
ପୁଣି କିଛିଦିନର ନିରବତା ପରେ ବିଜେଡିରେ ‘ଉତ୍ତରାଧିକାରୀ’ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ଖୋଲାଖୋଲି ଭାବେ ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓ ରାଜ୍ୟର ନେତୃତ୍ୱ ନିଅନ୍ତୁ କହି ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛନ୍ତି । ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଖାସ୍ ଅନୁଗତ ଭାବେ ପରିଚିତ ଦିବ୍ୟଶଙ୍କରଙ୍କ ଏହି ବୟାନକୁ ନେଇ ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ତାଙ୍କୁ ବୁଲେଇବଙ୍କେଇ ସମର୍ଥନ କରିଛନ୍ତି ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ।
ତେବେ ବିଜେଡି ସଭାପତି ଏବେ ସକ୍ଷମ ଅଛନ୍ତି କହି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଏହି ଉତ୍ତରାଧିକାରୀ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆଉ ବିଜେଡି ନେତାମାନଙ୍କ ଏହି ବୟାନବାଜି ମଧ୍ୟରେ ପିସିସି ସଭାପତି ଭକ୍ତଚରଣ ଦାସ ବିଜେଡିରେ ଚାଲିଥିବା ବିଶୃଙ୍ଖଳିତ ଆଚରଣକୁ ନେଇ ଉଦବେଗ ପ୍ରକାଶ କରିବା ସହ ନବୀନ ପଟ୍ଟନାୟକ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ପରାମର୍ଶ ଦେଇଛନ୍ତି।
ଦିବ୍ୟଶଙ୍କରଙ୍କ ବିବାଦୀୟ ବୟାନ, ଦଳରେ ଅସ୍ଥିରତା ପାଇଁ ଚେଷ୍ଟା
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ସକ୍ରିୟ ଥିବାବେଳେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର କାହିଁକି କଳିକେଶଙ୍କ ପାଇଁ ଏଭଳି ବୟାନବାଜି କଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିର ପ୍ରଭାବଶାଳୀ ନେତା ବବି ଦାସଙ୍କ ଖାସ୍ ଅନୁଗତ ଭାବେ ପରିଚିତ ଦିବ୍ୟଶଙ୍କର ଗତକାଲି ବଲାଙ୍ଗିରରେ ଦେଇଥିବା ବୟାନ ଖୋଲାଖୋଲି କଳିକେଶ ନାରାୟଣ ସିଂ ଦେଓଙ୍କୁ ରାଜ୍ୟର ନେତୃତ୍ୱ ନେବା ପାଇଁ ଆହ୍ୱାନ ଦେଇ ସିଧାସଳଖ ନବୀନଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି ।
ସେ କହିଛନ୍ତି, କଳିକେଶଙ୍କ ପାଖରେ ଯୋଗ୍ୟତା ଅଛି, ସେ ଦାୟିତ୍ୱ ନିଅନ୍ତୁ । ତାଙ୍କ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ମଧ୍ୟ ଦିନେ ମୁଖ୍ୟମନ୍ତ୍ରୀ ଥିଲେ, ତେଣୁ କଳିକେଶଙ୍କୁ ଆମେ ଏପରି ଜଣେ ନେତା ଭାବେ ଠିଆ କରିବୁ ଯେମିତି ରାଜ୍ୟ ତାଙ୍କୁ ଗ୍ରହଣ କରିବ। ଦିବ୍ୟଶଙ୍କରଙ୍କ ଏହି ବୟାନ ପରୋକ୍ଷରେ ନବୀନଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ ଓ ଦଳ ଭିତରେ ବିଭ୍ରାଟ ସୃଷ୍ଟି କରିବାର ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି ଚର୍ଚ୍ଚା ହେଉଛି।
ନିଆଁରେ ଘିଅ ଢାଳିଲେ କି ଅରୁଣ?
ଦିବ୍ୟଶଙ୍କରଙ୍କ ‘କଳିକେଶ’ ପ୍ରସଙ୍ଗକୁ ବୁଲେଇବଙ୍କେଇ ସମର୍ଥନ ଦେଇଛନ୍ତି ନୟାଗଡ଼ର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ । ଚିରାଚରିତ ଢଙ୍ଗରେ ବେଶ୍ ଚତୁରତାର ସହ ଦିବ୍ୟଶଙ୍କରଙ୍କୁ ସିଧାସଳଖ ବିରୋଧ ନକରି ବରଂ ଏକପ୍ରକାର ସମର୍ଥନ ଜଣାଇବା ଶୈଳୀରେ କହିଛନ୍ତି ଯେ “ଜଣେ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତୁଛନ୍ତି ମାନେ ତାଙ୍କର ଦକ୍ଷତା ଅଛି। ଯୋଗ୍ୟତା ଓ ଦକ୍ଷତା ଅଛି ବୋଲି ନିର୍ବାଚନ ଜିତୁଛନ୍ତି। ସମସ୍ତଙ୍କ ପାଖରେ ଦକ୍ଷତା ଅଛି । ଦଳରେ ବୟସ୍କ ଲୋକଙ୍କ ଅନୁଭବର ଯେତିକି ଆବଶ୍ୟକ ରହିଛି ଯୁବ ନେତୃତ୍ୱର ସାମର୍ଥ୍ୟ ବି ସେତିକି ଆବଶ୍ୟକତା ରହିଛି । ଲକ୍ଷଲକ୍ଷ କର୍ମୀ କାମ କରୁଛନ୍ତି ସେଥିପାଇଁ ତ ଦଳ ଏତେବର୍ଷ ଧରି ଚାଲିଛି ବୋଲି ଅରୁଣ କହିଛନ୍ତି।
ନବୀନଙ୍କ ନେତୃତ୍ୱରେ ଦଳ ପରିଚାଳିତ ହେଉଥିବାବେଳେ ଏଭଳି ନେତୃତ୍ୱର ଆବଶ୍ୟକତା କ’ଣ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଯୁବ ନେତୃତ୍ୱର ଆବଶ୍ୟକତା ଥିବା କଥା କହି ପରୋକ୍ଷରେ ଦିବ୍ୟଶଙ୍କରଙ୍କ ‘କଳିକେଶ୍ ମିଶନ’କୁ ସମର୍ଥନ କରିଛନ୍ତି। ଯାହାକି ନବୀନଙ୍କ ନେତୃତ୍ୱ ପ୍ରତି ଏକ ଚ୍ୟାଲେଞ୍ଜ ଓ ପରଦା ପଛରେ ଚାଲିଥିବା ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି କୁହାଯାଉଛି ।
କଡ଼ା ଜବାବ ଦେଲେ ଗଣେଶ୍ୱର, ପିସିସି ସଭାପତିଙ୍କ କ୍ଷୋଭ
କେନ୍ଦ୍ରାପଡ଼ାର ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏହି ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରି ଦଳର ଶୃଙ୍ଖଳା ରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି, ଆମ ସଭାପତି (ନବୀନ ପଟ୍ଟନାୟକ) ସଫଳ ଓ ସକ୍ଷମ, ସେ ଅକ୍ଷମ ନୁହନ୍ତି । ଆମ ସର୍ବମାନ୍ୟ ନେତା ନବୀନ । ସେ ତାଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି । ତେଣୁ ଉତ୍ତରାଧିକାରୀ ଚର୍ଚ୍ଚା ଆସିଲା କେଉଁଠୁ? ବିଜେଡିର ଉତ୍ତରାଧିକାରୀ କିଏ ହେବ ତାହା କେବଳ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ଦିବ୍ୟଶଙ୍କର କ’ଣ ପାଇଁ ଏମିତି କହିଲେ ସେ ତାହାର ଉତ୍ତର ଦେଇପାରିବେ କହି ଦଳରେ ଅସ୍ଥିରତା ସୃଷ୍ଟି ନିମନ୍ତେ ଚାଲିଥିବା ଉଦ୍ୟମକୁ ନାପସନ୍ଦ କରିଛନ୍ତି ଆଉ ପରୋକ୍ଷରେ ଉଭୟ ଦିବ୍ୟଶଙ୍କର ଓ ଅରୁଣଙ୍କୁ କଡ଼ା ଜବାବ ଦେଇଛନ୍ତି ।
ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏହି ପ୍ରସଙ୍ଗରେ କ୍ଷୋଭ ବ୍ୟକ୍ତ କରିଛନ୍ତି । ନବୀନବାବୁ ଥାଉ ଥାଉ ଦଳ ଭିତରେ ଏତେ ବିଶୃଙ୍ଖଳା ହେଉଛି କେମିତି ବୋଲି କହି ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ଏହା ଦଳ ଭିତରର ନିଷ୍ପତ୍ତି । ନବୀନବାବୁ ଏସବୁ ବୁଝିବା କଥା । ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି ଶ୍ରୀ ଦାସ କହିଛନ୍ତି । ଅବଶ୍ୟ କଳିକେଶଙ୍କ ଯୋଗ୍ୟତାକୁ ନେଇ ସେ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।
ବିଜେଡି ଅସ୍ଥିରତା ପଛରେ କିଏ?
ଦଳକୁ ଅସ୍ଥିର କରିବା ପାଇଁ ସୁଚିନ୍ତିତ ଢଙ୍ଗରେ ଏଭଳି ଅପଚେଷ୍ଟା ଚାଲିଥିବା ଚର୍ଚ୍ଚା ହେଉଛି । ବିନା କାହାର ପରାମର୍ଶରେ ଦିବ୍ୟଶଙ୍କର ଏତେବଡ଼ ବୟାନ ଦେବାକୁ ବିଜେଡିରେ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ବବିଙ୍କ ଖାସ୍ ଅନୁଗତ ଭାବେ ଦିବ୍ୟଶଙ୍କର ଜଣାଶୁଣା । ବବିଙ୍କ ଅଜାଣତରେ କଳିକେଶଙ୍କୁ ନେତୃତ୍ୱ ନେବା ପାଇଁ ଆହ୍ୱାନ କରି ନବୀନଙ୍କ ନେତୃତ୍ୱକୁ ଦୁର୍ବଳ ଦେଖାଇବାକୁ ଉଦ୍ୟମ କରିବା ଛୋଟକଥା ନୁହେଁ । ଦିବ୍ୟଶଙ୍କରଙ୍କ ବୟାନକୁ ବବିଙ୍କ ଅନ୍ୟତମ ଖାସ୍ ସହଯୋଗୀ ଅରୁଣ ସମର୍ଥନ କରିବା ମଧ୍ୟ ଏହି ସୁଚିନ୍ତିତ ରଣନୀତି ଓ ଦଳରେ ଅସ୍ଥିରତା ସୃଷ୍ଟିର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି ।
କଳିକେଶଙ୍କ ପିତା ବରିଷ୍ଠ ନେତା ଏୟୁ ସିଂହଦେଓ ଗତ ୪ଦିନ ତଳେ ନବୀନ ନିବାସ ଆସି ନବୀନଙ୍କୁ ଭେଟିଥିବାବେଳେ ଦିବ୍ୟଶଙ୍କରଙ୍କ ଏଭଳି ବୟାନ ପଛରେ ଷଡ଼ଯନ୍ତ୍ରର ଗନ୍ଧ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି ।
ପୂର୍ବରୁ ଝୁମୁକା ଫାର୍ମହାଉସ ହେଉ କି କଟକ,ଗୋପାଳପୁର ଅବା ଭଦ୍ରକରେ ଦଳୀୟ ନେତାମାନେ ମେଳି କରିବା ପଛରେ ବବିଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳରେ ଅସ୍ଥିରତା ସୃଷ୍ଟି କରି ଗୋଳିଆ ପାଣିରୁ ଫାଇଦା ନେଇ ନିଜର ଗୁରୁତ୍ୱ ବୃଦ୍ଧି ସହ ସୁଜାତା କାର୍ତ୍ତିକେୟନଙ୍କ ପ୍ରବେଶର ମାର୍ଗ ପ୍ରଶସ୍ତ ନିମନ୍ତେ ଏଭଳି ଅନାବଶ୍ୟକ ବୟାନବାଜି ପୁଣିଥରେ ଆରମ୍ଭ ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
