BJP
‘କାହାର କେତେ କ୍ରେଜ୍ ରହିଛି, ତାହା ୨୦୨୪ ସାଧାରଣ ନିର୍ବାଚନରେ ଜଣାପଡିଯାଇଛି।’ ଆଜି ଏପରି କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁର୍ଗା ପୂଜା ମଣ୍ଡପ ବୁଲାକୁ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ମେୟର ସୁଲୋଚନା ଦାସଙ୍କ କ୍ରେଜ୍ ରାଜନୀତି ପ୍ରସଙ୍ଗରେ ଏମିତି କହିଛନ୍ତି ଆଇନ୍ ମନ୍ତ୍ରୀ।
ଆଜି ମାଆ ଜଗତଧାତ୍ରୀଙ୍କ ଅଷ୍ଟମୀ ପୂଜା। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଆଉ ମାଆଙ୍କ ଆଶୀର୍ବାଦ ନେବା ସହିତ ପୂଜା ଆୟୋଜକଙ୍କ ସହିତ କଥା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ମେୟର ସୁଲୋଚନା ଦାସ କରିଛନ୍ତି, ପୂଜାରେ ବୁଲିବାରେ କିଛି ଅସୁବିଧା ନାହିଁ। ହେଲେ ଏବେ ମଧ୍ୟ ଜନମାନସର ନେତା ହେଉଛନ୍ତି ନବୀନ। ଏବେ ବି ନବୀନ ବାବୁଙ୍କ କ୍ରେଜ୍ କମିନି ବୋଲି ସୁଲୋଚନା ଦାସ କହିଥିଲେ।
ସୁଲୋଚନାର ପ୍ରତିକ୍ରିୟାରେ ଜବାବ ରଖିଛି ବିଜେପି। ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯିଏ ୨୪ ବର୍ଷ ଧରି ବୁଲୁନଥିଲେ, ସିଏ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ମଣ୍ଡପ ବୁଲୁଥିବା ଶୁଣି ବୁଲୁଛନ୍ତି। ଯିଏ ରାବଣପୋଡି ଯାଇନଥିଲେ, ସିଏ ଏବେ ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱିତା କରି ବୁଲୁଛନ୍ତି। କାହାର କେତେ କ୍ରେଜ୍ ରହିଛି, ତାହା ୨୦୨୪ ନିର୍ବାଚନରେ ଜଣାପଡିଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ।
ସେପଟେ ଆଜି ରାଜଧାନୀରେ ପୂଜା ମଣ୍ଡପ ବୁଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ପ୍ରଥମେ ରସୁଲଗଡ଼ ସ୍ଥିତ ପୂଜା ମଣ୍ଡପ ବୁଲିବା ସହ ମାଆଙ୍କ ଆଶିଷ ନେଇଥିଲେ। ଏହାପରେ ସହିଦ ନଗର ପୂଜା ମଣ୍ଡପ ବୁଲିଥିଲେ। ପରେ ବଡ଼ଗଡ଼ ପୂଜା ମଣ୍ଡପ ଯାଇ ମାଆଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ସେ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
