Advertisment

ବିଜେଡିର ଲୋକସଭା ପ୍ରାର୍ଥୀ: ୨୧ରୁ ମାତ୍ର ୬ ପ୍ରାର୍ଥୀ ରିପିଟ୍ , ୯ ଦଳଡ଼ିଆଁଙ୍କୁ ଭରସା

ବିଜେପି ୨ଟି ପର୍ଯ୍ୟାୟରେ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ ଗୋଟିଏ ପର୍ଯ୍ୟାୟରେ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି।

BJD

BJD

Advertisment

ବିଜେଡି ଲୋକସଭା ପାଇଁ ଚତୁର୍ଥ ପର୍ଯ୍ୟାୟର ତାଲିକାରେ ବାକିଥିବା ବାଲେଶ୍ୱର ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି।

Advertisment

ଗତ ସପ୍ତାହରେ ବିଜେପି ଛାଡ଼ି ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଛି ବିଜେଡି। ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ୯ଟିରେ ଦଳଡ଼ିଆଁଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିଛି। ଦଳ ମାତ୍ର ୪ଜଣ ସାଂସଦଙ୍କୁ ସେମାନଙ୍କ ସ୍ଥାନରେ ରିପିଟ୍ କରିଥିବାବେଳେ ୨ଜଣ ପରାଜିତ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସ୍ଥାନ ପରିବର୍ତ୍ତନ କରିଛି ଓ କୌଶଲ୍ୟା ହିକକାଙ୍କୁ କୋରାପୁଟରୁ ଲଢ଼ିବାକୁ ଆଉଥରେ ସୁଯୋଗ ଦେଇଛି। ଦଳଡ଼ିଆଁଙ୍କ ମଧ୍ୟରେ ବିଜେପିରୁ ଆସିଥିବା ୪ଜଣ ଓ କଂଗ୍ରେସରୁ ଆସିଥିବା ୫ଜଣ ନେତାଙ୍କୁ ବିଜେଡି ଏଥର ଲୋକସଭାରେ ପ୍ରାର୍ଥୀ କରି ନିଜ ଦଳରେ ନେତାଙ୍କ ସଙ୍କଟ ଥିବାର ପ୍ରମାଣ ଦେଇଛି।

ବିଜେପି ୨ଟି ପର୍ଯ୍ୟାୟରେ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ ଗୋଟିଏ ପର୍ଯ୍ୟାୟରେ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ମଧ୍ୟ ୪ଟି ପର୍ଯ୍ୟାୟରେ ୨୧ଟି ଲୋକସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଜି ଶେଷ ପର୍ଯ୍ୟାୟରେ ବାକିଥିବା ବାଲେଶ୍ୱର ଆସନ ନିମନ୍ତେ ବିଜେପି ଛାଡ଼ିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି ଲୋକସଭା ନିର୍ବାଚନରେ ମୋଟ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରି ୩୩ ପ୍ରତିଶତ ଟିକେଟ୍ ମହିଳାଙ୍କୁ ଦେଇଥିବାର ସନ୍ଦେଶ ଦେଇଛି। ୩ମହିଳା ସାଂସଦ ଜଗତସିଂହପୁର ରାଜଶ୍ରୀ ମଲ୍ଲିକ, ଯାଜପୁର-ଶର୍ମିଷ୍ଠା ସେଠୀ ଓ ଭଦ୍ରକ-ମଞ୍ଜୁଲତା ମଣ୍ଡଳଙ୍କୁ ସେମାନଙ୍କ ସ୍ଥାନରେ ରିପିଟ୍ କରିଥିବାବେଳେ କୋରାପୁଟରେ ଗତଥର ପରାଜିତ କୌଶଲ୍ୟାଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି। ଆସିକାରେ ରଞ୍ଜିତା ସାହୁ, ବରଗଡ଼ରେ ପରିଣୀତା ମିଶ୍ର ଓ ବାଲେଶ୍ୱରରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଶାଇ ମୋଟ ୭ଜଣ ମହିଳାଙ୍କୁ ଲୋକସଭା ନିର୍ବାଚନ ମଇଦାନକୁ ବିଜେଡି ଓହ୍ଲାଇଛି।

Advertisment

ବିଜେଡି ଏଥର ଲୋକସଭା ନିର୍ବାଚନ ମଇଦାନରେ ସର୍ବାଧିକ ଦଳଡ଼ିଆଁଙ୍କୁ ପ୍ରାର୍ଥୀ କରି ନିଜ ଦଳରେ ନେତାଙ୍କ ଅଭାବ ଥିବାର ସନ୍ଦେଶ ଦେଇଛି। ଅବଶ୍ୟ ବିଜେଡିର ଏଭଳି ପ୍ରାର୍ଥୀଙ୍କୁ ନେଇ ରାଜନୀତିକ ମହଲରେ ଭିନ୍ନ ଚର୍ଚ୍ଚା ଚାଲିଛି। ତେବେ ଯେଉଁ ଦଳଡ଼ିଆଁଙ୍କୁ ବିଜେଡି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛି ସେଥିରେ କଂଗ୍ରେସରୁ ଆସିଥିବା ଅନୁଭବ ମହାନ୍ତି, ସୁରେନ୍ଦ୍ର ସିଂ ଭୋଇ,ମନ୍ମଥ ରାଉତରାୟ, ପ୍ରଦୀପ ମାଝୀ ଓ ଅବିନାଶ ସାମଲ ଥିବାବେଳେ ବିଜେପିରୁ ଆଗତ ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ପରିଣୀତା ମିଶ୍ର(ସୁଶାନ୍ତ ମିଶ୍ରଙ୍କ ପତ୍ନୀ) ଓ ଧନୁର୍ଜୟ ସିଦ୍ଧୁ ଅଛନ୍ତି।

ବିଜେଡିର ଚଳିତ ଲୋକସଭା ନିର୍ବାଚନରେ ଯେଉଁଭଳି ପ୍ରାର୍ଥୀ ଦେଇଛି ତାକୁ ନେଇ ଦଳ ଭିତରେ ଓ ରାଜନୀତିକ ମହଲରେ ନାନାଦି ଚର୍ଚ୍ଚା ଜୋର ଧରିଛି। ବିଜେଡି ଯେଉଁ ସମୀକରଣ ଓ ରାଜନୀତିକ ଫାଇଦା ପାଇଁ ଏଭଳି ପ୍ରାର୍ଥୀ ଚୟନ କରିଛି ସେଥିରେ କେତେ ସଫଳ ହେଉଛି ତାହା ସାଧାରଣ ନିର୍ବାଚନ ଶେଷ ହେବାପରେ ଜଣାପଡ଼ିବ।

BjD Bjp Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe