Advertisment

ରାହୁଲ ଗାନ୍ଧିଙ୍କ ବଡ଼ ଦାବି: ଲୋକସଭା ନିର୍ବାଚନରେ ହୋଇଛି ହେରଫେର, ଆମ ପାଖରେ ଅଛି ପ୍ରମାଣ

ରାହୁଲ ଅଭିଯୋଗ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ହେରଫେର ହୋଇଥିଲା। ନିର୍ବାଚନ କମିଶନ ଭାରତରେ ଆଉ ସ୍ୱାଧୀନ ଭାବେ କାମ କରୁ ନାହାନ୍ତି।

author-image
Hemant Lenka
Rahul Gandhi

Rahul Gandhi

ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଶନିବାର କଂଗ୍ରେସ ଆଇନଗତ ଟିମର କନଫରେନ୍ସରେ ରାହୁଲ ଅଭିଯୋଗ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ହେରଫେର ହୋଇଥିଲା। ନିର୍ବାଚନ କମିଶନ ଭାରତରେ ଆଉ ସ୍ୱାଧୀନ ଭାବେ କାମ କରୁ ନାହାନ୍ତି।

Advertisment

ସେ କହିଛନ୍ତି, “ଲୋକସଭା ନିର୍ବାଚନକୁ ହେରଫେର କରାଯାଇ ପାରିବ। ୨୦୨୪ ଲୋକସଭା ନିର୍ବାଚନରେ ହେରଫେର ହୋଇଥିଲା। ଆମ ଦଳ ପାଖରେ ଏହାର ତଥ୍ୟ ରହିଛି। ଆମେ ଏବେ ଏହାକୁ ପ୍ରମାଣିତ କରିବାକୁ ଯାଉଛୁ। ଏବେ ଆମ ପାଖରେ ତଥ୍ୟ ପହଞ୍ଚିଛି।”

ରାହୁଲ ଗାନ୍ଧିଙ୍କ କହିବା କଥା ଯେ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଭୋଟର ତାଲିକାର ଯାଞ୍ଚ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଛି ଯେ ମୋଟ ୬.୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧.୫ ଲକ୍ଷ ନକଲି। ଏହି ହେରଫରେ ଯୋଗୁ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଯଦି ସେମାନେ ୧୫ରୁ ୨୦ଟି ଆସନ କମ ପାଇଥାଆନ୍ତେ, ତା’ହେଲେ ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ ହୋଇ ନଥାଆନ୍ତେ ବୋଲି ରାହୁଲ କହିଛନ୍ତି।

Advertisment

ଭାରତୀୟ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, “ଭାରତରେ ନିର୍ବାଚନ କମିଶନ ମରି ସାରିଛି।” ସମ୍ମିନଳୀରେ ରାହୁଲ ଗାନ୍ଧି ନିଜ ଅଭିଯୋଗ ଓ ଆକଳନକୁ ବିସ୍ତୃତ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି, “ମୁଁ ନିକଟରେ ଦେଶର ନିର୍ବାଚନ ବ୍ୟବସ୍ଥା ଉପରେ କହିବା ଆରମ୍ଭ କରିଛି। ମୋର ସବୁବେଳେ ଗୋଟିଏ ସନ୍ଦେହ ରହିଥିଲା ଯେ କିଛି ଗୋଟିଏ ତ୍ରୁଟି ରହିଛି। ୨୦୧୪ରୁ ଏହା ଚାଲିଥିବା ସନ୍ଦେହ କରି ଚାଲିଥିଲି। ଗୁଜରାଟ ବିଧାନସଭା ନିର୍ବାଚନ ଠାରୁ ମୋର ସନ୍ଦେହ ବଢ଼ିଥିଲା। କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟରେ ଗୋଟିଏ ହେଲେ ବି ଆସନ ପାଇ ନଥିଲା। ଏହା ମୋତେ ଚକିତ କରିଥିଲା। ଆମେ ଯେତେବେଳେ ବି ଏ ସମ୍ପର୍କରେ କହୁଥିଲୁ ସେତେବେଳେ କିଛି ଲୋକ କହୁଥିଲେ ପ୍ରମାଣ କାଇଁ?

ମହାରାଷ୍ଟ୍ରରେ ସ୍ଥିତି ଆହୁରି ଜଟିଳ ହୋଇଥିଲା। ମହାରାଷ୍ଟ୍ରରେ ଏହାପରେ କିଛି ଘଟିଥିଲା। ଲୋକସଭାରେ ଆମେ ମହାରାଷ୍ଟ୍ରରେ ନିର୍ବାଚନ ଜିତିଥିଲୁ। ଏହାର ୪ ମାସ ପରେ ଆମେ କେବଳ ହାରିଲୁ ନାହିଁ, ବରଂ ଆମର ନାଁ ଗନ୍ଧ ରହିଲା ନାହିଁ।

ଏହି ଘଟଣା ପରେ ଆମେ ନିର୍ବାଚନୀ ହେରଫେରକୁ ଗୁରୁତ୍ୱର ସହ ନେଇଥିଲୁ। ଆମେ ଜାଣିବାକୁ ପାଇଥିଲୁ ଯେ ଲୋକସଭା ଓ ବିଧାନସଭା ନିର୍ବାଚନ ମଧ୍ୟରେ ୧ କୋଟି ଭୋଟର ଯୋଡ଼ି ହୋଇଯାଇଛନ୍ତି। ଏହି ଭୋଟ ବିଜେପି ପାଖକୁ ଯାଇଛି। ଏବେ ମୋର ଆଉ କୌଣସି ସନ୍ଦେହ ନାହିଁ। ମୁଁ ଏବେ କହି ପାରିବି ଯେ ଆମ ପାଖରେ ହେରଫେରର ପ୍ରମାଣ ରହିଛି।”

ଏହାପୂର୍ବରୁ ଶୁକ୍ରବାର ରାହୁଲ ଗାନ୍ଧି ପୂର୍ବରୁ ହେରଫେର ନେଇ ଆଣିଥିବା ଅଭିଯୋଗକୁ ନିର୍ବାଚନ କମିଶନ ଭିତ୍ତିହୀନ ଓ ଦାୟିତ୍ୱହୀନ ବୟାନ ବୋଲି କହିଥିଲେ।

Rahul Gandhi Election