Advertisment

ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ

କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।

Kharge

Kharge

Advertisment

କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ରବିବାର କେନ୍ଦ୍ର ସରକାରଙ୍କୁ ନିର୍ବାଚନ ନିୟମ ସଂଶୋଧନ ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତାରେ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥିତ ଢଙ୍ଗରେ ଷଡ଼ଯନ୍ତ୍ର ଚଳାଇଥିବା ଖଡଗେ କହିଛନ୍ତି। କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।

Advertisment

କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, “ ନିର୍ବାଚନ ପରିଚାଳନା ନିୟମରେ ସଂଶୋଧନ କରି ମୋଦି ସରକାର ଭାରତୀୟ ନିର୍ବାଚନ କମିଶନ ଉପରେ ଆଉ ଗୋଟିଏ ପ୍ରହାର କରିଛନ୍ତି। ଏହା ବ୍ୟବସ୍ଥିତ ଷଡ଼ଯନ୍ତ୍ରର ଅଂଶ ବିଶେଷ। ସଂଗଠନଗତ ଅଖଣ୍ଡତାକୁ ଧ୍ୱଂସ କରିବା ପାଇଁ ଏହା ଏକ ପ୍ରୟାସ।

ପୂର୍ବରୁ ସେମାନେ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରୁଥିବା ଚୟନ ପ୍ରକ୍ରିୟା ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ହଟାଇ ଦେଇଥିଲେ। ଏବେ ସେମାନେ ନିର୍ବାଚନ ପ୍ରକ୍ରିୟାର ସୂଚନା ଉପରେ ରୋକ ଲଗାଇ ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ସେମାନେ ଏପରି କରିଛନ୍ତି।

Advertisment

ତାଲିକାରୁ ଭୋଟରଙ୍କୁ ବାଦ ଦେବା ଓ ଇଭିଏମର ସ୍ୱଚ୍ଛତା ଭଳି ପ୍ରସଙ୍ଗରେ କଂଗ୍ରେସ ଯେତେଥର ନିର୍ଦ୍ଦିଷ୍ଟ ଭାବେ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ନେଇ ଚିଠି ଲେଖିଛି ଇସିଆଇ ସେତେଥର ଗୋଟିଏ କୃପାଳୁଙ୍କ ଭଳି ଉତ୍ତର ଦେଇଛନ୍ତି। ସେହିପରି ଗୁରୁତର ଅଭିଯୋଗକୁ ମଧ୍ୟ ଅଣଦେଖା କରିଛନ୍ତି।

ଏବେ ନିର୍ବାଚନ ପ୍ରକ୍ରିୟାରେ ସଂ‌ଶୋଧନରୁ ସ୍ପଷ୍ଟ ହୋଇଛି ଯେ ଇସିଆଇ ଗୋଟିଏ ସାମ୍ବିଧାନିକ ସଂସ୍ଥା ହୋଇଥିଲେ ହେଁ ସ୍ୱାଧୀନ ଭାବେ କାର୍ଯ୍ୟ କରୁନାହାନ୍ତି। ଇସିଆଇଙ୍କ ଅଖଣ୍ଡତାକୁ ସଙ୍କୁଚିତ କରିବା ପାଇଁ ମୋଦି ସରକାର ନେଇଥିବା ନିଷ୍ପତ୍ତି ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ। କିନ୍ତୁ ଆମେ ଏହାର ସୁରକ୍ଷା କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ପ୍ରସ୍ତୁତ।”

ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଛନ୍ତି। ସର୍ବସାଧାରଣ ଯାଞ୍ଚ ପାଇଁ ସିସିଟିଭି ଫୁଟେଜ୍‌ ମଗାଯିବା ଉପରେ ସଂଶୋଧନ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଛି। ଏଣିକି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଇଲେକ୍‌ଟ୍ରୋନିକ୍‌ ରେକର୍ଡ ସର୍ବସାଧାରଣରେ ତନଖି ପାଇଁ ଉପଲବ୍ଧ ହେବ ନାହିଁ।

ସିସିଟିଭି କ୍ୟାମେରା ଓ ୱେବକାଷ୍ଟିଂ ଫୁଟେଜ୍ ଭଳି କେତେକ ଇଲେକ୍ଟ୍ରୋନିକ୍ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ସହ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂକୁ ରୋକିବା ପାଇଁ ସରକାର ନିର୍ବାଚନ ନିୟମରେ ସଂଶୋଧନ ଆଣିଛନ୍ତି।

ପୂର୍ବରୁ ଥିବା ନିୟମ ୯୩ ଅନୁଯାୟୀ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ସର୍ବସାଧାରଣଙ୍କ ଯାଞ୍ଚ ପାଇଁ ଖୋଲା ରହିଥିଲା। ହେଲେ ସଂଶୋଧନ ପ୍ରକ୍ରିୟାରେ ଇଲେକ୍‌ଟ୍ରୋନିକ୍‌ ଦସ୍ତାବିଜଗୁଡ଼ିକୁ ନିର୍ଦ୍ଦିଷ୍ଟ ଯାଞ୍ଚ ପ୍ରକ୍ରିୟାରୁ ବାଦ ଦିଆଯାଇଛି। ପ୍ରାର୍ଥୀଙ୍କ ପାଖରେ ସମସ୍ତ କାଗଜପତ୍ର ଉପଲବ୍ଧ ରହିବ ଓ ଏ ସଂକ୍ରାନ୍ତରେ ନିୟମରେ କୌଣସି ସଂଶୋଧନ କରାଯାଇନାହିଁ।

କେତେକ ଅସ୍ପଷ୍ଟତା ଦୂର କରିବା, ମତଦାନ ଗୋପନୀୟତା ଉଲ୍ଲଂଘନକୁ ରୋକିବା ଓ ଏଆଇ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ମତଦାନ କେନ୍ଦ୍ର ଭିତରର ସିସିଟିଭି ଫୁଟେଜର ସମ୍ଭାବ୍ୟ ଅପବ୍ୟବହାର ଭଳି ଗମ୍ଭୀର ପ୍ରସଙ୍ଗକୁ ବିଚାର କରି ନିୟମକୁ ସଂଶୋଧନ କରାଯାଇଥିବା ନିର୍ବାଚନ କମିଶନ କହିଛନ୍ତି।

ସଂଶୋଧନ ଦ୍ୱାରା କେବଳ ନିୟମରେ ଉଲ୍ଲେଖ ଥିବା ରେକର୍ଡ ସର୍ବସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ହେବ ଓ କୌଣସି ଇଲେକ୍‌ଟ୍ରୋନିକ୍‌ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ନିମନ୍ତେ ଅନୁମତି ଦିଆଯିବ ନାହିଁ।

Congress Eci Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe