ଭିଡ଼ ଭିତରେ କଳା ଓ ଧଳା ପୋଷାକ ପିନ୍ଧି କିଏ ଥିଲେ ? : ବିରୋଧୀ ଦଳ ନେତା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍ କରି ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୁଲିସର ଆକ୍ରମଣକୁ ନିନ୍ଦା କରିଛନ୍ତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

  • Published: Wednesday, 01 March 2023
  • , Updated: 01 March 2023, 04:39 PM IST

ଭିଡ଼ ଭିତରେ କଳା ପୋଷାକ ଓ ଧଳା ପୋଷାକ ଧରୀ କିଏ ଥିଲେ ? ଯିଏ ବିଜେପି କର୍ମକର୍ତ୍ତାଙ୍କୁ ଲହୁଲୁହାଣ କଲେ ? ସରକାରଙ୍କ ଠାରୁ ଏହାର ଜବାବ ମାଗି ଆଜି ବିଧାନସଭାରେ ହୋହଲ୍ଲା କରିଛନ୍ତି ବିଜେପି ସଦସ୍ୟ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଗତକାଲି ଲୋୟୋର ପିଏମ୍‌ଜିରେ ବିଜେପିର ଧାରଣା ବେଳେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ।

ଶୂନ୍ୟ କାଳରେ ଏହି ପ୍ରସଙ୍ଗକୁ ନେଇ ଗୃହ ଅଚଳ ଅବସ୍ଥା ହୋଇଥିଲା। ଗୃହରେ ଜୟନାରାୟଣ ମିଶ୍ର ଦାବି କରି କହିଥିଲେ, ଗତକାଲି ବିଜେପି ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗାନ୍ଧୀ ମାର୍ଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ବେଳେ ପୁଲିସ ଯେଉଁଭଳି ଅମାନୁଷିକ କାଣ୍ଡ ଘଟାଇଲା ତାହା ନିନ୍ଦନୀୟ। ଖାଲି ସେତିକି ନୁହେଁ ମୁଁ ଏବଂ ଆମ ସଦସ୍ୟ ମାନେ ହସ୍ପିଟାଲ୍ ଯାଇଥିଲୁ, ସେଠାରୁ ଆହତଙ୍କ ଦୃଶ୍ୟ ଦେଖି ଆମେ ଚକିତ ହେଲୁ। ବିଜେପି କର୍ମୀମାନେ ଲହୁଲୁହାଣ ହୋଇ ହସ୍ପିଟାଲ୍ ଯାଇଥିବା ବେଳେ ତାଙ୍କୁ ଚିକିତ୍ସିତ କରାଯାଉନାହିଁ।

ଆମକୁ ମଧ୍ୟ ଆହତ ବିଜେପି କର୍ମୀଙ୍କୁ ଦେଖାକରିବାକୁ ଦିଅଗଲାନି। ଏହା କେଉଁ ପ୍ରକାରର ଶାସନ ? ପୁଲିସ ମିଛିମିଛିକା ରୋଲ କରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଣତନ୍ତ୍ରରେ କ’ଣ ପ୍ରତିବାଦ କରି ନ୍ୟାୟ ମାଗିବା ଭୁଲ? ବାଚସ୍ପତି ଆମକୁ ଆପଣ ସୁରକ୍ଷା ଦିୟନ୍ତୁ। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସାଙ୍ଗକୁ ରୁଲିଂ ଦେବାକୁ ଦାବି କରିଥିଲେ ଜୟନାରାୟଣ ମିଶ୍ର।

ବିଜେପି କର୍ମୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଭିଡ଼ ଭିତରେ ଆକ୍ରମଣ କରୁଥିବା ଧଳା ସାର୍ଟ ପିନ୍ଧା ଯୁବକମାନେ କିଏ? ଧଳା ସାର୍ଟପିନ୍ଧା ଯୁବକମାନେ ବିଜେଡିର ଗୁଣ୍ଡା ନୁହଁନ୍ତି ତ?

ଏକ ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି। ଆମର ମଧ୍ୟ ଅଛି। ଯଦି ପୁଲିସ ବା ବିଜୁ ଜନତା ଦଳର ସରକାର ଭାବୁଥାନ୍ତି ଯେ ସେମାନଙ୍କ ବିରୋଧରେ ଯିଏ ଆନ୍ଦୋଳନ କରିବ ସେମାନଙ୍କୁ ପୁଲିସ ଓ ବିଜୁ ଜନତା ଦଳର ଗୁଣ୍ଡା ଲଗାଇ ଆକ୍ରମଣ କରାଯିବ ତାହେଲେ ଏହାଠୁ ବଳି ଦୁଃଖର କଥା ଆଉ କିଛି ନାହିଁ। ଗତକାଲିର ଯେଉଁ ଭିଡିଓ ସବୁ ଗଣମାଧ୍ୟମରେ ବୁଲୁଛି ସେଥିରେ ଆମେ ଦେଖୁଛୁ ଯେ ଆମ କାର୍ଯ୍ୟକର୍ତାଙ୍କୁ ଉଭୟ ପୁଲିସ ଓ ଧଳା ସାର୍ଟ ପିନ୍ଧା କିଛି ଯୁବକମାନେ ମିଳିତ ଆକ୍ରମଣ କରୁଛନ୍ତି। ସେହି ଧଳା ସାର୍ଟ ପିନ୍ଧା ଯୁବକମାନେ କିଏ? ସେମାନେ ବିଜୁ ଜନତା ଦଳର ଗୁଣ୍ଡା ନୁହନ୍ତି ତ?

