗ କରିଛନ୍ତି । ସେଥିପାଇଁ ବିଜେଡି ବିଧାୟକମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି । ଦଳର ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ଆସନ୍ତା ୨୫ତାରିଖରେ ଶଙ୍ଖଭବନରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ବିଜେଡିର ସମସ୍ତ ବିଧାୟକଙ୍କ ପାଇଁ ଏହି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି, କଂଗ୍ରେସର ମୁଖ୍ୟ ସଚେତକ ସିଏସ ରାଜନ ଏକ୍କା କହିଛନ୍ତି ଯେ, ତାଙ୍କ ଦଳ କୌଣସି ବ୍ୟକ୍ତିଙ୍କୁ ବିରୋଧ କରୁନି । ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଅତିଥି କରାଯାଇ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟନ କରାଯିବା ପ୍ରୋଟୋକଲର ଉଲ୍ଲଘଂନ । ତେଣୁ ଦଳର ବିଧାୟକମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି ।

ସୂଚନାଯୋଗ୍ୟ, ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବା ପାଇଁ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ନାଁ ରହିଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ରହିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଆଜିର କାର୍ଯ୍ୟକ୍ରମକୁ ଆସି ନଥିଲେ । ଆସନ୍ତାକାଲି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କାର୍ଯ୍ୟସୂଚୀରେ ଉଲ୍ଲେଖ ଥିବାବେଳେ ସେ ମଧ୍ୟ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe