Advertisment

ମହାରାଷ୍ଟ୍ର କଂଗ୍ରେସକୁ ପୁଣି ଝଟ୍‌କା, ଦଳ ଛାଡିଲେ ଅଶୋକ ଚୌହାନ

ଅଶୋକ ଚୌହାନ ଦୀର୍ଘ ଦିନ ହେବ କଂଗ୍ରେସକୁ ନେଇ ଅସନ୍ତୁଷ୍ଟ ଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Ashok Chavan

Ashok Chavan

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସକୁ ଲାଗିଛି ପୁଣି ଝଟ୍‌କା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପଟୋଲେଙ୍କୁ ଏନେଇ ଚିଠି ଲେଖି ସେ ଜଣାଇଛନ୍ତି।

Advertisment

ସେ ନିଜ ଇସ୍ତଫା ପତ୍ର ଲେଖିଛନ୍ତି, ମୁଁ ଦେଶର ସବୁଠୁ ପୁରୁଣା ଦଳକୁ ଛାଡୁଛି। କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମୁଁ ଇସ୍ତଫା ଦେଉଛି। ସେ ବିଧାନସଭା ବାଚସ୍ପତି ରାହୁଲ ନରଭେକରଙ୍କ ନିକଟକୁ ମଧ୍ୟ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।

ସୂଚନାନୁସାରେ, ଅଶୋକ ଚୌହାନ ଦୀର୍ଘ ଦିନ ହେବ କଂଗ୍ରେସକୁ ନେଇ ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ ଇସ୍ତଫା ଦେଇଛନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

Advertisment

ସେ ବିଜେପିରୁ ରାଜ୍ୟସଭା ଯାଇପାରନ୍ତି ବୋଲି କୁହାଯାଉଛି। ତାଙ୍କ ସହିତ, ୧୦ ରୁ ୧୨ ବିଧାୟକ ମଧ୍ୟ ଦଳବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।ଏହା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ଦୁଇ ବରିଷ୍ଠ ନେତା ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା କଂଗ୍ରେସ ଛାଡି ଥିଲେ।

ତେବେ ଚୌହାନଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ତାକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଗକୁ ଅପେକ୍ଷା କର, ଆଉ କ’ଣ କ'ଣ ସବୁ ଘଟୁଛି ଦେଖିବ ବୋଲି କହିଛନ୍ତି।  

ସେ କହିଛନ୍ତି, 'ମୁଁ ଗଣମାଧ୍ୟମରୁ ଅଶୋକ ଚୋୖହାନଙ୍କ ବିଷୟରେ ଶୁଣିଥିଲି। ମାତ୍ର ବର୍ତ୍ତମାନ ମୁଁ କେବଳ କହିପାରିବି ଯେ କଂଗ୍ରେସର ଅନେକ ଭଲ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଜନତାଙ୍କ ସହ ଜଡିତ ସେହି ନେତାମାନେ କଂଗ୍ରେସରେ ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି। ମୁଁ ନିଶ୍ଚିତ ଯେ କିଛି ବଡ ଚେହେରା କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ।'

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମହାରାଷ୍ଟ୍ରରେ କଂଗ୍ରେସର ଜଣେ ଜଣାଶୁଣା ଚେହେରା, ଯିଏ ପ୍ରତ୍ୟେକ ଅସୁବିଧାରେ ଦଳ ସହ ଛିଡା ହୋଇଥିଲେ। ମୋଦୀ ଲହର ସତ୍ତ୍ୱେ ସେ ୨୦୧୪ରେ ନନ୍ଦେଡ ଆସନରୁ କଂଗ୍ରେସକୁ ବିଜୟୀ କରାଇଥିଲେ।

ଅଶୋକ ଚୌହାନ ୮ ଡିସେମ୍ବର ୨୦୦୮ରୁ ୯ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ଦେଡ଼ ବର୍ଷ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ଆଦର୍ଶ ବିଲଡିଂ ସ୍କାମରେ ତାଙ୍କ ନାଁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ସେତେବେଳେ ରାଜନୈତିକ ବିଶେଷଜ୍ଞମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଅଶୋକ ଚୌହାନ ରାଜନୀତିରୁ ବନବାସ ନେଇଯିବେ।  କିନ୍ତୁ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ୨୦୧୪ ଲୋକସଭା ନିର୍ବାଚନରେ ​​ଜିତିଥିଲେ। ତାଙ୍କୁ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସର ସଭାପତି କରାଯାଇଥିଲା।

Congress Maharashtra Ashok Chavan