Mamata
କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବିରୋଧରେ ମିଛ କଥାଗୁଡ଼ିକର ପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି। କୋଲକାତା ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିକ୍ଷୋଭ କରୁଥିବା ଡାକ୍ତରମାନଙ୍କୁ ମମତା ଧମକ ଦେଇଥିବା ବିଜେପି ଅଭିଯୋଗ କରିଛି।
ତେବେ ମମତା କେବେ ହେଲେ ଡାକ୍ତରମାନଙ୍କୁ କୌଣସି ପ୍ରକାରର ଧମକ ଦେଇ ନଥିବା କହିଛନ୍ତି। ଜୁନିୟର ଡାକ୍ତରଙ୍କୁ ଧମକ ଦେବା ଅଭିଯୋଗ ସଂପୂର୍ଣ୍ଣ ମିଛ। ଡାକ୍ତରଙ୍କ ବିକ୍ଷୋଭ ଯଥାର୍ଥ ବୋଲି ମମତା କହିଛନ୍ତି।
ବୁଧବାର ଟିଏମସିର ଛାତ୍ର ସଂଗଠନକୁ ସମ୍ବୋଧନ କରିବା ବେଳେ ମମତା ବାନାର୍ଜୀ ରାଜ୍ୟରେ ୨୧ ଦିନ ହେଲା ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଏଥିସହ ସେ ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଫଆଇଆର ରୁଜୁ କରିବାକୁ ଚାହୁଁଥିବା କହିଥିଲେ।
ତେବେ ମମତାଙ୍କ ଏପରି ବୟାନ ପରେ ବିଜେପି ଅଭିଯୋଗ କରିଥିଲା ଯେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଡାକ୍ତରମାନଙ୍କୁ ଏଫଆଇଆରର ଧମକ ଦେଇଛନ୍ତି। ଡାକ୍ତରମାନେ ସୁରକ୍ଷା ମାଗୁଥିବା ବେଳେ ମମତା ସେମାନଙ୍କୁ ଧମକ ଦେଇଥିବା ବିଜେପି ଅଭିଯୋଗ କରିଥିଲା।
ଏପରି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଏକ୍ସ ଦ୍ୱାରା ଖଣ୍ଡନ କରିଛନ୍ତି। ସେ ଅଭିଯୋଗକୁ ମନ୍ଦ ଉଦ୍ଦେଶ୍ୟ ରଖି ମିଥ୍ୟା ତଥ୍ୟର ପ୍ରଚାର ବୋଲି କହିଛନ୍ତି। ମମତା ମେଡିକାଲ ଶିକ୍ଷାର୍ଥୀ ଓ ଡାକ୍ତରଙ୍କ ବିରୋଧରେ ଗୋଟିଏ ହେଲେ ବି ଶବ୍ଦ ଉଚ୍ଚାରଣ କରି ନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।
ମମତା କହିଛନ୍ତି ଯେ “ବେଶ ପ୍ରଭାବୀ ଢଙ୍ଗରେ ସ୍ପଷ୍ଟ କରିବାକୁ ଚାହେଁ ଯେ ମୁଁ ଶିକ୍ଷାର୍ଥୀ କିମ୍ବା ସେମାନଙ୍କ ବିପ୍ଳବ ବିରୋଧରେ ଗୋଟିଏ ହେଲେ ଶବ୍ଦ ଉଚ୍ଚାରଣ କରି ନାହିଁ। ମୁଁ ସେମାନଙ୍କ ବିକ୍ଷୋଭକୁ ସମର୍ଥନ କରୁଛି। ସେମାନଙ୍କ ବିକ୍ଷୋଭ ଯଥାର୍ଥ। ମୁଁ ସେମାନଙ୍କୁ କେବେ ହେଲେ ଧମକ ଦେଇନାହିଁ। କିଛି ଲୋକ ମୁଁ ଧମକ ଦେଇଥିବା ପ୍ରଚାର କରୁଛି। କିନ୍ତୁ ଏହି ଅଭିଯୋଗ ସଂପୂର୍ଣ୍ଣ ମିଛ।”
ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରର ସହାୟତାରେ ବିଜେପି ପଶ୍ଚିମବଙ୍ଗର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି। ସେମାନେ ଏଠାରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Mamata_1724925979.jpg)