ମମତା-ନବୀନ ଭେଟଘାଟ ପୂର୍ବରୁ ହାତ ଟେକିଦେଲା ବିଜେଡି

ମାର୍ଚ୍ଚ ୨୩ରେ ନବୀନଙ୍କ ସହ ମମତାଙ୍କ ସାକ୍ଷାତବେଳେ ସାମ୍ପ୍ରତିକ ରାଜନୀତିକ ପ୍ରସଙ୍ଗ ସ୍ଥାନ ପାଇପାରେ ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ ଗତକାଲି ସମ୍ଭାବନା ବ୍ୟକ୍ତ କରାଯାଇଥିବାବେଳେ ବିଜେଡି ଆଜି ରୋକଠୋକ୍ ଏଭଳି ରାଜନୀତିକ ଆଲୋଚନାର ସମ୍ଭାବନାକୁ ଏଡ଼ାଇ ଯାଇଛି ।

ମମନା ବାନାର୍ଜୀ ଓ ନବୀନ ପଟ୍ଟନାୟକ

  • Published: Saturday, 18 March 2023
  • , Updated: 18 March 2023, 07:18 PM IST

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ପ୍ରସ୍ତାବିତ ୨ଦୁଇଦିନିଆ ଓଡ଼ିଶା ଗସ୍ତ ଓ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହେବା ପୂର୍ବରୁ ବିଜେଡି ଆଗୁଆ ହାତ ଟେକି ଦେଇଛି । ମାର୍ଚ୍ଚ ୨୩ରେ ନବୀନଙ୍କ ସହ ମମତାଙ୍କ ସାକ୍ଷାତବେଳେ ସାମ୍ପ୍ରତିକ ରାଜନୀତିକ ପ୍ରସଙ୍ଗ ସ୍ଥାନ ପାଇପାରେ ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ ଗତକାଲି ସମ୍ଭାବନା ବ୍ୟକ୍ତ କରାଯାଇଥିବାବେଳେ ବିଜେଡି ଆଜି ରୋକଠୋକ୍ ଏଭଳି ରାଜନୀତିକ ଆଲୋଚନାର ସମ୍ଭାବନାକୁ ଏଡ଼ାଇ ଯାଇଛି । ଆସନ୍ତା ମାର୍ଚ୍ଚ ୨୬ରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ମମତାଙ୍କ ସହ ରାଜନୀତିକ ଭେଟଘାଟ କରି ଶାହାଙ୍କ ଶାଣିତ ସମାଲୋଚନାର ଶିକାର ହେବାକୁ ବିଜେଡି ଚାହୁଁନଥିବା ଚର୍ଚ୍ଚା।

ବିଜେଡି ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମାର୍ଚ୍ଚ ୨୩ରେ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ସାକ୍ଷାତରେ କୌଣସି ରାଜନୀତି ନାହିଁ । ବିଜେପି ଓ କଂଗ୍ରେସଠୁ ସମଦୂରତ୍ୱ ବଜାୟ ରଖି ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ନବୀନ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି । ଯେହେତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ,ତେଣୁ ସୌଜନ୍ୟ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ରହିଛି । ଦଳମତ ନିର୍ବିଶେଷରେ ଓଡ଼ିଶା ଆସୁଥିବା ନେତାମାନେ ତାଙ୍କୁ ସାକ୍ଷାତ କରିଥାନ୍ତି ।

ସେହିପରି ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଏହି ଭେଟଘାଟ ରାଜନୀତିକ ନୁହେଁ । କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ ଆଭିମୁଖ୍ୟରେ ବିଜେଡି କାଏମ ରହିଛି । ଏହି ଆଭିମୁଖ୍ୟ ହିଁ ବିଜେଡିକୁ ଓଡ଼ିଶାରେ ସଫଳତା ଦେଇଛି । ବିଜେଡି ନିଜ ଗୋଡ଼ରେ ଛିଡ଼ା ହୋଇ ଜାତୀୟସ୍ତରରେ ଯାହା ଆବଶ୍ୟକ, ସେଭଳି ପ୍ରସଙ୍ଗଭିତ୍ତିକ ରାଜନୀତି କରୁଛି ।

ଉଲ୍ଲେଖଯୋଗ୍ୟ, ବିଜେପି ଓ କଂଗ୍ରେସଠୁ ସମଦୂରତ୍ୱ ବଜାୟ ରଖିବାକୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଆଭିମୁଖ୍ୟକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମର୍ଥନ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇସାରିଥିବାବେଳେ ଅନ୍ୟ ସମଭାବାପନ୍ନ ଦଳଗୁଡ଼ିକୁ ଏକଜୁଟ ହେବାକୁ ଅଖିଳେଶ ଆହ୍ୱାନ ଦେଇଛନ୍ତି । ବିଜେପି ଓ କଂଗ୍ରେସଠୁ ସମଦୂରତ୍ୱ କଥା କହୁଥିଲେ ମଧ୍ୟ ବିଜେଡି ଏପର୍ଯ୍ୟନ୍ତ ତୃତୀୟ ସାମ୍ମୁଖ୍ୟକୁ ସମର୍ଥନ କରିନି କି ସାମିଲ ହୋଇନି । ୨୦୧୯ ସାଧାରଣ ନିର୍ବାଚନ ପରଠୁ  ବିଜେଡି ପ୍ରାୟ ପ୍ରତ୍ୟେକ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରକୁ ସମର୍ଥନ ଦେଉଛି । ଅବଶ୍ୟ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଜେଡି ଓ ବିଜେପି ଉଭୟ ପରସ୍ପର ପ୍ରତି ଆଭିମୁଖ୍ୟକୁ ସାମାନ୍ୟ ଆକ୍ରମଣାତ୍ମକ କରିଛନ୍ତି । ତେବେ ଆସନ୍ତା ୨୬ତାରିଖରେ ଅମିତ୍ ଶାହା ଓଡ଼ିଶା ଗସ୍ତରେ ଆସୁଥିବାରୁ ମମତାଙ୍କ ସହ ରାଜନୀତିକ ବିଚାରବିମର୍ଶ କରିବାକୁ ବିଜେଡି ନେତୃତ୍ୱ ଚାହୁଁନି । ଚିଟଫଣ୍ଡ, ଖଣି ଦୁର୍ନୀତି, ବ୍ଲାକରୋଜ୍ ଆଦି ଦୁର୍ନୀତିର ସିବିଆଇ ତଦନ୍ତକୁ ନେଇ ବ୍ୟାକଫୁଟରେ ଥିବାବ ଶାସକ ବିଜେଡି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟସ୍ତରରେ କୌଣସି ସାମ୍ମୁଖ୍ୟରେ ସାମିଲ ହୋଇ ବିଜେପି ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ଯେଉଁଥିପାଇଁ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ କଥା ମମତା କହିଥିଲେ ମଧ୍ୟ ସେଭଳି ଏକ ସାମ୍ମୁଖ୍ୟରେ ବିଜେଡି ସାମିଲ ହେବାର ସମ୍ଭାବନା କ୍ଷୀଣ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୧ତାରିଖ ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସି ୨୨ତାରିଖରେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ପରେ ୨୩ତାରିଖରେ କୋଲକାତା ଫେରିବା ପୂର୍ବରୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Related story