Advertisment

ଭୋଟର ଦିନକ ପୂର୍ବରୁ ହାଇ ଡ୍ରାମା; ବିଜେପି ନେତା ଟଙ୍କା ବାଣ୍ଟିଥିବା ଅଭିଯୋଗ

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରରେ ହାଇ ଡ୍ରାମା ଦେଖିବାକୁ ମିଳିଛି।

author-image
Debibandita Barick
Vinod Tawde

Vinod Tawde

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ରାଜ୍ୟର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ସେ ଭୋଟ୍ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ବହୁଜନ ବିକାଶ ଅଗାଡ଼ି (BVA) ଦଳ ଅଭିଯୋଗ ଆଣିଛି।

Advertisment

ବସାଇ ବିଧାୟକ ହିତେନ୍ଦ୍ର ଠାକୁରଙ୍କ ନେତୃତ୍ୱାଧୀନ BVAର ପାଲଘର ଜିଲ୍ଲାରେ ଦବଦବା ରହିଛି। ବସାଇ, ନାଲସପୋରା ଏବଂ ବୋଇସାରରେ BVA ବିଧାୟକ ଅଛନ୍ତି। ଚଳିତ ନିର୍ବାଚନରେ ହିତେନ୍ଦ୍ର ଠାକୁର ବସାଇ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁ ଥିବାବେଳେ ତାଙ୍କ ପୁଅ ଖିତିଜ ନାଲୋସପୋରା ଏବଂ ବର୍ତ୍ତମାନର ବିଧାୟକ ରାଜେଶ ପାଟିଲ ବୋଇସାର ଆସନରୁ ଲଢୁଛନ୍ତି।  

ଏପରି ସ୍ଥଳେ ବହୁଜନ ବିକାଶ ଅଗାଡ଼ି ଦଳ ବିଜେପି ନେତା ତଥା ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ନାଲସପୋରାର ବିଜେପି ପ୍ରାର୍ଥୀ ରାଜନ ନାଏକଙ୍କର ଏକ ଭିଡିଓ ଭାଇରାଲ୍ କରିଛି। ଦଳ ଅଭିଯୋଗ କରିଛି ଯେ, ବିଜେପି ନେତା ଏକ ବ୍ୟାଗରେ 5 କୋଟି ଟଙ୍କା ଆଣି ବାଣ୍ଟିଛନ୍ତି। 

Advertisment

ଭିଡିଓରେ ଦେଖା ଯାଉଛି ଯେ, ବିଜେପି କର୍ମୀ ଏକ ବ୍ୟାଗରୁ ନଗଦ ଟଙ୍କା ନେଉଥିବାବେଳେ ତାୱଡେ କିଛି ଦୂରରେ ବସିଛନ୍ତି। ସେମାନେ ତାଙ୍କ ସହ ଫଟୋ ଏବଂ ଭିଡିଓ ଶୁଟ୍ କରିବାକୁ ଆସୁ ଥିବାବେଳେ ବ୍ୟାଗଟି ତାଙ୍କର ନୁହେଁ ବୋଲି ତାୱେଡେ କହୁଥିବା ଦେଖିବାକୁ ମିଳୁଛି।

ହିତେନ୍ଦ୍ର ଠାକୁର ଅଭିଯୋଗ କରିଛନ୍ତି ଯେ, ସେମାନେ ନଗଦ ବ୍ୟତୀତ ତାୱଡେଙ୍କ ଠାରୁ ଦୁଇଟି ଡାଏରୀ ଜବତ କରିଛନ୍ତି। କିନ୍ତୁ ଡାଏରୀରରେ କିଛି ଲେଖାଯାଇ ନାହିଁ। ତାୱଡେ ସେମାନଙ୍କୁ କ୍ଷମା ମାଗି ହୋଟେଲରୁ ଯିବାକୁ ଦେବା ପାଇଁ ଅନୁରୋଧ କରିଥିବା ବହୁଜନ ବିକାଶ ଅଗାଡି ଦଳ ନେତା କହିଛନ୍ତି। ତାଙ୍କୁ ତୁରନ୍ତ ଗିରଫ କରି ହୋଟେଲକୁ ସିଲ୍ କରିବାକୁ ଦାବି କରିଛନ୍ତି BVA କର୍ମୀ। 

ଅନ୍ୟପଟେ ଭିଡିଓ ଭାଇରାଲ୍ ହେବା ସତ୍ତ୍ୱେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାୱଡେ। ସେ କୌଣସି ଟଙ୍କା ବାଣ୍ଟି ନଥିବା କହିଛନ୍ତି।  

ଏହି ଭିଡିଓ ଭାଇରାଲ୍ ହେବା ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ। କଂଗ୍ରେସ କହିଛି ଯେ, ବିଜେପି ଟଙ୍କା ଦେଇ ନିର୍ବାଚନକୁ ପ୍ରଭାବିତ କରିବାରେ ବ୍ୟସ୍ତ ଅଛି। ନିର୍ବାଚନ ଆୟୋଗ ଏଥିପ୍ରଦି ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ କହିଛି।

Maharashtra Assembly Election Maharashtra Election Vinod Tawde Bahujan Vikas Aghadi