Advertisment

ଶ୍ରୀମନ୍ଦିର ସହ ଜଡ଼ିତ ଶବ୍ଦଗୁଡ଼ିକର ଟ୍ରେଡମାର୍କ ସୁରକ୍ଷା ପାଇଁ ନିଷ୍ପତ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଦୀଘରେ ଜଗନ୍ନାଥଧାମ ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ।

ଅଦ୍ୟତନ ହୋଇଛି
Law Minister

Law Minister

Advertisment

ଦୀଘାରେ ‘ଜଗନ୍ନାଥ ଧାମ’ ନାମକରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପୁରୀସ୍ଥିତ ଦ୍ୱାଦଶ ଶତାବ୍ଦୀର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ମନ୍ଦିର ସହ ଜଡ଼ିତ ଶବ୍ଦ ଓ ଲୋଗୋଗୁଡ଼ିକୁ ଟ୍ରେଡମାର୍କ ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏପଟେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଦୀଘରେ ଜଗନ୍ନାଥଧାମ ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ।

Advertisment

ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପ୍ରତ୍ୟେକଟି ଶବ୍ଦଗୁଡ଼ିକୁ ଟ୍ରେଡ଼ମାର୍କ ରେଜିଷ୍ଟ୍ରେସନ କରାଯିବ । ମହାପ୍ରସାଦ, ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର ଏବଂ ପୁରୁଷୋତ୍ତମ ଧାମ ଆଦି ଶବ୍ଦଗୁଡ଼ିକର ଟ୍ରେଡମାର୍କ ନିମନ୍ତେ ଆବେଦନ କରାଯିବ । ଏହି ପଦକ୍ଷେପ ଶ୍ରୀମନ୍ଦିରର ପରିଚୟ ସୁରକ୍ଷା ଓ ଏହାର ପବିତ୍ର ଐତିହ୍ୟକୁ ଅକ୍ଷୂଣ୍ଣ ରଖିବା ସହ ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଏକ ଆଇନଗତ ପଦକ୍ଷେପ ହେବ ବୋଲି ପାଢ଼ୀ ସ୍ପଷ୍ଟ କରିଛନ୍ତି ।

ଏସବୁ ବ୍ୟତୀତ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଶ୍ୱର୍ରେ ଥିବା କୋଠାଗୁଡ଼ିକୁ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ମଧ୍ୟରେ ରଖିବା ନିମନ୍ତେ ନଗର ଉନ୍ନୟନ ବିଭାଗକୁ ଅବଗତ କରାଯିବାକୁ ଯୋଜନା ହୋଇଥିବା ନେଇ ମଧ୍ୟ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ।   ରଥଯାତ୍ରା ଓ ନୀତିକାନ୍ତି ଯଥା ସ୍ନାନ ଯାତ୍ରା, ଘୋଷ ଯାତ୍ରା ଓ ବାହୁଡ଼ା ଯାତ୍ରାର ସଫଳ ଆୟୋଜନ ପାଇଁ ବିସ୍ତୃତ ଆଲୋଚନା ହୋଇଛି । ତିନି ରଥରେ ଅଣସେବାୟତଙ୍କୁ ପ୍ରବେଶ ନିଷିଦ୍ଧ କରାଯାଇଛି ଏବଂ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ, ରଥ ଉପରକୁ ମୋବାଇଲ ଫୋନ ନେଲେ ଅପରାଧ ମାମଲା ରୁଜୁ ହେବ ବୋଲି ଶ୍ରୀ ପାଢ଼ୀ ଚେତାଇ ଦେଇଛନ୍ତି ।

Advertisment

ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରିଚାଳନା କମିଟି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା ଓ ପରିଚାଳନା କମିଟିର ପୂର୍ବତନ ସଦସ୍ୟମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ବୈଠକରେ ରଥଯାତ୍ରା ସମୟରେ ପ୍ରତ୍ୟେକ ରଥ ପାଇଁ ‘ପହଣ୍ଡି ଦଳ’ ଗଠନ କରାଯିବ ବୋଲି ନିଷ୍ପତ୍ତିି ହୋଇଛି । ସେବାୟତଙ୍କ ସଂଖ୍ୟା କେତେ ରହିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ, ଛତିଶା ନିଯୋଗ ଓ ଅନ୍ୟ ସଂପୃକ୍ତ ଅଂଶୀଦାରଙ୍କ ସହ ଆଗାମୀ ବୈଠକରେ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି ।

ସେହିପରି ଦୀଘାରେ ‘ଜଗନ୍ନାଥ ଧାମ’ ଶବ୍ଦ ଉପଯୋଗକୁ ନେଇ ଗଜପତି ମହାରାଜା ସୋମବାର ଆପତ୍ତି ଉଠାଇବା ସହ ଏହାକୁ ହଟାଇବାକୁ ପରାମର୍ଶ ଦେଇଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି କିନ୍ତୁ କେହି ‘ଧାମ’ ଶବ୍ଦ ଉପଯୋଗ କରିନାହାନ୍ତି । ଓଡ଼ିଶା ସରକାର ମଧ୍ୟ ଚିଠି ଲେଖି ଆପତ୍ତି ଉଠାଇଛନ୍ତି । ପଶ୍ଚିମବଙ୍ଗ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଗଜପତି ମହାରାଜ ପରାମର୍ଶ ଦେଇଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ଆଇନ ମନ୍ତ୍ରୀ

ଦୀଘାରେ ‘ଜଗନ୍ନାଥ ଧାମ’ ନାମ ଉପଯୋଗକୁ ସୋମବାର ପୁଣିଥରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନାମକୁ ନେଇ ଚଂଚକତା କରୁଛନ୍ତି, ଯାହାକୁ ସାରା ବିଶ୍ୱ ନିନ୍ଦା କରୁଛି । ମୁଖ୍ୟମନ୍ତ୍ରୀ  ତାଙ୍କୁ ‘ଧାମ’ ଶବ୍ଦ ପ୍ରତ୍ୟାହାର କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି, କିନ୍ତୁ ଉତ୍ତର ରଖିବାକୁ ସେ ସାମାନ୍ୟ ଶିଷ୍ଟାଚାର ମଧ୍ୟ ରଖିନାହାନ୍ତି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ କହିବାପରେ ଯଦି ସେ ରାଜନୀତି କରିବାକୁ ଚାହୁଁଛନ୍ତି, ତେବେ ଏଭଳି ଲୋକଙ୍କଠାରୁ ଅଧିକ କିଛି ଆଶା କରାଯାଇ ପାରେ ନାହିଁ । ଯଦି ସେ ଏଥିରୁରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବେ ତା’ହେଲେ ଏହା ନିଶ୍ଚୟ ତାଙ୍କ ପାଇଁ ବୁମେରାଂ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Odisha West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe