Advertisment

ବିଧାନସଭାରେ ହାଇଡ୍ରାମା: ବର୍ଷିଲେ ମମତା, ଆହତ ହେଲେ ବିଜେପି ଚିଫ ହ୍ୱିପ

ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ସେହିପରି ଗୃହରେ ଦେଖାଯାଇଥିବା ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଜେପିର ଚିଫ ହ୍ୱିପ ବା ମୁଖ୍ୟ ସଚେତକ ଆହତ ହୋଇଛନ୍ତି।

author-image
Hemant Lenka
BJP

BJP

ବେଙ୍ଗଲ ବିଧାନସଭାରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ସେହିପରି ଗୃହରେ ଦେଖାଯାଇଥିବା ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଜେପିର ଚିଫ ହ୍ୱିପ ବା ମୁଖ୍ୟ ସଚେତକ ଆହତ ହୋଇଛନ୍ତି।

Advertisment

ଗୃହରେ ବାରମ୍ବାର ହଟ୍ଟଗୋଳ କରୁଥିବାରୁ ବାଚସ୍ପତି ବିମନ ବାନାର୍ଜୀ ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ଦିନକ ପାଇଁ ଗୃହରୁ ନିଲମ୍ବିତ କରିଥିଲେ। ତଥାପି ସେ ବିଜେପିର ଅନ୍ୟ ବିଧାୟକଙ୍କ ସହ ମିଶି ଗୃହରେ ନାରାବାଜୀ କରିଥିଲେ। ସେ ଓ ଅନ୍ୟ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଜୟ ଶ୍ରୀରାମ ନାରା ଦେଇଥିଲେ। ଏଥିସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ।

ବିଜେପି ଶାସିତ ରାଜ୍ୟରେ ବେଙ୍ଗଲୀ ପ୍ରବାସୀ ଶ୍ରମିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରି ଟିଏମସି ଗୋଟିଏ ନିନ୍ଦା ପ୍ରସ୍ତାବ ପାରିତ କରିବାକୁ ଚାହୁଁଥିଲା। ଏଥିଯୋଗୁ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଏତିକି ବେଳେ ବାଚସ୍ପତି ବିମନ ବାନାର୍ଜୀ ମାର୍ଶଲଙ୍କୁ ଡାକି ବିଜେପି ମୁଖ୍ୟ ସଚେତକଙ୍କୁ ବାହାର କରିବାକୁ କହିଥିଲେ। ଏହି ଟଣା ଓଟରା ଭିତରେ ଶ୍ରୀ ଘୋଷ ଆହତ ହୋଇଛନ୍ତି। 

Advertisment

ସେହିପରି ଗୃହରେ କିଛି ସମୟ ପାଇଁ ବିଜେପି ଓ ଟିଏମସି ବିଧାୟକମାନେ ମୁହାଁମୁହିଁ ହୋଇଥିଲେ। ସ୍ଥିତି ହାତହାତି ଆଡ଼କୁ ମଧ୍ୟ ଯାଇଥିଲା। ତେବେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟ ବରିଷ୍ଠ ବିଧାୟକମାନେ ଦୁଇ ପକ୍ଷଙ୍କୁ ଅଲଗା କରିଥିଲେ।

ହଟ୍ଟଗୋଳ ଓ ନାରାବାଜୀ ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ବେଙ୍ଗଲ ବିରୋଧୀ ବୋଲି କହିଛନ୍ତି। ଖାସ ଏଥିପାଇଁ ବେଙ୍ଗଲିମାନେ ସହୁଥିବା ନିର୍ଯାତନା ଉପରେ ଆଲୋଚନା କରିବାକୁ ବିଜେପି ଚାହୁଁ ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ବିଜେପି ଗୋଟିଏ ଦୁର୍ନୀତି ଗ୍ରସ୍ତ ଓ ଭୋଟ ଚୋରିର ଦଳ। ସେମାନେ ସବୁଠାରୁ ବଡ଼ ଡକାୟତ ପାର୍ଟି। ସଂସଦରେ ସେମାନେ ସିଆଇଏସଏଫ ଦ୍ୱାରା ଆମ ଦଳର ସାଂସଦଙ୍କୁ ହଇରାଣ କରୁଥିବା ଆମେ ଦେଖିଛୁ। ବଙ୍ଗଳା ବିରୋଧୀ ବିଜେପି ହଟାଅ, ଦେଶ ବଞ୍ଚାଅ।”

ବିରୋଧୀଙ୍କ ନାରାବାଜୀ ମଧ୍ୟରେ ମମତା ଏପରି କହିଥିଲେ। ବିରୋଧୀଙ୍କୁ ଚେତାବନୀ ଦେଇ ସେ କହିଛନ୍ତି, “ମୋ କଥାକୁ ମନେ ରଖ, ଏମିତି ସମୟ ଆସିବ ଯେତେବେଳେ ଗୋଟିଏ ହେଲେ ବିଜେପି ବିଧାୟକ ଏଠାରେ ବସି ନଥିବେ। ଲୋକମାନେ ତୁମକୁ କ୍ଷମତାରୁ ବାହାର କରିଦେବେ। ମୋଦି ଓ ଅମିତ ଶାହଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଖୁବଶୀଘ୍ର ଭୁଶୁଡ଼ି ପଡ଼ିବ।”

ମୁଖ୍ୟମନ୍ତ୍ରୀ ମମତା ଦାବି କରିଛନ୍ତି ଯେ ବିଜେପି ଶାସିତ ରାଜ୍ୟରେ ପ୍ରବାସୀ ବେଙ୍ଗଲ ଶ୍ରମିକମାନେ ସାମ୍ନା କରୁଥିବା ସମସ୍ୟା ଉପରେ ଦଳ ବିଧାନସଭାରେ ଆଲୋଚନା କରିବାକୁ ଚାହୁଁ ନାହିଁ।

Bjp Mamata Banerjee West Bengal TMC