/odisha-reporter/media/post_attachments/uploadimage/library/16_9/16_9_0/Congress_1702996594.jpg)
Congress
ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୮୦ ଡିଗ୍ରୀ ଟର୍ଣ୍ଣ ମାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିନକ ତଳେ ମମତା କହିଥିଲେ ଯେ ବିରୋଧୀ ମେଣ୍ଟ ଇଣ୍ଡିଆ ଲୋକସଭା ନିର୍ବାଚନ ଶେଷ ନ ହେବା ଯାଏ କାହାକୁ ବି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ ନାହିଁ। କିନ୍ତୁ ଆଜି ଇଣ୍ଡିଆ ମେଣ୍ଟର ବୈଠକ ବେଳେ ସେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ପ୍ରସ୍ତାବ ଦେଇଛନ୍ତି।
ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମର୍ଥନ କରିଥିଲେ। ଖଡଗେ ଚର୍ଚ୍ଚିତ ଦଳିତ ଚେହେରା ହୋଇଥିବାରୁ ତାଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛି। ବୈଠକରେ ସାମିଲ ହୋଇଥିବା ସବୁ ଦଳ ମଧ୍ୟ ଏହି ଯୋଜନାରେ ହଁ ଭରିଥିଲେ। ଏପରି କି ସବୁବେଳେ କଂଗ୍ରେସ ବିପକ୍ଷରେ ମତ ରଖୁଥିବା କେଜ୍ରିୱାଲ ବି ମମତାଙ୍କୁ ପ୍ରସ୍ତାବକୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ “ଦେଶକୁ ପ୍ରଥମ ଦିଳିତ ପ୍ରଧାନମନ୍ତ୍ରୀ ଯୋଗାଇ ଦେବାରେ ଏହା ଭଲ ସୁଯୋଗ।”
ସବୁ ଦଳ ଓ ଦୁଇ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଭାବେ ଖଡଗେଙ୍କ ନାଁ ପ୍ରସ୍ତାବ ଦେଇଥିଲେ ହେଁ ସେ ଏହାକୁ ବେଶ ବିନମ୍ର ଭାବେ ଅଗ୍ରାହ୍ୟ କରିଦେଇଥିଲେ। ଖଡଗେ କହିଛନ୍ତି, “ଆମକୁ ପ୍ରଥମେ ଜିତିବାକୁ ପଡ଼ିବ। ଜିତିବା ପାଇଁ କ’ଣ କରିବା, ସେକଥା ଭାବନ୍ତୁ। ସାଂସଦମାନେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଉପରେ ଆଲୋଚନା କରିବାରେ ଲାଭ କ’ଣ। ଆମେ କେମିତି ମିଳିତ ଭାବେ ମ୍ୟାଜିକ ନମ୍ବର ହାସଲ କରିବା, ସେ ଦିଗରରେ ସମସ୍ତେ ଚିନ୍ତା କରିବା ଉଚିତ।”
ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିରୋଧୀ ପ୍ରାର୍ଥୀ ଦେଇଥିଲେ। ଏଥିପାଇଁ ବିଜେପି ବିରୋଧୀ ଦଳଗୁଡ଼ିକୁ ଦଳିତ ଓ ଆଦିବାସୀ ବିରୋଧୀ କହି ସମାଲୋଚନା କରିଥିଲା। ତେଣୁ ଏବେ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରି ବିରୋଧୀ ଦଳିତ ଭୋଟ ହାସଲ କରିବା ମୁଡରେ ଅଛନ୍ତି।
ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ ପରେ ଖଡଗେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବୈଠକରେ ସିଟ ଶେୟାରିଂ ସମ୍ପର୍କରେ କଥାବାର୍ତ୍ତା ହୋଇଛି। ରାଜ୍ୟସ୍ତରରେ ଏହାର ବିଚାର କରାଯିବ। ଯଦି ରାଜ୍ୟ ସ୍ତରରେ କିଛି ସମସ୍ୟା ରହିବ, ତା’ହେଲେ ପ୍ରସଙ୍ଗ କେନ୍ଦ୍ରୀୟ ସ୍ତରକୁ ଆସିବ ବୋଲି ସେ କହିଛନ୍ତି।
ଖଡଗେ କହିଛନ୍ତି, “ଇଣ୍ଡିଆ ମେଣ୍ଟର ଆଜିର ବୈଠକରେ ୨୮ଟି ଦଳ ଯୋଗ ଦେଇଥିଲେ। ଆଗକୁ ବିଭିନ୍ନ ସହରରେ ବୈଠକ ବସିବ।”
ଡିସେମ୍ବର ୩୧ ସୁଦ୍ଧା ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିବାକୁ ଟିଏମସି ଓ ଅନ୍ୟ କିଛି ରାଜନୀତିକ ଦଳ ପ୍ରସ୍ତାବ ଦେଇଛନ୍ତି। ସେହିପରି ଜାନୁଆରୀ ୩୦ରୁ ବିରୋଧୀ ମେଣ୍ଟ ଏକାଠି ଶୋଭାଯାତ୍ରା ମଧ୍ୟ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
