Advertisment

ବଡ଼ ଜିଲ୍ଲାରେ ବଡ଼ ଖେଳ; ନିର୍ଣ୍ଣାୟକ ହେବେ କୁଡୁମୀ ଭୋଟର

ଓଡ଼ିଶାର ସର୍ବ ବୃହତ ଜିଲ୍ଲା ହେଉଛି ମୟୂରଭଞ୍ଜ। ଏହି ଜିଲ୍ଲାରେ ସାତ ଲକ୍ଷରୁ ଅଧିକ କୁଡୁମୀ ଜନଜାତିର ଭୋଟର ରହିଛନ୍ତି। ଏମାନେ ସାଧାରଣତଃ ଜିଲ୍ଲାର ୯ଟି ନିର୍ବାଚନମଣ୍ଡଳୀରେ ବସବାସ କରୁଛନ୍ତି। ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ନେବେ।

author-image
Manoranjan Sial
ଅଦ୍ୟତନ ହୋଇଛି
Kudumi

Kudumi

ରାଜ୍ୟର ବଡ଼ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜରେ ଏଥର ବଡ଼ ଖେଳ କରିବେ କୁଡୁମୀ ସମ୍ପ୍ରଦାୟ। ଭୋଟରେ ନିର୍ଣ୍ଣାୟକ ଭୂମିକା ନେବେ। ଯେଉଁ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବେ, ସେମାନେ ନିଶ୍ଚିତ ଜିତିବେ। ଜିଲ୍ଲାର ୯ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭ ଲକ୍ଷରୁ ଊର୍ଦ୍ଧ୍ୱ କୁଡୁମୀ ଭୋଟର। ତେଣୁ ସେମାନଙ୍କୁ ମନାଇବାରେ ଲାଗି ପଡ଼ିଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ। ତେବେ ସମୟ କହିବ, କେଉଁ ରାଜନୈତିକ ଦଳ ସେମାନଙ୍କ ମନ କିଣୁପାରୁଛନ୍ତି ଓ କାହାକୁ ଆଶୀର୍ବାଦ ଦେଉଛନ୍ତି କୁଡୁମୀ ଭୋଟର?

Advertisment

ଓଡ଼ିଶାର ସର୍ବ ବୃହତ ଜିଲ୍ଲା ହେଉଛି ମୟୂରଭଞ୍ଜ। ଏହି ଜିଲ୍ଲାରେ ସାତ ଲକ୍ଷରୁ ଅଧିକ କୁଡୁମୀ ଜନଜାତିର ଭୋଟର ରହିଛନ୍ତି। ଏମାନେ ସାଧାରଣତଃ ଜିଲ୍ଲାର ୯ଟି ନିର୍ବାଚନମଣ୍ଡଳୀରେ ବସବାସ କରୁଛନ୍ତି। ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ନେବେ। ହେଲେ ଦୁର୍ଭାଗ୍ୟର ବିଷୟ ଏହି ଜନଜାତିକୁ ଆଜି ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିନାହିଁ। ଯେଉଁଥିପାଇଁ ସେମାନେ ଦୀର୍ଘ ୪୦ ବର୍ଷ ହେଲା ସଂଘର୍ଷ କରିଆସୁଛନ୍ତି। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଦାବି ଜଣାଇ ନୟାନ୍ତ ହେଲେଣି।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଚଳିତ ନିର୍ବାଚନରେ କୁଡୁମୀ ସମ୍ପ୍ରଦାୟ ପ୍ରମୁଖ ଭୂମିକା ନେବେ। ସେମାନେ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ, ସିଏ ନିଶ୍ଚିତ ବିଜୟ ହାସଲ୍‌ କରିବେ। ତେଣୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ କୁଡୁମୀ ସମ୍ପ୍ରଦାୟକୁ ମନାଇବାରେ ଲାଗି ପଡ଼ିଛନ୍ତି। ନାନା ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। କିନ୍ତୁ ଶୁଣିବା ମୋଡ୍‌ରେ ନାହାନ୍ତି କୁଡୁମୀ ଜନଜାତି। ସେମାନେ ଶାସକ ବିଜେଡିକୁ ଭରସାରେ ନେବାକୁ ଚାହୁଁନାହାନ୍ତି। କୁଡୁମୀ ନେତାଙ୍କ ଅଭିଯୋଗ, ସରକାର ଆମ ଆନ୍ଦୋଳନକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ଆଉ କୁଡୁମୀଙ୍କ ଦାବିକୁ ପ୍ରତାରଣା କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବିଜେଡି ସରକାର ଉପରେ କୁଡୁମୀ ସମ୍ପ୍ରଦାୟ କ୍ଷୁବ୍ଧ ହୋଇଛି।

