ମୋଦିଙ୍କ ୧୭୫ ଓ ରାହୁଲଙ୍କ ୧୦୭ ରାଲି, ସରିଲା ୭୫ ଦିନ ଧରି ଚାଲିଥିବା ପ୍ରଚାର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ୮ କିମି ଲମ୍ୱା ପଦଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ହୋଶିଆରପୁରରେ ତାଙ୍କର ଶେଷ ରାଲି କରିଥିଲେ।

ମୋଦି ଓ ରାହୁଲ (ଫାଇଲ ଫଟୋ)

  • Published: Thursday, 30 May 2024
  • , Updated: 30 May 2024, 08:47 PM IST

ଦେଶରେ ପରବର୍ତ୍ତୀ ସରକାର କିଏ ଗଢ଼ିବେ, ସେକଥା ଆସନ୍ତା ୪ ତାରିଖରେ ଜଣାପଡ଼ିବ। କ୍ଷମତା ଦଖଲ ପାଇଁ ୭୫ ଦିନ ଧରି ଚାଲିଥିବା ନିର୍ବାଚନୀ ପ୍ରଚାରରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଗୁରୁବାର ସନ୍ଧ୍ୟାରୁ ଶେଷ ହୋଇଛି ପ୍ରଚାର। ବଡ଼ବଡ଼ ସମାବେଶ, ନିର୍ବାଚନୀ ଶୋଭାଯାତ୍ରା ଓ ରୋଡ୍ ଶୋ’ରେ ଲାଗିଛି ବିରାମ।

ଶେଷ ଦିନରେ ସବୁ ଦଳର ହେଭିୱେଟ ପ୍ରଚାରରେ ଶେଷ ସ୍ପର୍ଶ ଦେଇଛନ୍ତି। ନିଜ ସପକ୍ଷରେ ଭୋଟ ପକାଇବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଭିନ୍ନ ରାଲିରେ ଜନତାଙ୍କୁ ସମ୍ବୋଧନ କରିଥିଲେ।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ୮ କିମି ଲମ୍ୱା ପଦଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ହୋଶିଆରପୁରରେ ତାଙ୍କର ଶେଷ ରାଲି କରିଥିଲେ। ଏଠାରୁ ପିଏମ ମୋଦି ସିଧା କନ୍ୟାକୁମାରୀ ଅଭିମୁଖେ ଯାତ୍ରା କରିଥିଲେ।

ଜୁନ୍ ୧ ରେ ତାଙ୍କ ଲୋକସଭା ଆସନ ବାରାଣସୀ ସମେତ ୮ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼କୁ ମିଶାଇ ୫୭ଟି ସିଟରେ ଭୋଟ୍ ଗ୍ରହଣ ହେବ। ଦୀର୍ଘ ସାତଟି ପର୍ଯ୍ୟାୟ ନିର୍ବାଚନ କାର୍ଯ୍ୟକ୍ରମ ସମୟରେ ସବୁ ଦଳର ଷ୍ଟାର ପ୍ରଚାରକମାନେ ନିଜ ସପକ୍ଷରେ ଜନମତ ଆଣିବାକୁ ଜୋରଦାର ଉଦ୍ୟମ କରିଛନ୍ତି।

୭୫ ଦିନ ଧରି ଜାରି ରହିଥିବା ନିର୍ବାଚନୀ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଦେଶରେ ୧୭୫ଟି ରାଲି ଓ ରୋଡ୍ ଶୋ’ କରିଛନ୍ତି। ଏଥିସହ ସେ ବିଭିନ୍ନ ନ୍ୟୁଜ ଏଜେନ୍ସି ଓ ଚ୍ୟାନେଲକୁ ୮୦ଟି ସାକ୍ଷାତକାର ଦେଇଛନ୍ତି। ବିଜେପିର ଚାଣକ୍ୟ ଅମିତ ଶାହ ୧୧୫ଟି ରାଲି ଓ ୧୮ଟି ରୋଡ୍ ଶୋ, ଜେପି ନଡ୍ଡା ୮୭ଟି ରାଲି କରି ଭୋଟ ମାଗିଛନ୍ତି।

ବିରୋଧୀଙ୍କ ପ୍ରଚାରକୁ ହିସାବକୁ ନେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି ୧୦୭ଟି ରାଲି ଓ କିଛି ହାତ ଗଣତି ରୋଡ୍ ଶୋ’ କରିଛନ୍ତି। ସପା ସୁପ୍ରିମୋ ଅଖିଳେଶ ଯାଦବ ୬୯ଟି ରାଲି ଓ ୪ଟି ରୋଡ୍ ଶୋ’ ଏବଂ ମମତା ବାନାର୍ଜୀ ୬୧ଟି ରାଲି, ଅନେକ ରୋଡ୍ ଶୋ’ ଓ ପଦଯାତ୍ରା କରିଛନ୍ତି।

ଏହି ଲୋକସଭା ନିର୍ବାଚନର ପ୍ରଚାର ସମୟରେ ​​ଅମିତ ଶାହ ରାଲି, ରୋଡ୍ ଶୋ’ ଓ ନିର୍ବାଚନୀ ବୈଠକକୁ ମିଶାଇ ମୋଟ ୨୨୧ଟି କାର୍ଯ୍ୟକ୍ରମ କରିଛନ୍ତି। ଜେପି ନାଡା ୨୩ ଏପ୍ରିଲ ୨୦୨୪ରୁ ମେ ୩୦ ମଧ୍ୟରେ ୨୩ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳ ବୁଲିଛନ୍ତି।

ସେ ୧୨୫ ଲୋକସଭା ଆସନରେ ପ୍ରଚାର କରିଛନ୍ତି। ଏହି ସମୟରେ ସେ ୧୩୪ଟି ନିର୍ବାଚନ ସଭା, ବୈଠକ ଓ ରୋଡ ଶୋ’ କରିଥିଲେ। ନିର୍ବାଚନୀ ପ୍ରଚାର ମାଧ୍ୟମରେ ନଡ୍ଡା ମୋଟ ୮୫,୯୫୭ କିଲୋମିଟର ଯାତ୍ରା କରିଥିଲେ। ​​ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧୦୧ଟି ନିର୍ବାଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ୯୪ଟି ସଭା ଓ ୭ଟି ରୋଡ୍ ଶୋ’ କରିଛନ୍ତି।

ରାହୁଲ ଗାନ୍ଧି, ପ୍ରିୟଙ୍କା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟରେ ସବୁଠାରୁ ଅଧିକ ରାଲି ଓ ରୋଡ୍ ଶୋ’ ପ୍ରିୟଙ୍କା କରିଛନ୍ତି। ପ୍ରିୟଙ୍କା ୧୪୦ରୁ ଅଧିକ ସଭା ଓ ରୋଡ୍ ଶୋ’ କରିଛନ୍ତି। ଏଥିସହ ୧୦୦ରୁ ଅଧିକ ମିଡିଆ ବାଇଟ୍ ଓ ସାକ୍ଷାତକାର ଦେଇଛନ୍ତି। ଖଡଗେ ୧୦୦ରୁ ଅଧିକ ରାଲି,୨୦ରୁ ଅଧିକ ସାମ୍ବାଦିକ ସମ୍ମିଳନୀ ଓ ୫୦ରୁ ଅଧିକ ବାଇଟ ଦେଇଥିଲେ।

Related story