/odisha-reporter/media/post_attachments/uploadimage/library/16_9/16_9_0/IMAGE_1753455727.jpg)
Sharmistha and Rabindra
ସରକାରୀ ଚାକିରିରେ ଥାଇ ବିଜେଡି ପାଇଁ ରାଜନୀତି କରିବା ମହଙ୍ଗା ପଡ଼ିଛି ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ ବରିଷ୍ଠ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସେ ନିୟମିତ ନବୀନ ନିବାସ ଯିବା ଓ ସେଠାରେ ‘ଛାୟା ବ୍ୟକ୍ତିଗତ ସଚିବ’ ଭାବେ କାର୍ଯ୍ୟ କରୁଥିବା ନେଇ ବିଜେଡି ମହଲରେ ଚର୍ଚ୍ଚା ଓ ଗୁଇନ୍ଦା ବିଭାଗର ଖୋଳତାଡ଼ ପରେ ମୋହନ ମାଝୀଙ୍କ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଥିବା ଜଣାପଡ଼ିଛି । ଶ୍ରୀ ସେଠୀଙ୍କୁ କୋରାପୁଟସ୍ଥିତ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୪ତାରିଖ ବିଳମ୍ବିତ ରାତ୍ରିରେ ମୋଟ ୨୯ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଓଡ଼ିଶା ବନ ଉନ୍ନୟନ ନିଗମରେ ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ କୋରାପୁଟକୁ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି । ଗତକାଲି ବଦଳି ହୋଇଥିବା ୧୨ଜଣ ଓଏଏସ୍ ଅଫିସରଙ୍କୁ ଗତକାଲି ହିଁ ରିଲିଭ୍ କରାଯାଇ ନୂଆ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ରବୀନ୍ଦ୍ର ସମେତ ମୋଟ ୧୭ଜଣ ଓଏଏସ୍ ଅଫିସରଙ୍କୁ ତୁରନ୍ତ ରିଲିଭ୍ କରିବା ନିମନ୍ତେ ତାଙ୍କର ଉପରିସ୍ଥ ଅଧିକାରୀମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ବିଜେଡି ସୂତ୍ର ଅନୁସାରେ, ଯାଜପୁରର ପୂର୍ବତନ ସାଂସଦଙ୍କ ସ୍ୱାମୀ ରବୀନ୍ଦ୍ର ସେଠୀ ବିଜେଡି ଶାସନ ସମୟରେ ଖୋଲାଖୋଲି ଭାବେ ଦଳୀୟ ବ୍ୟାପାରରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଅଭିଯୋଗ ହେବା ସହ ଗଣମାଧ୍ୟମରେ ବି ଖବର ପ୍ରକାଶିତ ହୋଇଥିଲା । ତେବେ ବିଜେଡି ସରକାରର ପତନ ହେବାପରେ ଶ୍ରୀ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ତାଙ୍କର ବିଜେଡି ପ୍ରୀତି ଯୋଗୁ ସେ ପ୍ରାୟତଃ ସନ୍ଧ୍ୟା ସମୟରେ ନବୀନ ନିବାସ ଯାଉଥିବା ଏବଂ ବିଜେଡି ପାଇଁ କାମ କରୁଥିବାର ଅନେକ ଅଭିଯୋଗ ସରକାରଙ୍କ ନିକଟରେ ପହଂଚୁଥିଲା ବୋଲି ସୂଚନା ମିଳିଛି ।
ସୂତ୍ର ଅନୁସାରେ, ଶ୍ରୀ ସେଠୀ ପ୍ରତ୍ୟେକ ସନ୍ଧ୍ୟାରେ ଅଧିକାଂଶ ସମୟ ନବୀନ ନିବାସରେ ବିତାଉଥିବାର ପ୍ରମାଣ ସରକାରଙ୍କ ହସ୍ତଗତ ହୋଇଥିଲା । ସେ ଛାୟା ପ୍ରାଇଭେଟ୍ ସେକ୍ରେଟାରୀ ଭାବେ ନବୀନ ନିବାସରୁ ବିଜେଡି ପାଇଁ କାର୍ଯ୍ୟ କରୁଥିବା ନେଇ ଦଳର କିଛି ନେତା ମଧ୍ୟ ଅଭିଯୋଗ କରିଥିଲେ । ଚାକିରିରେ ଥାଇ ଶ୍ରୀ ସେଠୀ କିଭଳି ନିୟମିତ ଭାବେ ବିରୋଧୀ ଦଳ ନେତାଙ୍କ ବାସଭବନକୁ ଯାଉଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ ଓଏଏସ୍ ସଂଘ ଆନ୍ଦୋଳନକୁ ଅଧିକ ଜଟିଳ କରାଇବାରେ ଶ୍ରୀ ସେଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହେବାପରେ ରାଜ୍ୟ ସରକାର କ୍ଷୁବ୍ଧ ହୋଇଥିଲେ । ତାଙ୍କୁ ଭୁବନେଶ୍ୱରରୁ କୋରାପୁଟ ବଦଳି କରିଥିବା ଜଣାପଡ଼ିଛି । ଅବଶ୍ୟ ଶ୍ରୀ ସେଠୀ ନବୀନ ନିବାସ ଯାଉଥିଲେ କି ନାହିଁ ସେ ନେଇ ମିଳିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ନିମନ୍ତେ ଗୁଇନ୍ଦା ବିଭାଗକୁ ରିପୋର୍ଟ ମାଗିଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