Advertisment

ସେପଟେ କୁଡୁମୀନେତାଙ୍କ ଅଭିଯୋଗ ଅନୁସାରେ ୧୯୩୫ ମସିହାରେ ସରକାର କୁଡୁମୀ ଜନଜାତିକୁ କୌଣସି କାରଣ ନଥାଇ ଅନୁସୂଚିତ ଜାତି ତାଲିକାରୁ ବାଦ ଦେଇଥିଲେ। ଯାହା ଫଳରେ କୁଡୁମୀ ସମ୍ପ୍ରଦାୟର ଲୋକମାନେ ସରକାରଙ୍କ ସମସ୍ତ ସଂଗ୍ରକ୍ଷଣ ସୁବିଧାରୁ ବାଦ ପଡିଛନ୍ତି। ଯେଉଁଥିପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ କରି ଆସୁଛନ୍ତି। ୪୦ ବର୍ଷ ଭିତରେ ୯ରୁ ଅଧିକ କୁଡୁମୀ ସଂଗଠନ ତିଆରି ହୋଇସାରିଲାଣି। ସେମାନେ କୁଡୁମୀ ଜନତାତିକୁ ଅନୁସୂଚିତ ଜାତିରେ ତାଲିକା ଭୁକ୍ତ କରିବା ପାଇଁ ଦାବି କରି ଆସୁଛନ୍ତି। ଦେଖିବାକୁ ଗଲେ କୁଡୁମୀକୁ ନ୍ୟାୟ ଦେବା ପାଇଁ କୁଡୁମୀ ମହାନ୍ତ ମହାସଭା, ଆଦିବାସୀ କୁଡୁମୀ ସମାଜ, କୁଡୁମାଲୀ କଲଚରାଲ୍‌ ଆସୋସେସନ୍‌, ଆଦିମ କୁଡୁମୀ ସମାଜ, କୁଡୁମୀ ଯୁବ ଛାତ୍ର ସଂଗଠନ, କୁଡୁମୀ ସେନା, ଓଡ଼ିଶା କୁଡୁମୀ ସେନା, କୁଡୁମୀ ଶିକ୍ଷକ ମଞ୍ଚ ଓ ଶିବାଜୀ ସାଂସ୍କୃତିକ ସଂଘ ପରି ଅନେକ ସଂଗଠନ ମୁଣ୍ଡ ଟେକିଛନ୍ତି।

ଓଡ଼ିଶାରେ କୁଡୁମୀ ଜନଜାତିର ଲୋକମାନେ ମୟୂରଭଞ୍ଜ ଜିଲ୍ଲା ବ୍ୟତୀତ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ବସବାସ କରନ୍ତି। ଏମାନଙ୍କ ସଂଖ୍ୟା ଓଡ଼ିଶାରେ ପଚିଶି ଲକ୍ଷରୁ ଊର୍ଦ୍ଧ୍ୱ ହେବ। କୁଡୁମୀଙ୍କ ଦୀର୍ଘ ବର୍ଷ ଆନ୍ଦୋଳନକୁ ନଜର ରଖି ରାଜ୍ୟର ବିଜେଡି ସରକାର କୁଡୁମୀ ଝିଅ ମମତା ମହାନ୍ତଙ୍କୁ ରାଜ୍ୟସଭା ସାଂସଦ କରିଥିବା ବେଳେ କେନ୍ଦୁଝରରୁ ମିନାକ୍ଷୀ ମହାନ୍ତଙ୍କୁ ବିଧାୟକ କରିଛନ୍ତି। ଏଥିସହ ବିଭିନ୍ନ ବ୍ଲକରେ କୁଡୁମୀ ଭବନ ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ, ରାଜ୍ୟ ସରକାର କୁଡୁମୀ ଡେଭଲପମେଣ୍ଟ କାଉନସିଲ ଗଠନ ପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ। ହେଲେ କୁଡୁମୀ ଜାତି ଏଥିରେ ସନ୍ତୁଷ୍ଟ ନଥିବା କହିଛନ୍ତି, କୁଡୁମୀ ନେତା। କୁଡୁମୀ ଜାତିକୁ କେନ୍ଦ୍ର ସରକାରଙ୍କ ପାଖକୁ ଯେତେ ଯାଏଁ ରାଜ୍ୟ ସରକାର ପ୍ରପୋଜାଲ ପଠାଇ ନାହାନ୍ତି, ସେତେ ଯାଏଁ କୁଡୁମୀ ଜାତି ରାଜ୍ୟ ସରକାରଙ୍କୁ ବିରୋଧ କରିବ ବୋଲି ସିଧାସଳଖ ଶୁଣାଇଛି।

ଅନ୍ୟପଟେ ବିଜେଡି ସାଂସଦ ମମତା ମହାନ୍ତ କହିଛନ୍ତି, ରାଜ୍ୟ ସରକାର ସବୁବେଳେ କୁଡୁମୀ ଜାତି ପାଇଁ ତତ୍ପର ଅଛନ୍ତି।

ତେବେ ଦେଖିବାର ବାକି ରହିଲା, ଏତେ ସବୁ ଅସନ୍ତୋଷ ଭିତରେ କୁଡୁମୀ ସମ୍ପ୍ରଦାୟର ଲୋକେ ନିର୍ବାଚନରେ କାହାକୁ ସମର୍ଥନ ଦେଉଛନ୍ତି? ଆଉ କାହାର ଭାଗ୍ୟର ତାଲା ଖୋଲିବାରେ ପ୍ରମୁଖ ଭୂମିକା ନେଉଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକ ଲାଲ ପାଣି

BjD Bjp Congress Mayurbhanj