/odisha-reporter/media/post_attachments/uploadimage/library/16_9/16_9_0/IMAGE_1748271746.jpg)
Law Minister
ଦୀଘାରେ ‘ଜଗନ୍ନାଥ ଧାମ’ ନାମକରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପୁରୀସ୍ଥିତ ଦ୍ୱାଦଶ ଶତାବ୍ଦୀର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହ ଜଡ଼ିତ ଶବ୍ଦ ଓ ଲୋଗୋଗୁଡ଼ିକୁ ଟ୍ରେଡମାର୍କ ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏପଟେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଦୀଘରେ ଜଗନ୍ନାଥଧାମ ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ।
ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପ୍ରତ୍ୟେକଟି ଶବ୍ଦଗୁଡ଼ିକୁ ଟ୍ରେଡ଼ମାର୍କ ରେଜିଷ୍ଟ୍ରେସନ କରାଯିବ । ମହାପ୍ରସାଦ, ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର ଏବଂ ପୁରୁଷୋତ୍ତମ ଧାମ ଆଦି ଶବ୍ଦଗୁଡ଼ିକର ଟ୍ରେଡମାର୍କ ନିମନ୍ତେ ଆବେଦନ କରାଯିବ । ଏହି ପଦକ୍ଷେପ ଶ୍ରୀମନ୍ଦିରର ପରିଚୟ ସୁରକ୍ଷା ଓ ଏହାର ପବିତ୍ର ଐତିହ୍ୟକୁ ଅକ୍ଷୂଣ୍ଣ ରଖିବା ସହ ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଏକ ଆଇନଗତ ପଦକ୍ଷେପ ହେବ ବୋଲି ପାଢ଼ୀ ସ୍ପଷ୍ଟ କରିଛନ୍ତି ।
ଏସବୁ ବ୍ୟତୀତ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଶ୍ୱର୍ରେ ଥିବା କୋଠାଗୁଡ଼ିକୁ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ମଧ୍ୟରେ ରଖିବା ନିମନ୍ତେ ନଗର ଉନ୍ନୟନ ବିଭାଗକୁ ଅବଗତ କରାଯିବାକୁ ଯୋଜନା ହୋଇଥିବା ନେଇ ମଧ୍ୟ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । ରଥଯାତ୍ରା ଓ ନୀତିକାନ୍ତି ଯଥା ସ୍ନାନ ଯାତ୍ରା, ଘୋଷ ଯାତ୍ରା ଓ ବାହୁଡ଼ା ଯାତ୍ରାର ସଫଳ ଆୟୋଜନ ପାଇଁ ବିସ୍ତୃତ ଆଲୋଚନା ହୋଇଛି । ତିନି ରଥରେ ଅଣସେବାୟତଙ୍କୁ ପ୍ରବେଶ ନିଷିଦ୍ଧ କରାଯାଇଛି ଏବଂ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ, ରଥ ଉପରକୁ ମୋବାଇଲ ଫୋନ ନେଲେ ଅପରାଧ ମାମଲା ରୁଜୁ ହେବ ବୋଲି ଶ୍ରୀ ପାଢ଼ୀ ଚେତାଇ ଦେଇଛନ୍ତି ।
ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରିଚାଳନା କମିଟି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା ଓ ପରିଚାଳନା କମିଟିର ପୂର୍ବତନ ସଦସ୍ୟମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ବୈଠକରେ ରଥଯାତ୍ରା ସମୟରେ ପ୍ରତ୍ୟେକ ରଥ ପାଇଁ ‘ପହଣ୍ଡି ଦଳ’ ଗଠନ କରାଯିବ ବୋଲି ନିଷ୍ପତ୍ତିି ହୋଇଛି । ସେବାୟତଙ୍କ ସଂଖ୍ୟା କେତେ ରହିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ, ଛତିଶା ନିଯୋଗ ଓ ଅନ୍ୟ ସଂପୃକ୍ତ ଅଂଶୀଦାରଙ୍କ ସହ ଆଗାମୀ ବୈଠକରେ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି ।
ସେହିପରି ଦୀଘାରେ ‘ଜଗନ୍ନାଥ ଧାମ’ ଶବ୍ଦ ଉପଯୋଗକୁ ନେଇ ଗଜପତି ମହାରାଜା ସୋମବାର ଆପତ୍ତି ଉଠାଇବା ସହ ଏହାକୁ ହଟାଇବାକୁ ପରାମର୍ଶ ଦେଇଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି କିନ୍ତୁ କେହି ‘ଧାମ’ ଶବ୍ଦ ଉପଯୋଗ କରିନାହାନ୍ତି । ଓଡ଼ିଶା ସରକାର ମଧ୍ୟ ଚିଠି ଲେଖି ଆପତ୍ତି ଉଠାଇଛନ୍ତି । ପଶ୍ଚିମବଙ୍ଗ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଗଜପତି ମହାରାଜ ପରାମର୍ଶ ଦେଇଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ଆଇନ ମନ୍ତ୍ରୀ
ଦୀଘାରେ ‘ଜଗନ୍ନାଥ ଧାମ’ ନାମ ଉପଯୋଗକୁ ସୋମବାର ପୁଣିଥରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନାମକୁ ନେଇ ଚଂଚକତା କରୁଛନ୍ତି, ଯାହାକୁ ସାରା ବିଶ୍ୱ ନିନ୍ଦା କରୁଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ‘ଧାମ’ ଶବ୍ଦ ପ୍ରତ୍ୟାହାର କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି, କିନ୍ତୁ ଉତ୍ତର ରଖିବାକୁ ସେ ସାମାନ୍ୟ ଶିଷ୍ଟାଚାର ମଧ୍ୟ ରଖିନାହାନ୍ତି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ କହିବାପରେ ଯଦି ସେ ରାଜନୀତି କରିବାକୁ ଚାହୁଁଛନ୍ତି, ତେବେ ଏଭଳି ଲୋକଙ୍କଠାରୁ ଅଧିକ କିଛି ଆଶା କରାଯାଇ ପାରେ ନାହିଁ । ଯଦି ସେ ଏଥିରୁରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବେ ତା’ହେଲେ ଏହା ନିଶ୍ଚୟ ତାଙ୍କ ପାଇଁ ବୁମେରାଂ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
