ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ଓ ଏକତରଫା ପରାଜୟକୁ ସହଜରେ ଭୁଲି ପାରୁନି ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି ବା ଏମଭିଏ। ଏବେ ଏମଭିଏ ନିଜର ପରାଜୟ ପାଇଁ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି। ଏଥିସହ ଇଭିଏମ ବିରୋଧରେ ଏମଭିଏ ପକ୍ଷରୁ ଜାତୀୟ ସ୍ତରରେ ବିକ୍ଷୋଭ କରିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।
କଂଗ୍ରେସ, ଶିବସେନା(ଉଦ୍ଧବ ଠାକରେ) ଓ ଏନସିପି(ଶରଦ ପାୱାର)ଙ୍କୁ ନେଇ ଗଠିତ ଏମଭିଏ ଏହି ପ୍ରସଙ୍ଗରେ କୋର୍ଟଙ୍କ ଦ୍ୱାରସ୍ଥ ହେବ। ଇଭିଏମ ବିଦଳରେ ୨୦୧୪ ପୂର୍ବରୁ ଥିବା ବାଲାଟ ପେପର ବ୍ୟବସ୍ଥାରେ ମତଦାନ କରିବା ନିୟମ ସାରା ଦେଶରେ ଲାଗୁ କରିବାକୁ ଏମଭିଏ ନିଜର ଆବେଦନରେ ଦର୍ଶାଇବ।
ଅବଶ୍ୟ ବାଲାଟ ପେପରରେ ଭୋଟିଂ ପାଇଁ ହୋଇଥିବା ଗୋଟିଏ ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଥିଲେ। ତଥାପି ଏମଭିଏ ନୂଆ ଯୁକ୍ତି ଓ ତଥ୍ୟ ସହ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଇଭିଏମ ହଟାଅ ଅଭିଯାନକୁ ଜୋରଦାର କରିବ ବୋଲି କୁହାଯାଉଛି।
ବୁଧବାର ସମାନ ପ୍ରସଙ୍ଗରେ ଉଦ୍ଧବ ଠାକରେ ଓ ଶରଦ ପାୱାର ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିବା ଏମଭିଏର ପ୍ରାର୍ଥୀମାନଙ୍କୁ ଭେଟିଛନ୍ତି। ସେମାନଙ୍କ ସହ କଥା ହୋଇ ରାଜ୍ୟ ଓ ଜାତୀୟ ସ୍ତରରେ ଗୋଟିଏ ଆଇନ ପରାମର୍ଶଦାତା ଟିମ ଗଠନ କରାଯାଇଛି। ଏହି ଟିମ ମାଧ୍ୟମରେ ଇଭିଏମ ହଟାଇବା ପାଇଁ ବିରୋଧୀ ମେଣ୍ଟ ନିଜର ଦାବିକୁ ଉପସ୍ଥାପନ କରିବ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତିର ବିଜୟ ହୋଇଛି। ହେଲେ ଏହାକୁ ଆରମ୍ଭରୁ ହିଁ ବିରୋଧୀ ଏମଭିଏ ବିରୋଧ କରି ଆସୁଛି।
୨୮୮ ବିଧାନସଭା ଆସନରୁ ମହାୟୁତି ୨୩୫ରେ ଜିତିଥିବା ବେଳେ ଏକାକୀ ବିଜେପି ଖାତାକୁ ୧୩୨ଟି ଆସନ ଯାଇଛି। ସେହିପରି ଏମଭିଏ କେବଳ ୪୯ଟି ଆସନରେ ସୀମିତ ରହିଛି। ଏହା ମଧ୍ୟରୁ ଠାକରେ ସେନା ୨୦ଟି, କଂଗ୍ରେସ ୧୬ଟି ଓ ଶରଦ ପାୱାରଙ୍କ ଏନସିପି କେବଳ ୧୦ଟି ଆସନ ଜିତିବାକୁ ସକ୍ଷମ ହୋଇଛି।
ଶରଦ ପାୱାରଙ୍କ ଦଳ ୮୬ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଏବେ ପରାଜିତ ପ୍ରାର୍ଥୀମାନଙ୍କୁ ଭିଭିପ୍ୟାଟ ଯାଞ୍ଚ ପାଇଁ ଆବେଦନ କରିବାକୁ କୁହାଯାଇଛି। ଏହାଦ୍ୱାରା ସେମାନେ କେତେ ଭୋଟ ପ୍ରକୃତରେ ପାଇଛନ୍ତି, ତା’ହା ସ୍ପଷ୍ଟ ହୋଇପାରିବ। ଏନସିପିର ଏକାଧିକ ବରିଷ୍ଠ ନେତା ଭୋଟ ଗଣତି ବେଳେ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି।
ଏନସିପି ଭଳି କଂଗ୍ରେସ ମଧ୍ୟ ନିଜର ଷ୍ଟ୍ରାଇକ ରେଟରେ ଅସନ୍ତୋଷ ପ୍ରକାଶ କରିଛି। କଂଗ୍ରେସ ୧୦୧ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କେବଳ ୧୬ଟିରେ ଜିତିଛି। ଠାକରେ ସେନେ ୯୬ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୦ଟି ସ୍ଥାନରେ ଜିତି ପାରିଛି।
ପୂର୍ବରୁ ମଧ୍ୟ କଂଗ୍ରେସ ହରିୟାଣା ବିଧାନସଭାରେ ଅପ୍ରତ୍ୟାଶିତ ପରାଜୟ ପରେ ଇଭିଏମ ବିରୋଧରେ ସ୍ୱର ଉଠାଇଥିଲା। ଏବେ ମହାରାଷ୍ଟ୍ରରେ ସମଦଶା ଭୋଗିବାରୁ କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ଆମେରିକା ଭଳି ଭାରତରେ ମଧ୍ୟ ବାଲାଟ ପେପର ଜରିଆରେ ଭୋଟିଂ କରିବାକୁ ଦାବି କରିଥିଲେ।
ଏବେ ବିରୋଧୀ ମେଣ୍ଟ ପକ୍ଷରୁ ନିଜ ଦାବିକୁ ଆହୁରି ଶାଣିତ କରିବା ପାଇଁ ଜାତୀୟ ସ୍ତରରେ ଇଭିଏମ ହଟାଅ ଅଭିଯାନ ଆରମ୍ଭ ହେବ।