Advertisment

ବଢ଼ୁଛି ‘ମ୍ୟାଡାମ୍‌’ଙ୍କ ପତିଆରା: ଅନିଶ୍ଚିତତାରେ ବିଜେଡି ଭବିଷ୍ୟତ, ଶକ୍ତିଶାଳୀ ହେଉଛି କଂଗ୍ରେସ

ବିଜେଡିର ପଦାଧିକାରୀ କମିଟି ଓ ରାଜନୀତିକ ବ୍ୟାପାର କମିଟିରେ ପାଣ୍ଡିଆନଙ୍କ ଅନୁଗତଙ୍କୁ ସ୍ଥାନ ମିଳିଛି । ତେବେ ପାଣ୍ଡିଆନଙ୍କ ସିଧାସଳଖ ସମ୍ପୃକ୍ତିକୁ ନେଇ ବିରୋଧାଭାସ ଥିବାରୁ ଏବେ ତାଙ୍କ ପତ୍ନୀ ସୁଜାତା ସୁଚିନ୍ତିତ ଢଙ୍ଗରେ ବିଜେଡି ବ୍ୟାପାରରେ ଧସେଇ ପଶିଛନ୍ତି । ବିଜେଡିର ଆତ୍ମଘୋଷିତ ଉତ୍ତରାଧିକାରୀ ଭାବେ ସେ ସାଂଗଠନିକ କାର୍ଯ୍ୟକୁ ହାଇଜାକ୍ କରିବାରେ ଲାଗିଛନ୍ତି ।

author-image
Ordigital Desk
Sujata Karthikeyan

Sujata Karthikeyan

ବିଜେଡିରେ ବଢ଼ୁଛି ‘ମ୍ୟାଡ଼ାମ’ଙ୍କ ପତିଆରା । ପରଦା ପଛରେ ରହି ଦଳୀୟ ସଂଗଠନ ଓ ନିଷ୍ପତ୍ତିକୁ ନିୟନ୍ତ୍ରଣ କରୁଛନ୍ତି ମ୍ୟାଡ଼ାମ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଓ ସଂଗଠନ ପରିଚାଳନାରେ ଅନାଗ୍ରହର ଫାଇଦା ଉଠାଇ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ରାଉତ ଓରଫ ‘ବିଜେଡିର ମ୍ୟାଡ଼ାମ’ ଏବେ ଅଚାନକ ସକ୍ରିୟ ହୋଇଉଠିଛନ୍ତି । ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାର ପ୍ରାୟ ୪ମାସ ପରେ ସୁଜାତାଙ୍କର ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାରରେ ଅଧିକ ସକ୍ରିୟତାକୁ ନେଇ ଦଳ ଭିତରେ ଚାପି ହୋଇ ରହିଥିବା ଅସନ୍ତୋଷ ପୁଣିଥରେ ଉଗ୍ର ରୂପ ଧାରଣ କରିବାର ଆଶଙ୍କା ଦେଖାଦେଇଛି । ବିଜେଡିର ସଚିବାଳୟ ଘେରାଉ କାର୍ଯ୍ୟକ୍ରମରେ ଆହତ ପ୍ରଣବପ୍ରକାଶ ଦାସଙ୍କୁ ଭେଟିବା ପାଇଁ ପାଣ୍ଡିଆନ ଦମ୍ପତି ହସ୍ପିଟାଲ ଯିବାପରେ ଦଳୀୟ ରାଜନୀତିରେ ତାଙ୍କର ସମ୍ପୃକ୍ତି ଓ ପ୍ରଚ୍ଛଦପଟ୍ଟରେ ରହି ଦଳକୁ ନିୟନ୍ତ୍ରଣ କରୁଥିବା ସ୍ପଷ୍ଟ ହେବାରେ ଲାଗିଛି । ବିଜେଡିରେ ନବୀନଙ୍କ ନିଷ୍କ୍ରିୟତା, ପାଣ୍ଡିଆନ ଦମ୍ପତିଙ୍କ ପତିଆରା ବୃଦ୍ଧି ଏବଂ ବିଶେଷକରି ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରୁ ଦଳ ଦୂରେଇ ଯାଉଥିବାରୁ ଦଳୀୟ କର୍ମୀ-ନେତାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ପାଣ୍ଡିଆନ ଦମ୍ପତି ନିଜର ଅସ୍ତିତ୍ୱ ରକ୍ଷା ପାଇଁ କରିଥିବା ଅଘୋଷିତ ‘ରାଜନୀତିକ ଡିଲ୍‌’ ଯୋଗୁ ବିଜେଡି ବ୍ୟାକଫୁଟରେ ଥିବାର ଫାଇଦା ଉଠାଇ କଂଗ୍ରେସ ରାଜ୍ୟରେ ନିଜକୁ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ବିକଶିତ କରିବାରେ ସଫଳ ହେଉଥିବା ଜଣାପଡ଼ିଛି ।

Advertisment

ମାଡାମଙ୍କ ନିର୍ଦ୍ଦେଶରେ ସ୍ଥଗିତ ହେଲା ବିରୋଧ ପ୍ରଦର୍ଶନ

ବାଲେଶ୍ୱର ଛାତ୍ରୀ ଆତ୍ମଦାହ ଘଟଣାର ବିଚାରବିଭାଗୀୟ ତଦନ୍ତ ଆଦି ଦାବିରେ ବୁଧବାର ସଚିବାଳୟ ଘେରାଉ କରିଥିବା ବିଜେଡି । ପ୍ରାୟ ଦୁଇରୁ ଅଢ଼େଇ ହଜାର କର୍ମୀ-ନେତାଙ୍କୁ ଧରି ଏହି ଘେରାଉକୁ ଓହ୍ଲାଇଥିବା ବିଜେଡି ନିଜର ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରଖିପାରିନଥିଲା । ପୁଲିସର କାର୍ଯ୍ୟାନୁଷ୍ଠାନରେ ବିଜେଡି କର୍ମୀ-ନେତା ଛତ୍ରଭଙ୍ଗ ଦେଇଥିଲେ । ଆଉ ଦଳର ଯାଜପୁରର ୩ଜଣ ଆଗଧାଡ଼ିର ନେତା ପ୍ରଣବପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼େଇ ଓ ସୁଲତା ଦେଓଙ୍କ ସମେତ ୧୦୦ରୁ ଅଧିକ କର୍ମୀ-ନେତା ଆହତ ହୋଇଥିବା ବିଜେଡି ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଗଲା । ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେଡି ଆଜି(ଗୁରୁବାର) ସନ୍ଧ୍ୟା ୫ଟାରେ ଭୁବନେଶ୍ୱରର ରାଜଭବନ ଛକ ନିକଟସ୍ଥ ଗାନ୍ଧି ମୂର୍ତ୍ତି ତଳେ ପ୍ରତିବାଦ ସଭା କରିବାକୁ ନିଷ୍ପତ୍ତି ନେଇଥିଲା । କଂଗ୍ରେସର ବନ୍ଦ ପାଳନ ପରେ ପରେ ଏହି କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ହୋଇଥିଲା । କିନ୍ତୁ ଆଜି ପ୍ରାୟ ୧୧ଟା ସମୟରେ ଦଳ ନିଜର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲା । ସୁଜାତାଙ୍କ ନିର୍ଦ୍ଦେଶରେ ଏହି ପ୍ରସ୍ତାବିତ ପ୍ରତିବାଦ ବା ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ଆସନ୍ତାକାଲି(ଶୁକ୍ରବାର)କୁ ସ୍ଥିରୀକୃତ କରାଯାଇଛି । ଯଦିଓ ସୁଜାତା ସିଧାସଳଖ ବିଜେଡିର କୌଣସି ମଂଚରେ ଦୃଶ୍ୟମାନ ହେଉନାହାନ୍ତି କିନ୍ତୁ ପରଦା ପଛରେ ରହି ଏହି ନିର୍ଦ୍ଦେଶ ଦେଇଥିବା ବିଜେଡିର ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ଦଳର ସାମ୍ବାଦିକ ସମ୍ମିଳନୀ ଓ ପରଦା ପଛର ନିର୍ଦ୍ଦେଶ

ବୁଧବାର ବିଜେଡିର ସଚିବାଳୟ ଘେରାଉ ପରେ ଦଳ ପକ୍ଷରୁ ଶଙ୍ଖଭବନରେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ଆଗରେ ତଥ୍ୟ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ପ୍ରତାପ ଜେନା ଗଣମାଧ୍ୟମକୁ  ସମ୍ବୋଧନ କରିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ମାଡ଼ାମଙ୍କ ନିର୍ଦ୍ଦେଶରେ ଶେଷ ମୁହୂର୍ତ୍ତରେ ପ୍ରମିଳା ଓ ଅରୁଣଙ୍କ ବଦଳରେ ଶର୍ମିଷ୍ଠା ସେଠୀ ଓ ସୁଦାମ ମାରାଣ୍ଡିଙ୍କୁ ଧରି ପ୍ରତାପଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଏଥିପାଇଁ ଉପରୁ(ମାଡ୍ୟାମଙ୍କ) ନିର୍ଦ୍ଦେଶ ରହିଥିବା ଚର୍ଚ୍ଚା ହେଉଛି ।

Advertisment

ବିଜେଡି ନେତାଙ୍କୁ ପାଣ୍ଡିଆନ ଦମ୍ପତି କାହିଁକି ଭେଟିଲେ

ପୁଲିସର କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବାର ରାଜନୀତିକ ଡ୍ରାମା କରୁଥିବା ବିଜେଡି ନେତାଙ୍କୁ ହସ୍ପିଟାଲରେ ଭେଟି ପାଣ୍ଡିଆନ ଦମ୍ପତି ଏବେ ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାରରେ ଥିବାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ପାଣ୍ଡିଆନଙ୍କ ସହ ସୁଜାତାଙ୍କୁ ମଧ୍ୟ ହସ୍ପିଟାଲରେ ଦେଖିବାକୁ ମିଳିଥିଲା । ସୁଚିନ୍ତିତ ଢଙ୍ଗରେ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇ ଗଣମାଧ୍ୟମକୁ ଲିକ୍ କରାଗଲା । ଏସବୁ ମାଧ୍ୟମରେ ସୁଜାତାଙ୍କୁ ନେଇ କିଭଳି ପ୍ରତିକ୍ରିୟା ରହୁଛି ତାକୁ ଆକଳନ କରିବାର ପ୍ରୟାସ ହୋଇଥିବା ସୂଚନା ମିଳିଛି ।

ହାଇଜାକ୍ ହୋଇଗଲା କି ବିଜେଡିର ‘ଉତ୍ତରାଧିକାରୀ’

ନବୀନଙ୍କ ଉତ୍ତରାଧିକାରୀ ବିଜେଡିରେ କିଏ ହେବ ତାହା ରାଜ୍ୟବାସୀ ସ୍ଥିର କରିବେ ବୋଲି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକାଧିକବାର ସ୍ପଷ୍ଟୀକରଣ ଦେଇସାରିଛନ୍ତି । ମାତ୍ର ଏସବୁ ସତ୍ତ୍ୱେ ବିଜେଡିର ଅଘୋଷିତ ସର୍ବେସର୍ବା ଭାବେ ତାମିଲନାଡ଼ୁ ଜନ୍ମିତ ଭିକେ ପାଣ୍ଡିଆନ ଏପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି । ନବୀନଙ୍କ ନିର୍ଭରଶୀଳତା ହେଉ ଅବା ଅନାଗ୍ରହ କିମ୍ବା ଅନ୍ୟ ଅଦୃଶ୍ୟ କାରଣରୁ ବିଗତ ୭-୮ବର୍ଷ ଧରି ବିଜେଡିରେ ପାଣ୍ଡିଆନଙ୍କ ଦବଦବା କାଏମ ରହିଛି । ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରଠୁ ପାଣ୍ଡିଆନଙ୍କୁ ସାଂଗଠନିକ କାର୍ଯ୍ୟରେ ଦେଖିବାକୁ ମିଳୁନି, ମାତ୍ର ତାଙ୍କ ବିନା ଅନୁମତିରେ ଯେ ଦଳରେ କିଛି ହେଉନି ତାହା ଜଳଜଳ ଦିଶୁଛି । ବିଜେଡିର ପଦାଧିକାରୀ କମିଟି ଓ ରାଜନୀତିକ ବ୍ୟାପାର କମିଟିରେ ପାଣ୍ଡିଆନଙ୍କ ଅନୁଗତଙ୍କୁ ସ୍ଥାନ ମିଳିଛି । ତେବେ ପାଣ୍ଡିଆନଙ୍କ ସିଧାସଳଖ ସମ୍ପୃକ୍ତିକୁ ନେଇ ବିରୋଧାଭାସ ଥିବାରୁ ଏବେ ତାଙ୍କ ପତ୍ନୀ ସୁଜାତା ସୁଚିନ୍ତିତ ଢଙ୍ଗରେ ବିଜେଡି ବ୍ୟାପାରରେ ଧସେଇ ପଶିଛନ୍ତି । ବିଜେଡିର ଆତ୍ମଘୋଷିତ ଉତ୍ତରାଧିକାରୀ ଭାବେ ସେ ସାଂଗଠନିକ କାର୍ଯ୍ୟକୁ ହାଇଜାକ୍ କରିବାରେ ଲାଗିଛନ୍ତି । ଏପରିକି ଦଳର କୌଣସି ନେତା ମଧ୍ୟ ଏନେଇ ମୁହଁ ଖୋଲିବାର ସାହାସ ଜୁଟାଇ ପାରୁନାହାନ୍ତି । ମୁମ୍ବାଇରେ ନବୀନଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଭେଟ ହେଉ, ଆହତ ବିଜେଡି ନେତାମାନଙ୍କୁ ହସ୍ପିଟାଲ ଭେଟ ଅବା ଦଳୀୟ କାର୍ଯ୍ୟକ୍ରମର ସମୟ ପୁନଃନିର୍ଦ୍ଧାରଣ ଅବା ସାମ୍ବାଦିକ ସମ୍ମିଳନୀରେ କିଏ ବସିବ ତାହାର ନିର୍ଦ୍ଧାରଣ ସବୁଥିରେ ସୁଜାତାଙ୍କ ପ୍ରଭାବ ରହୁଥିବା ଜଣାପଡ଼ିଛି । ନବୀନ ଏବେ ଅସୁସ୍ଥ ଥିବା ଓ ଡାକ୍ତରୀ ଟିମଙ୍କ ତତ୍ତ୍ୱାବଧାନରେ ରହିଥିବାରୁ ତାଙ୍କୁ ଡିଷ୍ଟର୍ବ ନକରିବାକୁ ଦଳୀୟ ନେତାମାନଙ୍କୁ ତାଗିଦ୍ କରାଯାଇଛି । ଏପରିକି ମୁମ୍ବାଇରୁ ଫେରିବା ପରଠୁ ନବୀନଙ୍କୁ ମଧ୍ୟ ଭେଟିବାକୁ କେହି ଦଳୀୟ ନେତା ଏପର୍ଯ୍ୟନ୍ତ ସୁଯୋଗ ପାଇନଥିବା ସୂଚନା ମିଳିଛି ।

କଂଗ୍ରେସ ବଢ଼ୁଛି, ଅସ୍ତିତ୍ୱ ସଙ୍କଟରେ ବିଜେଡି

ରାଜ୍ୟରେ ବିଜେଡି ଶାସନର ଅନ୍ତ ପରଠୁ ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବରିଷ୍ଠ ଓ ପୁରୁଖା ନେତାମାନେ ନିଜକୁ ଦଳୀୟ ବ୍ୟାପାରରୁ ଦୂରେଇ ରଖିଥିବାବେଳେ  ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ମାତ୍ର ହାତଗଣତି ୨୦-୨୫ଜଣ ନେତା-ନେତ୍ରୀଙ୍କୁ ଦେଖିବାକୁ ମିଳୁଛି । ଯଦିଓ ନିଜକୁ ଏକ କୋଟି ସଦସ୍ୟଙ୍କ ଦଳ ବୋଲି ବିଜେଡି ଦାବି କରୁଛି ମାତ୍ର ଦଳର ବିଭିନ୍ନ କାର୍ଯ୍ୟକ୍ରମରେ କର୍ମୀ-ନେତାଙ୍କ ଆଖିଦୃଶିଆ ସମାବେଶ ଦେଖିବାକୁ ମିଳୁନାହିଁ । ଦଳର ସାଂଗଠନିକ କାର୍ଯ୍ୟକ୍ରମ ମଧ୍ୟ ଠପ୍ ହୋଇଯାଇଛି, ଯାହାକିଛି ଉପକୂଳବର୍ତ୍ତୀ ୫-୬ଟି ଜିଲ୍ଲାରେ ଚାଲିଥିବା ଭଳି ପ୍ରତୀତ ହେଉଛି । ନବୀନ ପଟ୍ଟନାୟକଙ୍କ ଯୁଗର ପରିସମାପ୍ତି ଓ ପାଣ୍ଡିଆନ ଦମ୍ପତ୍ତିଙ୍କ କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଯୋଗୁ ବିଜେଡିର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହେବାରେ ଲାଗିଛି । ଏପଟେ କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି । ବିଜେଡି ରାଜ୍ୟ ଓ ରାଜ୍ୟବାସୀଙ୍କ ସମସ୍ୟାରୁ ଦୂରେଇ ଯାଇଥିବାବେଳେ କଂଗ୍ରେସ ପ୍ରତ୍ୟେକଟି ପ୍ରସଙ୍ଗରେ ରାଜରାସ୍ତାକୁ ଆସି ସାଧାରଣ ଲୋକଙ୍କ ସପକ୍ଷରେ ନିଜର ସ୍ୱରକୁ ଶାଣିତ କରିଛି । ଆଜି ଓଡ଼ିଶା ବନ୍ଦ ଡାକରା ଦେବା ଓ ଏହାକୁ ଲୋକଙ୍କ ସମର୍ଥନ ମିଳିବା ପରେ ରାଜ୍ୟରେ କଂଗ୍ରେସ ହିଁ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହେବାରେ ଲାଗିଛି ।

BjD