Advertisment

ମହାନଦୀ ବିବାଦ: କାହିଁକି ଆଇନଗତ ଲଢ଼େଇରୁ ଓହରିଲା ଓଡ଼ିଶା, ପ୍ରଶ୍ନ କଲେ ନବୀନ, ସର୍ବଦଳୀୟ ବୈଠକ ଦାବି

ନବୀନ କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା । ରାଜ୍ୟ ବିଜେପି ସରକାର ତୁରନ୍ତ ଏକ ସବର୍ଦଳୀୟ ବୈଠକ ଡାକି ଛତିଶଗଡ଼ର ବିଜେପି ସରକାର ସହ କେଉଁ ପ୍ରକାରର ବୁଝାମଣା ନିମନ୍ତେ ଯୋଜନା କରାଯାଇଛି ଅବା ନିଷ୍ପତ୍ତି ନିଆଯାଇଛି ସେ ସମ୍ପର୍କରେ ସ୍ପଷ୍ଟ କରିବା ଉଚିତ୍ ।

author-image
Ordigital Desk
Naveen Patnaik

Naveen Patnaik

ମହାନଦୀ ଜଳ ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ ମାଧ୍ୟମରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଚାଲିଥିବା ଆଇନଗତ ଲଢ଼େଇରୁ ଓଡ଼ିଶା ଓହରିଯାଉଛି କି ବୋଲି ପ୍ରଶ୍ନ କରିବା ସହ ସର୍ବଦଳୀୟ ବୈଠକ ଡାକି ସ୍ପଷ୍ଟ କରିବାକୁ ଦାବି କରିଛନ୍ତି।

Advertisment

ଟ୍ୱିଟ୍ ମାଧ୍ୟମରେ ନବୀନ କଲେ ପ୍ରଶ୍ନ

ମହାନଦୀ ଜଳ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଓ ରାଜ୍ୟ ଆଡଭୋକେଟ୍ ଜେନେରାଲଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଉଲ୍ଲେଖ କରି ନବୀନ କହିଛନ୍ତି ଯେ, ଗତକାଲିର ଏହି ବୈଠକରେ ଆପୋଷ ବୁଝାମଣା ଜରିଆ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ଯେଉଁସବୁ ଗୁରୁତ୍ୱର ପ୍ରଶ୍ନ ସାମ୍ନାକୁ ଆସିଛି ସେ ସମ୍ପର୍କରେ ସରକାରଙ୍କଠୁ ରାଜ୍ୟବାସୀ ଜବାବ ଚାହୁଁଛନ୍ତି ।

‘ଆପୋଷ ବୁଝାମଣା’ କ’ଣ?

ନବୀନ କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା । ରାଜ୍ୟ ବିଜେପି ସରକାର ତୁରନ୍ତ ଏକ ସବର୍ଦଳୀୟ ବୈଠକ ଡାକି ଛତିଶଗଡ଼ର ବିଜେପି ସରକାର ସହ କେଉଁ ପ୍ରକାରର ବୁଝାମଣା ନିମନ୍ତେ ଯୋଜନା କରାଯାଇଛି ଅବା ନିଷ୍ପତ୍ତି ନିଆଯାଇଛି ସେ ସମ୍ପର୍କରେ ସ୍ପଷ୍ଟ କରିବା ଉଚିତ୍ । ଏହି ବୁଝାମଣା କ’ଣ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଅଟେ କି? ଓଡ଼ିଶା କ’ଣ ଆଇନଗତ ମାର୍ଗରୁ ଓହରିବାକୁ ନିଷ୍ପତ୍ତି ନେଇଛି କି ଆଦି ବୋଲି ବିରୋଧୀ ଦଳ ଓ ଅନ୍ୟ ଷ୍ଟେକହୋଲଡରମାନେ ଜାଣିବାକୁ ଚାହୁଁଥିବା ନବୀନ କହିଛନ୍ତି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଚାଲୁଥିବା ମାମଲାକୁ ଓଡ଼ିଶା ସରକାର ଆଗେଇ ନେବେ ନା ଆଇନଗତ ଲଢ଼େଇରୁ ଓହରିଯିବେ ତାହା ମଧ୍ୟ ସ୍ପଷ୍ଟ କରିବା ଉଚିତ୍ । ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ପାଇଁ ଆଉ ମାତ୍ର ୮ଦିନ(ଅଗଷ୍ଟ ୨ତାରିଖ) ଥିବାବେଳେ ରାଜ୍ୟ ସରକାର କାହିଁକି ନିରବତା ଅବଲମ୍ବନ କରିଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

Advertisment

ଲୋକ ଓ ରାଜନୀତିକ ଦଳଙ୍କୁ ବିଶ୍ୱାସକୁ କାହିଁକି ନିଆଯାଉନି ?

ନବୀନ ତାଙ୍କ ଟ୍ୱିଟ୍ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଯେ,, ରାଜ୍ୟ ବିଜେପି ସରକାର କ’ଣ ଗୁପ୍ତ ଭାବେ ଅନ୍ୟ ଏକ ରାଜ୍ୟର ବିଜେପି ସରକାର ସହ ବୁଝାମଣା କରିଛନ୍ତି କି , ଯାହା ଓଡ଼ିଶାର ଜଳ ଅଧିକାରକୁ ଦୁର୍ବଳ କରିବ? ମହାନଦୀ କେବଳ ଏକ ନଦୀ ନୁହେଁ, ଏହା ରାଜ୍ୟର ଆତ୍ମା । ଏହି ମାମଲାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବା ଜରୁରୀ ବୋଲି ସେ ଦାବି କରିଛନ୍ତି । ମହାନଦୀକୁ ନେଇ ନବୀନ ଆଇନଗତ ଲଢ଼େଇ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୨୦୧୮ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ତତ୍କାଳୀନ ରାଜ୍ୟ ସରକାରଙ୍କ ଦ୍ୱାରା ଆନ୍ତଃରାଜ୍ୟ ଜଳବିବାଦ ଆଇନ, ୧୯୫୬ ଅଧୀନରେ ଦାଖଲ ହୋଇଥିବା ଆବେଦନ ପରେ କେନ୍ଦ୍ର ସରକାରଙ୍କୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।  ବିଜେଡିର ନିରନ୍ତର ପ୍ରୟାସ ଓ ଜନସାଧାରଣଙ୍କ ଦୃଢ଼ ଚାପ ଯୋଗୁଁ କେନ୍ଦ୍ରୀୟ କ୍ୟାବିନେଟ୍ ଏହି ଟ୍ରିବ୍ୟୁନାଲ ଗଠନକୁ ଅନୁମୋଦନ ଦେଇଥିଲେ । ପରେ ୨୦୧୮ ମାର୍ଚ୍ଚ ୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି କେନ୍ଦ୍ର ସରକାର ନୂଆଦିଲ୍ଲୀଠାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ ।

ତେବେ ମହାନଦୀ ଜଳବିବାଦକୁ ନେଇ ବିଜେପି ସରକାର କେଉଁପ୍ରକାରର ‘ଆପୋଷ ବୁଝାମଣା’ କରିଛନ୍ତି ତାକୁ ନେଇ ନବୀନ ଉଦବେଗ ବ୍ୟକ୍ତ କରିବା ସହ ସାଧାରଣ ଜନତା ଓ ବିରୋଧୀ ଦଳଗୁଡ଼ିକୁ ବିଶ୍ୱାସକୁ ନେବାରେ କ’ଣ ଅସୁବିଧା ରହିଛି ବୋଲି ପ୍ରଶ୍ନ କରିଛନ୍ତି । ମହାନଦୀ ହେଉଛି ଓଡ଼ିଶାର ଅଢ଼େଇ କୋଟି ଲୋକଙ୍କ ଜୀବନଜୀବିକା । ଏହାର ଅଧିକାର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ନବୀନ କହିଛନ୍ତି ।

Naveen Patnaik