Advertisment

ଦିଲ୍ଲୀ ସରକାରଙ୍କ ଯୋଜନାର ତଦନ୍ତ ନିର୍ଦ୍ଦେଶ, ସମାଲୋଚନା କଲେ କେଜ୍ରିୱାଲ

ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ପଞ୍ଜାବ ସରକାର ଟଙ୍କା ପଠାଉଥିବା ଅଭିଯୋଗ ଆଣିଲା କଂଗ୍ରେସ। 'ମହିଳା ସମ୍ମାନ ଯୋଜନା'ର ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ।

author-image
Debadatta Aryashrestha
Delhi LT Governor VK Saxena and Arvind Kejriwal

Delhi LT Governor VK Saxena and Arvind Kejriwal

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅଡ଼ୁଆରେ ଆମ୍ ଆଦମୀ ପାର୍ଟି ସରକାର। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିବା 'ମହିଳା ସମ୍ମାନ ଯୋଜନା' ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ବିନୟ କୁମାର ସକ୍ସେନା। କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କରିଥିବା ଅଭିଯୋଗ ଆଧାରରେ ଦିଲ୍ଲୀର ମୁଖ୍ୟ ସଚିବ ଓ ପୁଲିସ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ।

Advertisment

ଆସନ୍ତା ୨୦୨୫ ଫେବୃଆରୀରେ ସମ୍ଭବତଃ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆପ୍ ସରକାର ଆରମ୍ଭ କରିଥିବା ଏହି 'ମହିଳା ସମ୍ମାନ ଯୋଜନା'ରେ ଏପର୍ଯ୍ୟନ୍ତ ୨୨ ଲକ୍ଷରୁ ଅଧିକ ମହିଳା ପଞ୍ଜୀକୃତ ହୋଇସାରିଲେଣି। ନିର୍ବାଚନରେ ମହିଳା ଭୋଟବ୍ୟାଙ୍କ ରାଜନୀତି ପାଇଁ ଆପ୍ ଏହି ଯୋଜନା ଆଣିଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି। ଅନ୍ୟପଟେ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବାକୁ ପଞ୍ଜାବ ସରକାର ଦିଲ୍ଲୀ ସରକାରଙ୍କୁ ଟଙ୍କା ପଠାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ତଥା ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିଦ୍ୱନ୍ଦ୍ୱୀ ସନ୍ଦୀପ ଦୀକ୍ଷିତ। ଯାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଏହା ଏକ ବଡ ପ୍ରସଙ୍ଗ ହୋଇପାରେ।

ଅଭିଯୋଗ ହୋଇଛି ଯେ 'ମହିଳା ସମ୍ମାନ ଯୋଜନା' ଆଳରେ ଆପ୍ ଭୋଟରମାନଙ୍କର ବ୍ୟକ୍ତିଗତ ସୂଚନା ସଂଗ୍ରହ କରିବାକୁ ଚାହୁଁଛି। କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ପାଖରେ ପଞ୍ଜାବର ଗୁଇନ୍ଦା ଅଧିକାରୀମାନେ ବୁଲୁଛନ୍ତି। ଏପରିକି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପଞ୍ଜାବ ସରକାର ଦିଲ୍ଲୀ ସରକାରଙ୍କୁ ଟଙ୍କା ପଠାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏନେଇ ଦିଲ୍ଲୀ ଉପରାଜ୍ୟପାଳ ପୁଲିସ କମିଶନରଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ମାମଲାକୁ ଗୁରୁତ୍ୱର ସହ ନେଇ ପଞ୍ଜାବରୁ ଦିଲ୍ଲୀ ଆସୁଥିବା ଗାଡ଼ି ଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୁଲିସକୁ ଚିଠି ଲେଖିଛନ୍ତି ଉପରାଜ୍ୟପାଳ ଭି.କେ ସକ୍ସେନା।

Advertisment

ସେପଟେ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଉପରାଜ୍ୟପାଳଙ୍କ ମାଧ୍ୟମରେ ବିଜେପି ଏହି ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କେଜ୍ରିୱାଲ କହିଛନ୍ତି ଯେ ବିଜେପି ଆପଣଙ୍କ ସଂଜୀବନୀ ଯୋଜନା ଓ ମହିଳା ସମ୍ମାନ ଯୋଜନା ବନ୍ଦ କରିବାକୁ ଚାହୁଁଛି। ମାଗଣା ଶିକ୍ଷା, ବିଜୁଳି, ସ୍ୱାସ୍ଥ୍ୟସେବା ଓ ସ୍କୁଲ ଆଦି ବନ୍ଦ କରିବାକୁ ବିଜେପି ଦିଲ୍ଲୀ ନିର୍ବାଚନ ଲଢ଼ୁଛି। ମହିଳାଙ୍କର ଉନ୍ନତି ବିଜେପି ଚାହେଁନି। ସେଥିପାଇଁ ମହିଳା ସମ୍ମାନ ଯୋଜନା ବନ୍ଦ କରିଦେବାକୁ ବିଜେପି ଚାହୁଁଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି। ତେଣୁ ଏହି ତଦନ୍ତ ନିର୍ଦ୍ଦେଶ ଦିଲ୍ଲୀ ଉପରାଜ୍ୟପାଳ ନୁହେଁ, ବରଂ ଅମିତ ଶାହଙ୍କ କାର୍ଯ୍ୟାଳୟରୁ ଆସିଛି ବୋଲି କହି କଟାକ୍ଷ କରିଛନ୍ତି କେଜ୍ରିୱାଲ।

Arvind Kejriwal Bjp Mahila Samman Yojana Sandeep Dikshit Delhi Politics Congress Aam Aadmi Party LG VK Saxena