Advertisment

ସରକାର ସ୍ଥିର କରନ୍ତୁ ପାଣ୍ଡିଆନ ନେତା ନା ଅଫିସର: ସିଏମଓରୁ ବହିଷ୍କାର ଦାବି କଲା ବିଜେପି

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଏହି ସମୟରେ ସରକାରୀ ଅଧିକାରୀମାନେ ସିଧାସଳଖ ଭାବରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ।

author-image
Ordigital Desk
ଅଦ୍ୟତନ ହୋଇଛି
BJP

BJP

ଓଡ଼ିଶା ବୋଧହୁଏ ଦେଶର ଏକମାତ୍ର ରାଜ୍ୟ ଯେଉଁଠି ଜଣେ ବ୍ୟକ୍ତି ଉଭୟ ଅଫିସର ଓ ନେତା ଭୂମିକାରେ ଅଛନ୍ତି। ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ଚାଲିଛି। ବିଜେଡି ନେତା ଭିକେ ପାଣ୍ଡିଆନ ସର୍ବସମ୍ମୁଖରେ ରାଜନୀତିକ କାର୍ଯ୍ୟକଳାପରେ ଭାଗ ନେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ତାଲିକାରେ ସେ କିଭଳି ସର୍ବାଗ୍ରେ ରହିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପାଣ୍ଡିଆନଙ୍କୁ ତୁରନ୍ତ ବହିଷ୍କାର ପାଇଁ ଦାବି କରିଛି।

Advertisment

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଏହି ସମୟରେ ସରକାରୀ ଅଧିକାରୀମାନେ ସିଧାସଳଖ ଭାବରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ। ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯେଉଁ ଅଫିସରମାନଙ୍କ ତାଲିକା ରହିଛି ସେଥିରେ ୧ନମ୍ବର ସ୍ଥାନରେ ଭିକେ ପାଣ୍ଡିଆନ ଅଛନ୍ତି,  ଯାହାକି ବଡ ଆଶ୍ଚର୍ଯ୍ୟଜନକ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ଏବେ ବି ସେହି ତଥ୍ୟ ଉପଲବ୍ଧ ଅଛି। ପାଣ୍ଡିଆନ ହେଉଛନ୍ତି ବିଜେଡିର ଜଣେ ନେତା ଓ ବିଜେଡି ତାଙ୍କ ନିୟନ୍ତ୍ରଣରେ ରହିଛି। ସେ ବିଜେଡି ଦଳର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ସଂଚାଳନ କରୁଛନ୍ତି, ବିଜେଡି ଟିକେଟ୍ ବଂଟନ ତାଙ୍କ ନିର୍ଦ୍ଦେଶରେ ହେଉଛି।

ଭିକେ ପାଣ୍ଡିଆନଙ୍କୁ କିଭଳି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅଫିସର ଭାବରେ କାମ କରିବା ପାଇଁ ଦିଆଯାଉଛି? ନେତା ନା ଅଫିସର ତାହା କ'ଣ ସରକାର ଜାଣିପାରୁନାହାନ୍ତି କି? ଯଦି ଶ୍ରୀ ପାଣ୍ଡିଆନ ଅଫିସର ତାଲିକାରେ ୧ନଂରେ ସ୍ଥାନରେ ଅଛନ୍ତି ତାହାଲେ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଶାସକ ଦଳର ରାଜନୈତିକ କାର୍ଯ୍ୟକ୍ରମରେ ରହିପାରିବେ କି? କିଛିଦିନ ତଳେ ନିର୍ବାଚନ କମିଶନ ୬ଜଣ ଆଇପିଏସ୍ ଅଫିସର ଓ ୨ଜଣ ଆଇଏଏସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏବେ ନିର୍ବାଚନ କମିଶନଙ୍କ ନିୟମକୁ ଅନୁସରଣ କରି ଭିକେ ପାଣ୍ଡିଆନଙ୍କୁ ତୁରନ୍ତ ୫-ଟିି ଅଧ୍ୟକ୍ଷ ପଦରୁ ବହିଷ୍କାର କରିବା ସହ ତାଙ୍କ ଉପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରୁଛି।

Advertisment

ଓଡ଼ିଶାରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ମୁଖ୍ୟ ସଚିବଙ୍କ ବଡ଼ ଭୂମିକା ରହିଛି। ଓଡ଼ିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ଜଣେ ବ୍ୟକ୍ତି ଉଭୟ ଅଫିସର ପଦବୀରେ ଅଛନ୍ତି ଓ ନେତା ହୋଇ ସର୍ବସମ୍ମୁଖରେ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେଉଛନ୍ତି। ନିର୍ବାଚନ ଆଚରଣ ବିଧିର ଏଭଳି ଖୁଲମଖୁଲା ଉଲ୍ଲଙ୍ଘନ କେବେ ହୋଇନାହିଁ। ଦିନେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ପରିଚାଳନାରେ ଜଣେ ଅଫିସରଙ୍କ ସମ୍ପୃକ୍ତି ପାଇଁ ତାଙ୍କର ନିର୍ବାଚନ ଅସିଦ୍ଧ ହୋଇଥିଲା ଓ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏବେ ଓଡ଼ିଶାରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀ ପରିସ୍ଥିତି ଏପିସୋଡ ରିପିଟ ହେବାକୁ ଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିକଟରେ ରାଜ୍ୟର ଜଣାଶୁଣା ସୂଚନା ଅଧିକାର ଆଇନ କର୍ମୀମାନେ ପାଣ୍ଡିଆନ ବାବୁଙ୍କର ସୁରକ୍ଷାରେ ୭୪ଜଣ ପୋଲିସ ଅଧିକାରୀ କାହିଁକି କାମ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ନିଜେ ପାଣ୍ଡିଆନ ଏହି ଘଟଣାକୁ ନେଇ ଚୁପ ଥିଲାବେଳେ ଭୁବନେଶ୍ୱର ପୋଲିସ ନିଜ ଆଡୁ ମୋକଦ୍ଦମା ରୁଜୁ କରୁଛି। ଗଣତନ୍ତ୍ରରେ ସତ୍ୟକୁ ସାମ୍ନା କରିବା ଦରକାର। ତାହା ନକରି ଯଦି ମିଛ ମୋକଦ୍ଦମା ରୁଜୁ କରାଯାଏ ତାହେଲେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପୁଲିସ କାହିଁକି ଜଣେ ଦଳୀୟ ନେତାଙ୍କ ଚାପରେ କାମ କରୁଛି ? ପୁଲିସ ପ୍ରଶାସନ ପାଖରେ ଯଦି ସତସାହାସ ଅଛି , ଯାହା ତଥ୍ୟ ଦିଆଯାଇଛି ତାହା ଭୁଲ୍ ବୋଲି ସେମାନେ କୁହନ୍ତୁ। ତାହା ନକରି ଆମେ ତଥ୍ୟ ଦେଇନାହୁଁ ବୋଲି କହିବା ପୁଲିସର ଦୁର୍ବଳତାକୁ ଦର୍ଶାଉଛି। ଓଡ଼ିଶାର ଗଣତନ୍ତ୍ର ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ମିଡ଼ିଆ ଉପରେ ଆକ୍ରମଣ ହେଉଛି, ସୂଚନା ଅଧିକାର କର୍ମୀମାନଙ୍କ ଉପରେ ମିଛ କେସ୍ ଲଗାଇ ତାଙ୍କୁ ହଇରାଣ କରାଯାଉଛି। ଲୋକେ ଏଥର ନିର୍ବାଚନରେ ଏସବୁର  ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

BjD Bjp