Advertisment

କୋଶଲି ଭାଷା ପାଇଁ ଜୋରଦାର ଆନ୍ଦୋଳନ: ବିଜେପି ଓ କଂଗ୍ରେସ ବିଧାୟକଙ୍କ ସମର୍ଥନ

ଡିସେମ୍ବର ୨୨ ତାରିଖ ବରଗଡ଼ ଜିଲ୍ଲା ନୃସିଂହନାଥ ମନ୍ଦିରରୁ ଭାଷା ସଂସ୍କୃତି ସ୍ୱାଭିମାନ ଶୋଭାଯାତ୍ରା ବାହାରିଥିଲା।

ଅଦ୍ୟତନ ହୋଇଛି
BJP

BJP

Advertisment

ପଶ୍ଚିମ ଓଡ଼ିଶାରେ ଜୋରଦାର ହୋଇଛି ଭାଷା ଆନ୍ଦୋଳନ। ସମ୍ବଲପୁରୀ କୋଶଲି ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ପଶ୍ଚିମାଞ୍ଚଳ ପିପୁଲସ ଫୋରମ। ଡିସେମ୍ବର ୨୨ ତାରିଖ ବରଗଡ଼ ଜିଲ୍ଲା ନୃସିଂହନାଥ ମନ୍ଦିରରୁ ଭାଷା ସଂସ୍କୃତି ସ୍ୱାଭିମାନ ଶୋଭାଯାତ୍ରା ବାହାରିଥିଲା। ଏହା ୨୭ ତାରିଖ ଯାଏ ଚାଲିବ। ଏହି ଶୋଭଯାତ୍ରା ବିଭିନ୍ନ ଗାଁ ଓ ସହର ବୁଲି ଆଜି ବଲାଙ୍ଗିର ଠାରେ ପହଞ୍ଚିଛି। କୋଶଲି ଭାଷା ମାନ୍ୟତା ଦାବି ପାଇଁ ହେଉଥିବା ଏହି ସ୍ୱାଭିମାନି ଶୋଭାଯାତ୍ରାରେ ସାମିଲ ହୋଇ ଗାଁରୁ ଗାଁ ବୁଲୁଛନ୍ତି ସିନେ ଅଭିନେତା ମନୋଜ ମିଶ୍ର। ତାଙ୍କ ସହ ଶତାଧିକ ଲୋକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

Advertisment

ଏହି ଆନ୍ଦୋଳନକୁ କଂଗ୍ରେସ ଓ ବିଜେପି ବିଧାୟକ ଖୋଲାଖୋଲି ସମର୍ଥନ କରିଛନ୍ତି। ସରକାର ତୁରନ୍ତ କୋଶଲି ଭାଷାକୁ ସରକାରୀ ମାନ୍ୟତା ଦିଅନ୍ତୁ ବୋଲି ଦୁଇ ଦଳର ବିଧାୟକ ମତ ରଖିଛନ୍ତି। ଶୋଭାଯାତ୍ରାରେ ସାମିଲ ଥିବା ଆନ୍ଦୋଳନକାରୀଙ୍କୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସମର୍ଥନ ଜଣାଇଛନ୍ତି। ସେହିପରି ପାଟଣେଶ୍ୱରୀ ମନ୍ଦିର ଠାରେ ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଆନ୍ଦୋଳନକାରୀଙ୍କୁ ପୁଷ୍ପମାଲ୍ୟା ଦେଇ ସମର୍ଥନ କରିଛନ୍ତି।

ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ବାରମ୍ବାର ଅବହେଳା କରୁଛନ୍ତି। ସମ୍ବଲପୁରୀ କୋଶଲି ଭାଷାକୁ ସରକାରୀ ମାନ୍ୟତା ଦେବାକୁ ରାଜ୍ୟ ସରକାର ବାଧ୍ୟ ବୋଲି କହିଛନ୍ତି ଉଭୟ ବିଧାୟକ। ସରକାର ଯଥାଶୀଘ୍ର ଦାବି ପୂରଣ ନକଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଜୋରଦାର ରୂପ ନେବ ବୋଲି ଶୋଭାଯାତ୍ରାରେ ସାମିଲ ଥିବା ଲୋକମାନେ କହିଛନ୍ତି।

Advertisment

ନରସିଂହ ମିଶ୍ର କହିଛନ୍ତି, “ଏବେ ଯେଉଁ ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି, ତା’ର କାରଣ ହେଲା ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ଦେବା। ତେଣୁ ସରକାର ତୁରନ୍ତ କୋଶଲି ଭାଷାକୁ ମାନ୍ୟତା ଦିଅନ୍ତୁ। ସେହି ଅନୁସାରେ ସମ୍ବିଧାନରେ ସଂଶୋଧନ କରାଯାଉ। ଏହି ପ୍ରସ୍ତାବ ୧୯୯୯ ମସିହାରେ ପାରିତ ହୋଇଥିଲା। ସେହି ସମୟରେ ମୁଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲି। ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ସରକାର କେନ୍ଦ୍ରକୁ କୋଶଲି ଭାଷାକୁ ମାନ୍ୟତା ଦେବା ପାଇଁ କହିଥିଲେ।

କିନ୍ତୁ କିଛି ବି ହୋଇନାହିଁ। ଏବେ ପୁଣି ଆନ୍ଦୋଳନ ଆରମ୍ଭ ହୋଇଛି ଓ ଏହାକୁ ଜନ ସମର୍ଥନ ମିଳିଛି। ରାଜ୍ୟ ସରକାର କହି ପାରନ୍ତି ଯେ ଏହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। କିନ୍ତୁ ରାଜ୍ୟ ସରକାର କେବଳ ଚିଠି ଲେଖି ଶୋଇପଡ଼ିଛନ୍ତି। ସତେ ଯେମିତି କୋଶଲି ଭାଷାକୁ ମାନ୍ୟତା ଦେବାରେ ରାଜ୍ୟ ସରକାରଙ୍କର ଇଚ୍ଛା ନାହିଁ। ରାଜ୍ୟ ସରକାର ଚାହିଁଲେ କେନ୍ଦ୍ର ଉପରେ ଚାପ ପକାଇ ପାରିବେ। କିନ୍ତୁ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ରହିଛି। ବୈମାତୃକ ମନୋଭାବ ଓ ଆଞ୍ଚଳିକ ବୈଷମ୍ୟ ଧୀରେଧୀରେ ବଢ଼ି ଚାଲିଛି। ଏଥିପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ମଧ୍ୟ ତେଜିବାରେ ଲାଗିଛି।”

ବିଜେପି ଲୋଇସିଂହ ବିଧାୟକ ମୁକେଶ ମହାଲିଙ୍ଗ ଆନ୍ଦୋଳନକୁ ସମର୍ଥନ କରି କହିଛନ୍ତି ଯେ “କୋଶଲି ଭାଷା ଓ ସାହିତ୍ୟର ଗୋଟିଏ ଅନନ୍ୟ ପରମ୍ପରା ଆମ ଅଞ୍ଚଳରେ ରହିଛି। ଗତ ବିଧାନସଭା ବେଳେ ମୁଁ ଏହାକୁ ରାଜ ଭାଷାର ମାନ୍ୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲି। ଏବେ ଚାଲିଥିବା ଭାଷା ଓ ସଂସ୍କୃତି ଯାତ୍ରାକୁ ମୁଁ ଦୃଢ଼ ଭାବେ ସମର୍ଥନ କରୁଛି। ଏଥିସହ ଆମ ଭାଷାକୁ ଦ୍ୱତୀୟ ସରକାରୀ ଭାଷାର ମାନ୍ୟତା ଦେବାକୁ ମଧ୍ୟ ଦାବି କରୁଛି।”

ରିପୋର୍ଟ : ଘଟେଶ୍ୱର ମିଶ୍ର 

Odisha Balangir Western Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe