Advertisment

ଇଭିଏମ୍ ଅଚଳ ଓ ହିଂସାକାଣ୍ଡ ମଧ୍ୟରେ ସରିଲା ଶେଷ ପର୍ଯ୍ୟାୟ ଭୋଟ୍‌: ମତଦାନ ହାର ୬୬%

ଆଜି ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହୋଇଛି ଓ ମତଦାନ ହାର ପ୍ରାୟ ୬୫.୯୧ ପ୍ରତିଶତ ରହିଛିି ।

author-image
Ordigital Desk
Odisha

Odisha

ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଶେଷ ପର୍ଯ୍ୟାୟ ନିର୍ବାଚନରେ  ଆଜି ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହୋଇଛି ଓ ମତଦାନ ହାର ପ୍ରାୟ ୬୫.୯୧ ପ୍ରତିଶତ ରହିଛିି । ଅବଶ୍ୟ ଏହି ମତଦାନ ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଶେଷ ପର୍ଯ୍ୟାୟ ଭୋଟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ମାରପିଟ୍ ଓ ଇଭିଏମ୍ ମେସିନ୍ ଅଚଳର ଅଭିଯୋଗ ହୋଇଛି ।

Advertisment

ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟରେ ଶେଷ ପର୍ଯ୍ୟାୟରେ ମତଦାନ ହାର ୬୫.୯୧ ପ୍ରତିଶତ ରହିଛି । ରାତି ୯ଟା ୪୫ମିନିଟ୍ ସୁଦ୍ଧା ନିର୍ବାଚନ କମିଶନଙ୍କ ଆପ୍ ଅନୁସାରେ ଶେଷ ପର୍ଯ୍ୟାୟରେ ହାରାହାରି ମତଦାନ ପ୍ରାୟ ୬୫.୯୧ ପ୍ରତିଶତ ଥିବାବେଳେ ସେଥିରେ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ସର୍ବାଧିକ ୭୩.୦୬%  ଓ ଭଦ୍ରକରେ ସର୍ବନିମ୍ନ ୫୮.୨୧% ରହିଛି । ସେହିପରି ବାଲେଶ୍ୱରରେ ୬୬.୦୭%, ଯାଜପୁରରେ ୬୭.୬୫%, କେନ୍ଦ୍ରାପଡ଼ାରେ ୬୬.୬୨% ଓ ମୟୂରଭଞ୍ଜରେ ପ୍ରାୟ ୬୪.୧୭% ମତଦାନ ହୋଇଥିବା ଜଣାପଡ଼ିଛି । ଅବଶ୍ୟ ଏହି ମତଦାନ ହାର ଆସନ୍ତାକାଲି ଅଧିକ ହେବାର ସମ୍ଭାବନା ରହିଛି।

ଆଜି ଶେଷ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭାର ମୋଟ ୪୬୦ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ସକାଳ ୭ଟାରୁ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୧୦୮୨୨ଟି ବୁଥରେ ମତଦାନ ଆରମ୍ଭ ହୋଇ ପ୍ରାୟ ରାତି ୭ଟା ପର୍ଯ୍ୟନ୍ତ ଚାଲିଥିଲା । ମୋଟ ୯୯.୬୧ଲକ୍ଷ ଭୋଟର ଆଜି ୬୬ଜଣ ଲୋକସଭା ପ୍ରାର୍ଥୀ ଓ ୩୯୪ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି।

Advertisment

ତେବେ ଏହି ଶେଷ ପର୍ଯ୍ୟାୟରେ ସାଲେପୁରରେ ବିଜେଡି କର୍ମୀମାନେ ସଂଘବଦ୍ଧ ହୋଇ ବିଜେପିର ଜଣେ ବୁଥ ସଭାପତି ସଞ୍ଜୟ ରାଉତଙ୍କୁ ଆକ୍ରମଣ କରି ପନିକିରେ ହାଣିବା ସହ ଅନ୍ୟ ୩ଜଣଙ୍କୁ ମାରପିଟ୍ କରିଥିବା ଖବର ମିଳିଛି । ସାଲେପୁରର ୧୧୬,୧୭୬,୧୮୪ ଓ ୧୮୫ ନମ୍ବର ବୁଥରେ ବ୍ୟାପକ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବା ବିଜେପି ଅଭିଯୋଗ କରିଛି।

ସେହିପରି ପଟ୍ଟାମୁଣ୍ଡା ବ୍ଲକର ନିଳକଣ୍ଠପୁର ପଂଚାୟତରେ ବିଜେପି କର୍ମୀ ରଶ୍ମୀରଞ୍ଜନ ଜେନାଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବାବେଳେ କେନ୍ଦ୍ରାପଡ଼ା, କୋଣାର୍କ ଓ ଯାଜପୁରରେ ନିର୍ବାଚନୀ ହିଂସାକାଣ୍ଡ ହୋଇଥିବା ଏବଂ ମାହାଙ୍ଗା ଓ ସାଲେପୁରର ଅଧିକାଂଶ ବୁଥ ରିଗିଂ ଅଭିଯୋଗ ହୋଇଛି।

ସେହିପରି ଇଭିଏମ୍ ମେସିନ୍ ଅଚଳ ଯୋଗୁ କେନ୍ଦ୍ରାପଡ଼ା, ଜଗତସିଂହପୁର,ଭଦ୍ରକ, ବାଲେଶ୍ୱରର ପ୍ରାୟ ୭ଟି ବୁଥରେ ମତଦାନ କିଛି ସମୟ ପାଇଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

General Election 2024 General Election Odisha Election