ତେଜସ୍ୱୀ ଓ ରାହୁଲ ଗାନ୍ଧି
୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା। ଏହା ବିହାରରେ ସତ ପ୍ରମାଣିତ ହୋଇଛି। ବିହାରରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଚ୍ୟାଲେଞ୍ଜ ଦେବାକୁ ବିରୋଧୀ ମେଣ୍ଟ ସବୁ ପ୍ରକାରର ରଣନୀତି କଲେ।
ଶୋଭାଯାତ୍ରା, ପଦଯାତ୍ରା ଓ ଅଧିକାର ଯାତ୍ର ଭଳି ଅନେକ ରାଜନୀତିକ ସମାବେଶ କରି ଲୋକଙ୍କ ପାଖରେ ପହଞ୍ଚିଲେ। ଏକାଠି ଲଢ଼ିବାକୁ ପଣ କଲେ। ହେଲେ ଠିକ ନିର୍ବାଚନ ପୂର୍ବରୁ ସବୁ ଯୋଜନା ଫସର ଫାଟିଛି। ଏନଡିଏ ଅପେକ୍ଷା ଏବେ ବିରୋଧୀ ମେଣ୍ଟ ପରସ୍ପର ବିରୋଧରେ ଲଢ଼ିବାକୁ ଆଗେଇ ଆସିଛନ୍ତି।
ବିହାର ବିଧାନସଭା(Bihar Election) ନିର୍ବାଚନରେ ବିରୋଧୀ ମେଣ୍ଟ ବା ମହଗଠବନ୍ଧନରେ ସିଟ୍ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇଥିଲେ ହେଁ ବୁଝାମଣା ଅଧାରେ ରହି ଯାଇଛି। ଏହି କାରଣରୁ ଆଗାମୀ ବିଧାନସଭା ନିର୍ବାଚନରେ ରାଜ୍ୟରେ ୧୨ଟି ଆସନରେ ମହାଗଠବନ୍ଧନ ବନାମ ମହାଗଠବନ୍ଧନ ଲଢ଼େଇ ଦେଖିବାକୁ ମିଳିବ।
କଂଗ୍ରେସ ଓ ଆରଜେଡି ସମେତ କିଛି ଆଞ୍ଚଳିକ ଦଳ ବିହାରରେ ମହାଗଠବନ୍ଧନ ତିଆରି କରିଛନ୍ତି। ହେଲେ ନିର୍ବାଚନ ପୂର୍ବରୁ ମେଣ୍ଟରେ ଥିବା ଦଳଗୁଡ଼ିକ ପରସ୍ପର ବିରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
୧୨ଟି ସ୍ଥାନରେ ମହାଗଠବନ୍ଧନ ବନାମ ମହାଗଠବନ୍ଧନ ସ୍ଥିତି ଉପୁଜିଥିବାରୁ ଏହାକୁ ବିଜେପି ନେତୃତ୍ୱାଧୀନ ଏନଡିଏରେ ଥିବା ଚିରାଗ ପାଶୱାନ କଟାକ୍ଷ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବିହାରର ଏମିତି ୬ଟି ବିଧାନସଭା ଆସନ ରହିଛି, ଯେଉଁଠାରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ସିପିଆଇ ଓ କଂଗ୍ରେସ ମଧ୍ୟରେ ୪ଟି ଓ ମୁକେଶ ସାହାଣୀଙ୍କ ବିକାଶୀଳ ଇନସାନ ପାର୍ଟି(ଭିଆଇପି) ଓ ଆରଜେଡି ୨ଟି ଆସନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି। ଚୈନପୁର ଓ ବାବୁବାରହିରେ ଆରଜେଡି ଓ ଭିଆଇପି ପ୍ରାର୍ଥୀ ପରସ୍ପର ବିରୋଧରେ ନାମାଙ୍କନ ଭରିଛନ୍ତି।
ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇ ନଥିବାରୁ ମହାଗଠବନ୍ଧନର କୌଣସି ଦଳ ବିଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ଜାରି କରି ଥିଲେ। ତଥାପି ଆଶାୟୀ ନେତାଙ୍କୁ ସବୁ ଦଳ ପକ୍ଷରୁ ନାମାଙ୍କନ ଭରିବାକୁ ଅନୁମତି ମିଳିଥିଲା।
ଏସବୁ ଭିତରେ ସୋମବାର ଆରଜେଡି ପକ୍ଷରୁ ୧୪୩ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ଜାରି କରାଯାଇଥିଲା। ଏଥିରେ ଏମିତି ୬ଟି ଆସନ ରହିଛି, ଯେଉଁଠାରେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଭରିଛନ୍ତି। ସେହି ଆସନ ଗୁଡ଼ିକ ହେଲା-ବୈଶାଳୀ, ସିକନ୍ଦ୍ରା, କାହାଲଗାଓଁ, ସୁଲତାନଗଞ୍ଜ, ନରକତିଗଞ୍ଜ ଓ ୱାରସଲିଗଞ୍ଜ। ସେହିପରି ବାଚୱାରା, ରାଜାପାକର, ବିହାର ଶରିଫ ଓ କରଘରରେ କଂଗ୍ରେସ ଓ ବାମପନ୍ଥୀ ପ୍ରାର୍ଥୀ ଦେଇଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୩ ରହିଛି। କିନ୍ତୁ ଏବେ ସ୍ଥିତି ଦେଖିଲେ କୌଣସି ଦଳ ନାମାଙ୍କନ ପ୍ରତ୍ୟାହାର କରିବାକୁ ମୁଡରେ ନାହାନ୍ତି। ସେହିପରି ବାଚୱାରା, ରାଜାପାକର, ବିହାର ଶରିଫ ଓ ରାଜାପାକରରେ ନଭେମ୍ବର ୬ରେ ଭୋଟ ହେବ। ଏଠାରେ ନାମାଙ୍କନ ପ୍ରତ୍ୟାହାର ପାଇଁ ଆଉ ସୁଯୋଗ ମଧ୍ୟ ନାହିଁ। ତେଣୁ ଏହି ଆସନରେ ମହାଗଠବନ୍ଧନ ମଧ୍ୟରେ ସିଧାସଳଖ ଲଢ଼େଇ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।
ବିରୋଧୀ ମେଣ୍ଟରେ ଏକତା ଓ ସମନ୍ୱୟ ନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ପରଦା ପଛରେ ସିଟ ଶେୟାରିଂକୁ ନେଇ ଆଲୋଚନା ଚାଲିଥିବା ବେଳେ ଏପରି ସ୍ଥିତି ସୃଷ୍ଟି ହେବା ସମସ୍ତଙ୍କୁ ଚକିତ କରିଛି।
ବିହାରର ଆଉ ଏକ ଆସନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ସେଇଟା ହେଲା ମହୁଆ। ଏଠାରେ ଆରଜେଡି ମୁକେଶ ରୌଶନଙ୍କୁ ପ୍ରାର୍ଥୀ କରିଛି। ଏଠାରେ ତାଙ୍କର ଲଢ଼େଇ ଲାଲୁ ପ୍ରସାନ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ସହ ହେବ। ତେଜ ପ୍ରତାପଙ୍କୁ ଚଳିତ ବର୍ଷ ମେ’ ମାସରେ ଲାଲୁ ଦଳରୁ ବହିଷ୍କାର କରିଥିଲେ। ଏଥିପାଇଁ ତେଜ ପ୍ରତାପ ଜନଶକ୍ତି ଜନତା ଦଳ ଗଠନ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।
କଟାକ୍ଷ କଲେ ଚିରାଗ
୧୨ଟି ସ୍ଥାନରେ ମହାଗଠବନ୍ଧନ ବନାମ ମହାଗଠବନ୍ଧନ ସ୍ଥିତି ଉପୁଜିଥିବାରୁ ଏହା ବିଜେପି ନେତୃତ୍ୱାଧୀନ ଏନଡିଏକୁ (Bihar Elections 2025) ଫାଇଦା ଦେବ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ରଖିଛନ୍ତି। ସେହିପରି ବିରୋଧୀ ମେଣ୍ଟ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଥିବାରୁ ଏହାକୁ କଟାକ୍ଷ କରିଛନ୍ତି ଏନଡିଏରେ ଥିବା ଲୋକ ଜନଶକ୍ତି ପାର୍ଟି(ରାମ ବିଳାଶ) ମୁଖ୍ୟ ଚିରାଗ ପାଶୱାନ। ଅନେକ ଚ୍ୟାଲେଞ୍ଜିଂ ସିଟରେ ମହାଗଠବନ୍ଧନ ଏବେ ଠାରୁ ହିଁ ଏନଡିଏକୁ ୱାକଓଭର ଦେଇଥିବା ସେ କହିଛନ୍ତି।
ସେ କହିଛନ୍ତି, “ଏପରି ଗୋଟିଏ ବଡ଼ ମେଣ୍ଟ ନିର୍ବାଚନରେ ବିଭାଜନ ସ୍ଥିତିରେ ପହଞ୍ଚିବା ମୁଁ କେବେ ହେଲେ ଦେଖିନାହିଁ। ସିଟ ଚୟନକୁ ନେଇ ବିବାଦ ଦେଖାଯାଇ ପାରେ। କିନ୍ତୁ ସେମାନେ ସିଟ୍ ସଂଖ୍ୟାକୁ ନେଇ ହିଁ ଏକମତ ହୋଇପାରି ନାହାନ୍ତି।
କିଛି ବି ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ନାହିଁ। ଆପଣ ବନ୍ଧୁ ହୋଇପାରିବେ କିମ୍ବା ପରସ୍ପର ବିରୋଧରେ ଲଢ଼ିବେ। ଯଦି ଆପଣ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି ଓ ନେତାଙ୍କୁ ଟାର୍ଗେଟ କରୁଛନ୍ତି, ତା’ହେଲେ ଏହାର ପ୍ରଭାବ କେମିତି ଅନ୍ୟ ଆସନ ଗୁଡ଼ିକ ଉପରେ ପଡ଼ିବ ନାହିଁ?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/21/bihar-2025-10-21-13-51-07.jpg)