/odisha-reporter/media/post_attachments/uploadimage/library/16_9/16_9_0/Mahua_1698315704.jpg)
Mahua
ଲାଞ୍ଚ ନେଇ ଲୋକସଭାରେ ପ୍ରଶ୍ନ କରିବା ଓ ଲୋକସଭା ୱେବସାଇଟର ପାସୱାର୍ଡ ବ୍ୟବସାୟୀଙ୍କ ସହ ଶେୟାର କରିବା ଅଭିଯୋଗରେ ଫସିଥିବା ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ବିଚାର ଲୋକସଭା ଏଥିକ୍ସ କମିଟି ଆରମ୍ଭ କରିଛି। ଆଜି ସମସ୍ତ ଅଭିଯୋଗର ବିଚାର ଏଥିକ୍ସ କମିଟି କରିଛି। ଏଥିସହ ମହୁଆଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ କମିଟି ପକ୍ଷରୁ ସମନ କରାଯାଇଛି।
ଲୋକସଭା ଏଥିକ୍ସ କମିଟିର ମୁଖ୍ୟ ହେଉଛନ୍ତି ବିନୋଦ ସୋଙ୍କାର। ସେ କହିଛନ୍ତି, ସାଂସଦ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ବେଳେ କମିଟି ସ୍ୱରାଷ୍ଟ୍ର ଓ ଆଇଟି ମନ୍ତ୍ରଣାଳୟର ସହାୟତା ନେବ। ତାଙ୍କ ପକ୍ଷ ମଧ୍ୟ ଶୁଣାଯିବ। ଶେଷରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ମହୁଆଙ୍କୁ ଏଥିକ୍ସ କମିଟି ସମନ କରିବା ପୂର୍ବରୁ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୀ ଓ ବିଜେପି ସାଂସଦ ନିଶିକ୍ତାନ୍ତ ଦୁବେଙ୍କୁ ଡାକିଥିଲା। ସେମାନେ କମିଟି ନିକଟରେ ହାଜର ହୋଇ ନିଜ ନିଜର ବୟାନ ରେକର୍ଡ କରାଇଥିଲେ।
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ଅଭିଯୋଗପତ୍ରରେ ସାଂସଦ ଦୁବେ ଆଇନଜୀବୀ ଦେହାଦ୍ରୀ ସାମ୍ନାକୁ ଆଣିଥିବା ଦସ୍ତାବିଜ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ନେଇ ମହୁଆ ଲୋକସଭାରେ ଆଦାନି ଗ୍ରୁପ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଳିନ କରିବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା।
ଦୁବେ ଆହୁରି ଅଭିଯୋଗ କରିଛନ୍ତି ଯେ ମହୁଆ ମୋଇତ୍ରା ଭାରତରେ ଥିବା ବେଳେ ତାଙ୍କ ସଂସଦର ଆଇଡିକୁ ଦୁବାଇରେ ବ୍ୟବହାର କରାଯାଇଥିଲା। ତଦନ୍ତକାରୀ ଏଜେନ୍ସିକୁ ଏକଥା ଏନଆଇସି ଏକଥା ଜଣାଇଛି ବୋଲି ସେ ଚିଠିରେ କହିଛନ୍ତି।
କିନ୍ତୁ ସମସ୍ତ ଅଭିଯୋଗକୁ ମହୁଆ ମୋଇତ୍ରା ଖଣ୍ଡନ କରିଛନ୍ତି। ରାଜନୀତିକ ପୂର୍ବାଗ୍ରହ ଓ ବ୍ୟକ୍ତିଗତ ତିକ୍ତତା ଯୋଗୁ ତାଙ୍କ ବିରୋଧରେ ଏପରି ଅଭିଯୋଗ ଅଣାଯାଇଛି ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
