Advertisment

ମୋଦିଙ୍କୁ ଚିଠି ଲେଖିଲେ ଖଡଗେ: କହିଲେ-କଂଗ୍ରେସ ଇସ୍ତାହାରକୁ ନେଇ ଆପଣଙ୍କୁ ଭୁଲ ତଥ୍ୟ ଦିଆଯାଇଛି

କଂଗ୍ରେସ ଇସ୍ତହାର ସମ୍ପର୍କରେ ତାଙ୍କୁ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି।ଦରକାର ପଡ଼ିଲେ ସେ ନିଜେ ମୋଦିଙ୍କୁ ଇସ୍ତହାର ସମ୍ପର୍କରେ ଭଲ ଭାବେ ବୁଝାଇ ଦେବେ ବୋଲି ଖଡଗେ ଚିଠିରେ କହିଛନ୍ତି।

author-image
Hemant Lenka
PM Modi

PM Modi

କଂଗ୍ରେସର ନ୍ୟାୟ ପତ୍ର ବା ନିର୍ବାଚନୀ ଇସ୍ତହାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଦଳକୁ ଟାର୍ଗେଟ କରି ଚାଲିଛନ୍ତି। କଂଗ୍ରେସ ତା’ ଇସ୍ତାହାରରେ କୁଆଡ଼େ କହିଛି ଯେ ଯଦି ଦଳ କ୍ଷମତାକୁ ଆସିବ, ତା’ହେଲେ ଦେଶର ସମ୍ପତ୍ତିକୁ ଅନୁପ୍ରବେଶକାରୀ ଓ ଅଧିକ ଛୁଆ ଥିବା ପରିବାର ମଧ୍ୟରେ ବାଣ୍ଟି ଦେବ ବୋଲି ମୋଦି ଦାବି କରୁଛନ୍ତି।

Advertisment

ଏଥିପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୋଟିଏ ଚିଠି ମୋଦିଙ୍କୁ ଲେଖିଛନ୍ତି। କଂଗ୍ରେସ ଇସ୍ତହାର ସମ୍ପର୍କରେ ତାଙ୍କୁ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି।ଦରକାର ପଡ଼ିଲେ ସେ ନିଜେ ମୋଦିଙ୍କୁ ଇସ୍ତହାର ସମ୍ପର୍କରେ ଭଲ ଭାବେ ବୁଝାଇ ଦେବେ ବୋଲି ଖଡଗେ ଚିଠିରେ କହିଛନ୍ତି।

ଖଡଗେ ଏକ୍ସରେ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ “ଆପଣଙ୍କୁ ଆପଣଙ୍କ ପରାମର୍ଶଦାତା ଭୁଲ ତଥ୍ୟ ଦେଉଛନ୍ତି। ଯେଉଁ ତଥ୍ୟ ସେ ଦେଉଛନ୍ତି, ସେସବୁ ଆମ ଇସ୍ତାହାରରେ ଆଦୌ ଲେଖାଯାଇ ନାହିଁ।”

Advertisment

ମୋଦି ଦେଇଥିବା ବୟାନ ପାଇଁ ଖଡଗେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯେତେବେଳେ ଏସବୁ ଶେଷ ହୋଇଯିବ ସେତେବେଳେ ନିର୍ବାଚନ ହାରିବା ଭୟରେ ଦେଶର ପ୍ରଧାନମନ୍ତ୍ରୀ ଏମିତି ସବୁ ଅସଭ୍ୟ ଭାଷା ପ୍ରୟୋଗ କରୁଥିଲେ ବୋଲି ଲୋକମାନେ ନିଶ୍ଚୟ ମନେରଖିବେ।”

ଖଡେଗଙ୍କ କହିବା କଥା ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ବିଭ୍ରାନ୍ତ କରିବା ଭଲି ତଥ୍ୟ ଦିଆଯାଉଛି। ସେ ନିଜେ ମୋଦିଙ୍କୁ କଂଗ୍ରେସର ଇସ୍ତାହାର ସମ୍ପର୍କରେ ତଥ୍ୟ ଦେବାକୁ ଚାହିଁବେ। ଏହାଦ୍ୱାରା ପ୍ରଧାନମନ୍ତ୍ରୀ ମିଛ ବୟାନ ଦେବାରୁ ନିବୃତ୍ତ ରହିପାରିବେ ବୋଲି ଖଡଗେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରକୁ ସମାଲୋଚନା କରି ଖଡଗେ କହିଛନ୍ତି, “ଆମେ ଭଲ ଭାବେ ଜାଣିଛୁ ଯେ ଆପଣ ଓ ଆପଣଙ୍କ ସରକାର ଗରିବଙ୍କ ପାଇଁ ଆଦୌ ଚିନ୍ତିତ ନୁହନ୍ତି। ଆପଣଙ୍କ ସୁଟ-ବୁଟର ସରକାର କେବଳ କର୍ପୋରେଟଗୁଡ଼ିକ ପାଇଁ କାମ କରୁଛନ୍ତି।

ଆପଣ ସେମାନଙ୍କ ଟିକସ ହ୍ରାସ କରିଛନ୍ତି। କିନ୍ତୁ ଦରମାପ୍ରାପ୍ତ ଲୋକମାନେ ଅଧିକ ଟିକସ ଦେଉଛନ୍ତି। ଗରିବ ଲୋକମାନେ ଜିଏସ୍‌ଟି ଦେଉଛନ୍ତି ଓ ଧନୀ କର୍ପୋରେଟ ଜିଏସ୍‌ଟି ରିଫଣ୍ଡ୍‌ ମାଗୁଛନ୍ତି।”

ଖଡଗେ କହିଛନ୍ତି, “ଆମେ ଧନୀ ଓ ଗରିବ ମଧ୍ୟରେ ଅସମାନତା କଥା କହୁଥିବା ବେଳେ ଆପଣ ଏହାକୁ ହିନ୍ଦୁ ଓ ମୁସଲିମ ସହ ଯୋଡ଼ୁଛନ୍ତି। ଆମ ନିର୍ବାଚନୀ ଇସ୍ତାହାର ଗରିବଙ୍କ ପାଇଁ। ସେମାନେ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିୟାନ କିମ୍ବା ଶିଖ ହୁଅନ୍ତୁ ପଛେ ସମସ୍ତଙ୍କ ପାଇଁ ଇସ୍ତାହାର ତିଆରି କରାଯାଇଛି। ଆପଣଙ୍କ ପୂର୍ବତନ ସହଯୋଗୀଙ୍କ ଭଳି ଆପଣ ଦେଶକୁ ଭାଗଭାଗ କରନ୍ତୁ ନାହିଁ।”

Bjp Congress PM Modi Mallikarjun Kharge