'ବୁଥ୍‌ସ୍ତରରେ ସମର୍ଥନକୁ ପକ୍କା କରୁଛି ବିଜେପି, ଭୋଟ୍ ବେଳେ ଦେଖାଇବ ଦମ୍'

ଭୁବନେଶ୍ୱର (ପ୍ରକାଶ ସେଠୀ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେ ବୁଥ ସ୍ତରର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ନିର୍ବାଚନ ଜିଣିବା ପାଇଁ ବୁଥ୍ ସଂଗଠନର ଫର୍ମୁଲାକୁ ରାଜ୍ୟରେ ପ୍ରଥମେ ଆପଣାଇଥିବା ବିଜେପି ଏପର୍ଯ୍ୟନ୍ତ ମାତ୍ର ୬୫ ପ୍ରତିଶତ ବୁଥ୍ କମିଟି ଗଠନରେ ସକ୍ଷମ ହୋଇଥିବା ବେଳେ ବିଜେଡି ‘ଆମ ଗାଁ ଆମ ବିକାଶ ଓ ଆମ ସହର, ଆମ ଉନ୍ନତି’ […]

bjp

bjp

Sampad Mahapatra
  • Published: Monday, 20 August 2018
  • Updated: 20 August 2018, 02:39 PM IST

Sports

Latest News

ଭୁବନେଶ୍ୱର (ପ୍ରକାଶ ସେଠୀ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେ ବୁଥ ସ୍ତରର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ନିର୍ବାଚନ ଜିଣିବା ପାଇଁ ବୁଥ୍ ସଂଗଠନର ଫର୍ମୁଲାକୁ ରାଜ୍ୟରେ ପ୍ରଥମେ ଆପଣାଇଥିବା ବିଜେପି ଏପର୍ଯ୍ୟନ୍ତ ମାତ୍ର ୬୫ ପ୍ରତିଶତ ବୁଥ୍ କମିଟି ଗଠନରେ ସକ୍ଷମ ହୋଇଥିବା ବେଳେ ବିଜେଡି ‘ଆମ ଗାଁ ଆମ ବିକାଶ ଓ ଆମ ସହର, ଆମ ଉନ୍ନତି’ ମାଧ୍ୟମରେ ପ୍ରାୟ ୯୨ ପ୍ରତିଶତ ୱାର୍ଡ କମିଟି ଗଠନ କରିସାରିଛି।

ବିଜେପି ଓ ବିଜେଡିକୁ ଅନୁସରଣ କରି କଂଗ୍ରେସ ଏବେ ‘ମୋ ବୁଥ୍ ମୋ ଗୌରବ’ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଗଭର ହୋଇଛି।

ତେବେ ବୁଥ ସ୍ତରରୁ ସଂଗଠନକୁ ସୁଦୃଢ଼ କରି ନିର୍ଦ୍ଦିଷ୍ଟ ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ବିଜେପି ପାଇଁ ଏବେ ନୂଆ ଚ୍ୟାଲେଞ୍ଜ ଉଭା ହୋଇଛି। ଦଳରେ ଗୋଷ୍ଠୀକନ୍ଦଳ ଓ ହାତଗଣତି ନେତାଙ୍କ ହାକିମାତି ଯୋଗୁ ଏବେ ସାଂଗଠନିକ କାର୍ଯ୍ୟ ତୃଣମୂଳସ୍ତରରେ ଧିମା ପଡ଼ିଯାଇଛି। ତଥାପି ଦଳକୁ ଆଗାମୀ ନିର୍ବାଚନରେ ସଫଳତା ମିଳିବ ବୋଲି ରାଜ୍ୟ ବିଜେପି ନେତାମାନେ ଦୃଢ଼ ନିଶ୍ଚିତ ଅଛନ୍ତି।

ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ରାଜ୍ୟରେ ୩୬ହଜାର ବୁଥ୍ କମିଟି ଗଠନ ନିମନ୍ତେ ଗତ କିଛିବର୍ଷ ଧରି ପ୍ରୟାସ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ପ୍ରାୟ ୨୩ହଜାର ବୁଥ୍ ଗଠନ କରିବାରେ ବିଜେପି ସକ୍ଷମ ହୋଇଛି।

“ବିଜେପି ପ୍ରତ୍ୟେକ ବୁଥରେ ଜଣେ ସଂଗଠକ,ଜଣେ ଉପସଂଗଠକ ଓ ଜଣେ ସଂଯୋଜକଙ୍କୁ ନିଯୁକ୍ତି ଦେଇଛି। ପ୍ରତିଟି ବୁଥରେ ସର୍ବନିମ୍ନ ୨୧ଜଣଙ୍କୁ ସକ୍ରିୟ ସଦସ୍ୟ ଭାବେ ସାମିଲ କରାଯାଇଛି। ପ୍ରତ୍ୟେକ ସକ୍ରିୟ ସଦସ୍ୟଙ୍କୁ ଅତିକମରେ ୫ରୁ ୧୦ଜଣ ଲେଖାଏ ଭୋଟରଙ୍କୁ ନିଜ ସହ ଯୋଡ଼ିବା ପାଇଁ ଟାର୍ଗେଟ୍ ଦିଆଯାଇଛି। ଯାହାଫଳରେ ଗୋଟିଏ ବୁଥରେ ଅତିକମରେ ୧୦୫ରୁ ୨୧୦ଜଣ ଭୋଟର୍ ବିଜେପି ସପକ୍ଷରେ ରହିବେ।

“ଓଡ଼ିଶାରେ ଗୋଟିଏ ଲେଖାଏ ନିର୍ବାଚନମଣ୍ଡଳୀରେ ୨୫୦ରୁ ୨୮୦ଟି ପୋଲିଂ ବୁଥ୍ ରହିଛି। ଏହି ଦୃଷ୍ଟିରୁ ଦେଖିଲେ ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେପିର ନିଶ୍ଚିତ ଭୋଟ ସଂଖ୍ୟା ସର୍ବନିମ୍ନ ୨୭ହଜାର ରହିବ। ଯଦି ସକ୍ରିୟ ଭୋଟରମାନେ ନିଜର ପରିବାର ସଦସ୍ୟଙ୍କୁ ସାମିଲ କରନ୍ତି ତା’ହେଲେ ଗୋଟିଏ ଲେଖାଏ ନିର୍ବାଚନମଣ୍ଡଳୀରେ ୫୦ହଜାର ଭୋଟ୍ ଦଳୀୟ ପ୍ରାର୍ଥୀ ସପକ୍ଷରେ ମିଳିବାରେ ସମସ୍ୟା ହେବନି” ବୋଲି ଉକ୍ତ ନେତା ଦାବି କରିଛନ୍ତି।

କିନ୍ତୁ ଉକ୍ତ ବରିଷ୍ଠ ବିଜେପି ନେତାଙ୍କ ଅନୁସାରେ, ଏଭଳି ରଣନୀତିକୁ ନେଇ ବିଶେଷ ହୋ-ହାଲ୍ଲା କରାଯାଏନି, କିନ୍ତୁ ଏହାର ଭଲ ପରିଣାମ ଅବଶ୍ୟ ମିଳିଥାଏ। ଯାହାକି ଗତ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ ହୋଇଯାଇଛି । ୨୦୧୭ ପଂଚାୟତ ନିର୍ବାଚନରେ ୨.୦୪ କୋଟି ଲୋକ ଭୋଟ୍ ଦେଇଥିଲେ। ସେଥିରୁ ବିଜେଡି ସପକ୍ଷରେ ୮୩.୫ଲକ୍ଷ ଓ ବିଜେପି ସପକ୍ଷରେ ୬୭ଲକ୍ଷ ଭୋଟ୍ ପଡ଼ିଥିଲା।

“୨୦୧୪ ସାଧାରଣ ନିର୍ବାଚନ ବେଳେ ଦଳର ସଦସ୍ୟ ସଂଖ୍ୟା ମାତ୍ର ୩ଲକ୍ଷରେ ସୀମିତ ଥିବାବେଳେ ବ୍ୟାପକ ଅଭିଯାନ ମାଧ୍ୟମରେ ଏହି ସଂଖ୍ୟାକୁ ୩୬ଲକ୍ଷରେ ପହଞ୍ଚାଯାଇଛି। ଅବଶ୍ୟ ରାଜ୍ୟରେ ବିଜେପିର ଏହି ସଦସ୍ୟ ସଂଖ୍ୟାକୁ ନେଇ ମଧ୍ୟ ଦ୍ଵନ୍ଦ୍ଵ ରହିଛି। ତଥାପି ଦଳ ଏହି ସଦସ୍ୟ ସଂଖ୍ୟା ଉପରେ ବିଶେଷ ଗୁରୁତ୍ୱ ନଦେଇ ବୁଥସ୍ତରର ସଂଗଠନ ଉପରେ ଅଧିକ ଫୋକସ୍ କରିଛି।

“୨୦୧୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ହାୱା ଥିବା ସତ୍ତ୍ୱେ ବୁଥ ସ୍ତରରେ ସଂଗଠକ ନଥିବାରୁ ବିଜେପି ବିଫଳ ହୋଇଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନରେ ଦଳକୁ ସଫଳତା ମିଳିଛି । ପଞ୍ଚାୟତ ନିର୍ବାଚନରେ ଦଳକୁ ଯେତିକି ଭୋଟ୍ ମିଳିଥିଲା ଯଦି ତାହା ଅକ୍ଷୂଣ୍ଣ ରୁହେ, ତେବେ ବିଧାନସଭାରେ ବିଜେପିର ସିଟ୍ ସଂଖ୍ୟା ୧୦ରୁ ୪୩କୁ ଏବଂ ଲୋକସଭାରେ ୧ରୁ ୬କୁ ବୃଦ୍ଧି ପାଇବ।“ କିନ୍ତୁ ୨୦୧୯ରେ ଦଳ ତା ଦମ୍ ଦେଖାଇବ ଓ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ଭଲ କରିବ ବୋଲି ସେ ଦାବି କରିଛନ୍ତି।

ବୁଥସ୍ତରରେ ଦଳର ସଂଗଠନକୁ ଅଧିକ ସକ୍ରିୟ କରିବା କାର୍ଯ୍ୟ ଜାରି ରହିଛି। ରାଜ୍ୟସ୍ତରରେ ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଚାଲିଥିଲେ ମଧ୍ୟ ତା’ର ପ୍ରଭାବ ବୁଥ୍ ସଂଗଠନକୁ ପ୍ରଭାବିତ କରିବାର ସମ୍ଭାବନା କ୍ଷୀଣ । ତେଣୁ ଓଡ଼ିଶାରେ ଅଧିକାଂଶ ସିଟରେ ତ୍ରିମୁଖୀ ଲଢ଼େଇ ହେବାକୁ ଥିବାରୁ ବିଜେପି କେବଳ ନିଜର ଭୋଟ୍ ବ୍ୟାଙ୍କ ମାଧ୍ୟମରେ ଏସବୁ ଆସନ ଜିଣିପାରିବ ତଥା ଆଗାମୀ ଦିନରେ କ୍ଷମତା ଦଖଲରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ବିଜେପି ନେତାମାନେ ଆକଳନ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos