Advertisment

କାଲି ମହୁଆଙ୍କୁ ଜେରା କରିବ ଏଥିକ୍ସ କମିଟି, ୩ ମନ୍ତ୍ରଣାଳୟ ଦେଲେ ରିପୋର୍ଟ

ଲାଞ୍ଚ ନେଇ ପ୍ରଶ୍ନ କରିବା ବ୍ୟତୀତ ମହୁଆ ତାଙ୍କ ଲୋକସଭା ଲଗଇନ ଆଇଡି ଜଣେ ବ୍ୟବସାୟୀଙ୍କୁ ଦେଇଥିବା ଅଭିଯୋଗ ହୋଇଛି।

Mahua

Mahua

Advertisment

ଟଙ୍କା ନେଇ ସଂସଦରେ ପ୍ରଶ୍ନ କରିବା ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଆସନ୍ତାକାଲି ଲୋକସଭାର ଏଥିକ୍ସ କମିଟି ଜେରା କରିବ। କମିଟି ପାଖରେ ଥିବା ଦସ୍ତାବିଜତ ଓ ତଥ୍ୟ ବ୍ୟତୀତ ୩ ମନ୍ତ୍ରଣାଳୟ ଦେଇଥିବା ରିପୋର୍ଟ ଉପରେ ମଧ୍ୟ ତାଙ୍କୁ ପ୍ରଶ୍ନ କରାଯିବ।

Advertisment

ଲାଞ୍ଚ ନେଇ ପ୍ରଶ୍ନ କରିବା ବ୍ୟତୀତ ମହୁଆ ତାଙ୍କ ଲୋକସଭା ଲଗଇନ ଆଇଡି ଜଣେ ବ୍ୟବସାୟୀଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ମହୁଆ ଭାରତରେ ଥିବା ବେଳେ ଦୁବାଇରେ ତାଙ୍କ ଆକାଉଣ୍ଟକୁ ପ୍ରାୟ ୪୭ ଥର ଲଗଇନ କରାଯାଇଥିବା ମଧ୍ୟ କୁହାଯାଉଛି। ଏ ସବୁ ଅଭିଯୋଗ ଉପରେ ସ୍ୱରାଷ୍ଟ୍ର, ସୂଚନା ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରିପୋର୍ଟ ଦେଇଛି।

ଅକ୍ଟୋବର ୨୬ରେ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ପ୍ୟାନେଲର ମିଟିଂ ହୋଇଥିଲା। ଏହି ସମୟରେ ମନ୍ତ୍ରଣାଳୟଗୁଡ଼ିକୁ ରିପୋର୍ଟ ମଗା ଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ଆଜି କମିଟି ନିକଟରେ ରିପୋର୍ଟ ଦାଖଲ କରାଯାଇଛି। ଲଗଇନ ଆଇଡିର ଆଇପି ଠିକଣା ଓ ମହୁଆଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବା ପାଇଁ କମିଟି ମନ୍ତ୍ରଣାଳୟର ସହାୟତା ଲୋଡ଼ିଥିଲା। ଏହାର ତଥ୍ୟ ମନ୍ତ୍ରଣାଳୟଗୁଡ଼ିକ ଦେଇଛନ୍ତି। 

Advertisment

ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ମହୁଆ ତାଙ୍କ ଲଗଇନ ପାସୱାର୍ଡ ଦେଇଥିଲେ। ସେ ମହୁଆଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏକଥାକୁ ନିଜେ ଦର୍ଶନ ସତ୍ୟପାଠ ଦ୍ୱାରା ସ୍ୱୀକାର ମଧ୍ୟ କରିଛନ୍ତି।

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗର ତଦନ୍ତ କରୁଥିବା ଏଥିକ୍ସ କମିଟିକୁ ଶୁକ୍ରବାର ମହୁଆ ଚିଠି ଲେଖିଥିଲେ। ଏଥିରେ ସେ ୩୧ ତାରିଖରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ। ନଭେମ୍ବର ୪ ଯାଏ ସାଂସଦ ଭାବେ ତାଙ୍କର କିଛି କାମ ରହିଛି। ତେଣୁ ନଭେମ୍ବର ୫ ପରେ ସେ ପକ୍ଷ ରଖିବାକୁ ଉପଲବ୍ଧ ହେବେ।

ଚିଠି ପାଇବା ପରେ ଏଥିକ୍ସ କମିଟି ପଚରାଉଚରା ସମୟସୀମାକୁ ୩ ଦିନ ବୃଦ୍ଧି କରିଥିଲା। ମହୁଆଙ୍କୁ ନଭେମ୍ବର ୨ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ଅନୁସାରେ ମହୁଆ ଆସନ୍ତାକାଲି ଏଥିକ୍ସ କମିଟି ନିକଟରେ ହାଜର ହେବେ।

ମହୁଆଙ୍କୁ ଏଥିକ୍ସ କମିଟି ସମନ କରିବା ପୂର୍ବରୁ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୀ ଓ ବିଜେପି ସାଂସଦ ନିଶିକ୍ତାନ୍ତ ଦୁବେଙ୍କୁ ଡାକିଥିଲା। ସେମାନେ କମିଟି ନିକଟରେ ହାଜର ହୋଇ ନିଜ ନିଜର ବୟାନ ରେକର୍ଡ କରାଇଥିଲେ।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ଅଭିଯୋଗପତ୍ରରେ ସାଂସଦ ଦୁବେ ଆଇନଜୀବୀ ଦେହାଦ୍ରୀ ସାମ୍ନାକୁ ଆଣିଥିବା ଦସ୍ତାବିଜ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ନେଇ ମହୁଆ ଲୋକସଭାରେ ଆଦାନି ଗ୍ରୁପ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଳିନ କରିବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା।

ଦୁବେ ଆହୁରି ଅଭିଯୋଗ କରିଛନ୍ତି ଯେ ମହୁଆ ମୋଇତ୍ରା ଭାରତରେ ଥିବା ବେଳେ ତାଙ୍କ ସଂସଦର ଆଇଡିକୁ ଦୁବାଇରେ ବ୍ୟବହାର କରାଯାଇଥିଲା। ତଦନ୍ତକାରୀ ଏଜେନ୍ସିକୁ ଏକଥା ଏନଆଇସି ଏକଥା ଜଣାଇଛି ବୋଲି ସେ ଚିଠିରେ କହିଛନ୍ତି।

Mahua Moitra Mahua Moitra Bribe Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe