/odisha-reporter/media/post_attachments/uploadimage/library/16_9/16_9_0/Lalu_1706546057.jpg)
Lalu
ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୀର୍ଘ ୧୦ ଘଣ୍ଟା କାଳ ଜେରା କରିବା ପରେ ଛାଡିଛି ଇଡି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡି ଲାଲୁ ମାରାଥନ ଜେରା କରିଛି। ଏହି ଦୁର୍ନୀତି ଘଟଣାର ସହ ଅଭିଯୁକ୍ତ ତଥା ଲାଲୁଙ୍କ ଝିଅ ମିଶା ଭାରତୀ ମଧ୍ୟ ଇଡି ଅଫିସରେ ୧୦ ଘଣ୍ଟା କାଳ ଉପସ୍ଥିତ ରହିଥିଲେ।
ଆଜି ଦିନ ପ୍ରାୟ ୧୧.୦୫ରେ ମିଶାଙ୍କ ସହ ଲାଲୁ ପାଟନାରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ସ୍ୱତନ୍ତ୍ର ଟିମ ଲାଲୁଙ୍କୁ ଜେରା ଆରମ୍ଭ କରିଥିଲା। ପ୍ରାୟ ୧୦ ଘଣ୍ଟାର ଜେରା ପରେ ଲାଲୁ ଓ ମିଶା ସନ୍ଧ୍ୟା ସମୟରେ ଅଫିସରୁ ବାହାରି ଘରକୁ ଯାଇଛନ୍ତି।
ଲାଲୁଙ୍କୁ ଇଡି ଦିନ ତମାମ ଜେରା କରୁଥିବା ବେଳେ ଆରଜେଡିର ଶତାଧିକ କର୍ମୀ ବାହାରେ ଡେରା ପକାଇ ବସିଥିଲେ। ସେମାନେ ବିଜେପି ବିରୋଧରେ ନାରାବାଜୀ କରିବା ସହ ଲାଲୁଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
ଆରଜେଡି ନେତା ମନୋଜ ସିହ୍ନା କହିଛନ୍ତି, ଆସନ୍ତା ସାଧାରଣ ନିର୍ବାଚନ ଶେଷ ହେବା ଯାଏ କେନ୍ଦ୍ରୀୟ ଏଜେନ୍ସିର ଏପରି କାରନାମା ଜାରି ରହିବ। ଏହା ଇଡି ସମନ ନୁହେଁ, ବିଜେପି ସମନ। ଏହା ୨୦୨୪ ନିର୍ବାଚନ ସରିବା ଯାଏ ଚାଲିବ। ତେଣୁ ଦୟା କରି କେହି ବି ଏହାକୁ ଇଡି ସମନ ବୋଲି କୁହନ୍ତୁ ନାହିଁ। ଆମେ ଏପରି ସମନରେ ଆଦୌ ଭୟଭୀତ ହେବୁ ନାହିଁ। ଆମେ କାହିଁକି ଡରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।
ୟୁପିଏ ସରକାର-୧ ବେଳେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ। ସେହି ସମୟରେ ସେ ଜମି ବଦଳରେ ଚାକିରି ଦେଇଥିବା ଅଭିଯୋଗ ହୋଇଛି। ୨୦୦୪ରୁ ୨୦୦୯ ମଧ୍ୟରେ ଏକାଧିକ ଲୋକ ରେଳବାଇର ଗ୍ରୁପ ଡିରେ ଚାକିରି ପାଇଥିଲେ। ଏହାବଦଳରେ ସେମାନେ ନିଜର ଜମିକୁ ଲାଲୁ ଯାଦବଙ୍କ ପରିବାର ଲୋକଙ୍କ ନାଁରେ କରିଥିଲେ ବୋଲି ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