ସେହି ବିଜୁ ଜନତା ଦଳର ଗୁଣ୍ଡାମାନେ ହିଁ ପ୍ରଥମେ ପୁଲିସ ଉପରକୁ ପଥର ମାରିଛନ୍ତି। ପରେ ପୁଲିସ ଲାଠିଚାର୍ଜ କରିଥିଲା। ଏହି ସମୟରେ ବିଜେପି ଯୁବ କାର୍ଯ୍ୟକର୍ତ୍ତାଙ୍କ ଉପରେ ସେହି ଗୁଣ୍ଡାମାନେ ବାଡେଇଥିଲେ। ଏହାର ତଦନ୍ତ ଦାବିରେ ଆମେ କ୍ୟାପିଟାଲ ଥାନାରେ ଏତେଲୋ ଦେଉଛୁ। ହେଲେ ପୁଲିସ ଏତେଲାକୁ ପଂଜିକରଣ କରିବା ପାଇଁବି ରାଜି ହେଉନି। ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ବି ଗତକାଲି ରାତି ୩ ଟା ପର୍ଯ୍ୟନ୍ତ କ୍ୟାପିଟାଲ ଥାନା ଆଗରେ ଧାରଣାରେ ବସିବାକୁ ପଡିଲା। ଆଇନ କଣ ସମସ୍ତଙ୍କ ପାଇଁ ସମାନ ନୁହେଁ କି ? ଯେଉଁ ପୋଲିସ କର୍ମଚାରୀମାନେ ଆମ ଦଳର କାର୍ଯ୍ୟକର୍ତ୍ତାକୁ ଅମାନୁଷିକ ଭାବରେ ବାଡେଇଲେ, ମହିଳା କାର୍ଯ୍ୟକର୍ତାଙ୍କୁ ଅସଦାଚରଣ କରିଲେ ସେମାନେ କ’ଣ ଆଇନର ଉର୍ଦ୍ଧ୍ୱରେ କି ?

ବିଜେପି ଯୁବମୋର୍ଚ୍ଚାର ୨୨ ଜଣଙ୍କୁ ପୁଲିସ ଯେଉଁ ଭଳି ରାତିଅଧିଆ ଗିରଫ କରିଲା ତାହା କ’ଣ ସୂଚାଉଛି ? କିଛି ପୁଲିସ କର୍ମଚାରୀ ଏବେ ପୂରା ବିଜୁ ଜନତା ଦଳର ପୋଷାଗୁଣ୍ଡା ପାଲଟି ଯାଇଛନ୍ତି। ଅଧର୍ମ ବହୁତ ହେଲାଣି। ଏସବୁ ବେଶି ଦିନ ଆଉ ଚାଲିପାରିବନି। ଧର୍ମର ସ୍ଥାପନା ହେବ। ଆମେ ନବ ଦାସଙ୍କର ହତ୍ୟାର ସିବିଆଇ ତଦନ୍ତ ନହେଲା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ କରିଚାଲିବୁ ବୋଲି ସମୀର ମହାନ୍ତି କହିଛନ୍ତି।

ଅନ୍ୟପଟେ ବିଜେପି କର୍ମୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି? ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା। ପୁଲିସ ସେମାନଙ୍କୁ ଅପରାଧୀ ଭାବେ ଆକ୍ରମଣ କରିଛି। ତାହା ଚିନ୍ତାଜନକ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍ କରି ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୁଲିସର ଆକ୍ରମଣକୁ ନିନ୍ଦା କରିଛନ୍ତି। ଏଥିସହ ଗିରଫ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଛନ୍ତି।

ତେଣେ ବିଜେପିକୁ ଟାର୍ଗେଟ କରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଏକ ସଭ୍ୟ ଦଳ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ କରିବା ଉଚିତ୍। ହାତ ଫ୍ଲାକାର୍ଡ ଓ ବ୍ୟାନର ଧରି କରାଯିବା କଥା। ହେଲେ ଆନ୍ଦୋଳନ ସ୍ଥଳକୁ ପଥର, ଛୁରା ଓ ବୋମା ନେଇ ଆସିଲେ ପୁଲିସ ନିଶ୍ଚୟ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ପଦକ୍ଷେପ ନେବ। ଓଡିଶା ହେଉଛି ଶାନ୍ତିପ୍ରିୟ ରାଜ୍ୟ। ମାତ୍ର ବିଜେପିର ଯୁବ ଗୋଷ୍ଠୀକୁ ପଥ ଭ୍ରଷ୍ଟ କରାଯାଉଛି। ପୁଲିସ କାମ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା। ଯାହା ସେ କରୁଛି। ମାତ୍ର ଶବ ଉପରେ ଛିଡ଼ା ହୋଇ ବିଜେପି ରାଜନୀତି କରୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରାଯାଉଛି। ମାତ୍ର ବିଜେପି ଏହାକୁ ମନଇଛା ଗପ ଲେଖି ଶୁଣାଉଥିବାରୁ କ୍ଷମା ମାଗୁ ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନା ଥାଇକି, ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରି ଗତକାଲି ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ବେଳେ ପୁଲିସ ସହ ହାତାହାତି ହୋଇଥିଲା। ଯାହାକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲା ବିରୋଧୀ।

Related story