Advertisment

ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ ପାପର ତାଲିକା ଦେଲେ ମୋଦି

ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି କଂଗ୍ରେସ ତାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଚାଲିଛି। ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଆମ୍ବେଦକର ପ୍ରସଙ୍ଗରେ ଧୋଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

କଂଗ୍ରେସ ଓ ଏହାର ପ୍ରଚାର ବ୍ୟବସ୍ଥା ଅନେକ ବର୍ଷ ଧରି ସମ୍ବିଧାନର ପ୍ରତିଷ୍ଠାତା ବିଆର ଆମ୍ବେଦକରଙ୍କୁ ଅପମାନିତ କରି ଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି। ବିଆର ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ କରିଥିବା ‘ପାପ’ର ତାଲିକା ମଧ୍ୟ ମୋଦି ଜାରି କରିଛନ୍ତି।

Advertisment

ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି କଂଗ୍ରେସ ତାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଚାଲିଛି। ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଆମ୍ବେଦକର ପ୍ରସଙ୍ଗରେ ଧୋଇଛନ୍ତି।

କଂଗ୍ରେସ କେମିତି ତଥାକଥିତ ଭାବେ ସମସ୍ତ ପ୍ରକାରର ଖରାପ ତରିକା ଆପଣାଇ ଡ ବିଆର ଆମ୍ବେଦକରଙ୍କ ଚିହ୍ନବର୍ଣ୍ଣ ଲିଭାଇ ଦେବା ପାଇଁ ଚେଷ୍ଟା କରିଥିଲା ଓ କେମିତି ଦଳ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ହଇରାଣ କରିଥିଲା, ସେକଥା ମୋଦି ବିସ୍ତୃତ ଭାବେ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

Advertisment

ମୋଦି କହିଛନ୍ତି, “ଯଦି କଂଗ୍ରେସ ଓ ଏହାର ପ୍ରଚାର ବ୍ୟବସ୍ଥା ଭାବୁଛନ୍ତି ଯେ ସେମାନଙ୍କର ବିଦ୍ୱେଷପୂର୍ଣ୍ଣ ମିଛ ଦୀର୍ଘ ବର୍ଷ ଧରି ସେମାନେ କରିଥିବା ପାପ ଓ ବିଶେଷ କରି ଡ ଆମ୍ବେଦକରଙ୍କ ପ୍ରତି ସେମାନେ କରିଥିବା ଅପମାନକୁ ଲୁଚାଇ ଦେବ, ତା’ହେଲେ ଏହା ସେମାନଙ୍କର ଭୁଲ ଧାରଣା।”

ଆମ୍ବେଦକରଙ୍କ ପ୍ରତି କଂଗ୍ରେସ କରିଥିବା “ପାପ”ର ତାଲିକା ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “କଂଗ୍ରେସ କେବଳ ଆମ୍ବେଦକରଙ୍କୁ ଭାରତ ରତ୍ନ ଦେବାକୁ ମନା କରି ନଥିଲା, ବରଂ ତାଙ୍କୁ ୨ ଥର ନିର୍ବାଚନରେ ପରାସ୍ତ କରିଥିଲା। ପଣ୍ଡିତ ନେହରୁ ତାଙ୍କ ବିରୋଧରେ ପ୍ରଚାର କରିଥିଲେ।

ତାଙ୍କ ପରାଜୟକୁ ଗୋଟିଏ ସମ୍ମାନସ୍ପଦ ପ୍ରସଙ୍ଗରେ ପରିଣତ କରିଥିଲେ। ଆମ୍ବେଦକରଙ୍କୁ ଭାରତ ରତ୍ନ ଦେବାକୁ ମନା କରି ଦେଇଥିଲେ। ସଂସଦର ସେଣ୍ଟ୍ରାଲ ହଲ୍‌ରେ ତାଙ୍କ ସମ୍ମାନରେ ଛବିକୁ ସ୍ଥାନ ଦେଇ ନଥିଲେ।”

୧୯୫୨ ମସିହା ଲୋକସଭା ନିର୍ବାଚନରେ ଆମ୍ବେଦକର କଂଗ୍ରେସ ପ୍ରାର୍ଥୀ ନାରାୟଣ ସାଡୋବା କାଜ୍ରୋଲକରଙ୍କ ଠାରୁ ବମ୍ବେ(ଉତ୍ତର)ରୁ ପରାସ୍ତ ହୋଇଥିଲେ। ୧୯୫୪ ଉପ ନିର୍ବାଚନରେ ଆମ୍ବେଦକର ଭଣ୍ଡାରା ଠାରୁ ସେ ଲଢ଼ିଥିଲେ ହେଁ ତାଙ୍କୁ କଂଗ୍ରେସର ଭାଉରାଓ ବୋରକର ହରାଇ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଛନ୍ତି ଯେ ଅନୁସୂଚିତ ଜାତି/ଜନଜାତି ବିରୋଧରେ ହୋଇଥିବା ସବୁଠାରୁ ଭୟଙ୍କର ନରସଂହାର କଂଗ୍ରେସ ଅମଳରେ ଘଟିଥିଲା। ସେମାନେ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଥିଲା। କିନ୍ତୁ ଅନୁସୂଚିତ ଜାତି/ଜନଜାତିଙ୍କ ସଶକ୍ତୀକରଣ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି।

ଆମ୍ବେଦକର ରଖିଥିବା ଲକ୍ଷ୍ୟକୁ ପୂରଣ କରିବା ପାଇଁ ବିଜେପି ସରକାର ନେଇଥିବା ଅନେକ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ମଧ୍ୟ ମୋଦି ସମସ୍ତଙ୍କୁ ଜଣାଇଛନ୍ତି। ଗୋଟିଏ ଦଶନ୍ଧି ମଧ୍ୟରେ ବିଜେପି ସରକାର ୨୫ କୋଟି ଲୋକଙ୍କୁ ଗରିବ ରେଖାରୁ ବାହାର କରିଥିବା ବେଳେ ଏସ୍‌ସି/ଏସଟି ଆଇନକୁ ମଜବୁତ କରିଥିବା ମୋଦି କହିଛନ୍ତି।

ରାଜ୍ୟସଭାରେ ଅମିତ ଶାହ ଦେଇଥିବା ବୟାନ ସପକ୍ଷରେ ଓକିଲାତି କରି କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଭାଷଣରେ ଚକିତ ଓ ଆଶ୍ଚର୍ଯ୍ୟ ହୋଇଥିବା କଂଗ୍ରେସ ଏବେ କେବଳ ନାଟକ କରୁଛି।

ସେ କହିଛନ୍ତି, “ଅମିତ ଶାହ କଂଗ୍ରେସ କଳା ଇତହାସର ପର୍ଦ୍ଦାଫାସ କରିଥିଲେ। ସେମାନେ ତଥ୍ୟ ଉପସ୍ଥାପନାକୁ ଦେଖି ପୂରା ଚକିତ ହୋଇପଡ଼ିଛନ୍ତି। ତେଣୁ ଏବେ ସେମାନେ ନାଟକ କରୁଛନ୍ତି।”

ରାଜ୍ୟସଭାରେ ମଙ୍ଗଳବାର ସମ୍ବିଧାନ ଉପରେ ବିତର୍କ ଚାଲିଥିଲା। ଏହି ସମୟରେ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଥିଲେ ଯେ “ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର କହିବା ଏବେ ଗୋଟିଏ ଫ୍ୟାଶନ ହୋଇଗଲାଣି। ଯଦି ଏତିକି ଥର ଭଗବାନଙ୍କ ନାଁ ନେଇଥାଆନ୍ତେ, ତା’ହେଲେ ସାତ ଜନ୍ମ ଯାଏ ସ୍ୱର୍ଗ ମିଳି ସାରନ୍ତାଣି।”

ଶାହ ଏପରି ବୟାନ ଦେଇ ଆମ୍ବେଦକରଙ୍କୁ ଅପମାନିତ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ ଦଳ ତାଙ୍କର ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି।

Congress PM Modi Constitution Day Indian Constitution