Advertisment

କୋର୍ଟ ଝଟକା ପରେ ରାଗିଲେ ଦିଦି: କହିଲେ- ରାୟ ସମ୍ପର୍କରେ କେମିତି ଆଗୁଆ ଜାଣିଲେ ବିଜେପି ନେତା?

କଲିକତା ହାଇକୋର୍ଟ ୨୦୧୬ରେ ବେଙ୍ଗଲ ସରକାର ଦେଇଥିବା ୨୫ ହଜାରରୁ ଅଧିକ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରି ଦେଇଥିଲେ।

author-image
Hemant Lenka
Mamata

Mamata

ଶିକ୍ଷକ ନିଯୁକ୍ତି ମାମଲାରେ କଲିକତା ହାଇକୋର୍ଟ ଝଟକା ଦେବା ପରେ ରାଗି ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ନେତାମାନେ ନ୍ୟାୟିକ ବ୍ୟବସ୍ଥା ଓ କୋର୍ଟଙ୍କ ରାୟକୁ ପ୍ରଭାବିତ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

Advertisment

କଲିକତା ହାଇକୋର୍ଟ ୨୦୧୬ରେ ବେଙ୍ଗଲ ସରକାର ଦେଇଥିବା ୨୫ ହଜାରରୁ ଅଧିକ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରି ଦେଇଥିଲେ। ଏଥିସହ ସେମାନଙ୍କୁ ୮ ବର୍ଷ ମଧ୍ୟରେ ପାଇଥିବା ସମସ୍ତ ଦରମାକୁ ଫେରାଇ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବେଙ୍ଗଲ ବିଜେପି ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛି। ଦଳ କହିଛି ଯେ “ଯୋଗ୍ୟ ଆଶାୟୀଙ୍କ ମୁହଁରେ ହସ ଫୁଟିଛି। ଏବେ ବେଙ୍ଗଲରୁ ପିଉସୀ ଓ ପୁତୁରା ଯୋଡ଼ିଙ୍କର ବିଦାୟ ନେବାର ସମୟ ଆସି ଯାଇଛି।” ଏକ୍ସରେ ଏପରି ପୋଷ୍ଟ କରି ବିଜେପି ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲା।

Advertisment

ତେବେ ମମତା ବାନାର୍ଜୀ ସ୍କୁଲ ଶିକ୍ଷକମାନଙ୍କୁ ବ୍ୟସ୍ତ ନ ହେବାକୁ କହିଛନ୍ତି। ସେ କହିଛନ୍ତି, “ଆମେ ଆପଣମାନଙ୍କ ସହ ରହିଛୁ। ଆମେ ୨୬ ହଜାର ଶିକ୍ଷକ ଅର୍ଥ ୧.୫ ଲକ୍ଷ ପରିବାର ପାଇଁ ଲଢ଼େଇ ଜାରି ରଖିବୁ। ସେମାନେ ୮ ବର୍ଷ କାମ କରିଛନ୍ତି। ସେମାନେ କେମିତି ୪ ସପ୍ତାହ ମଧ୍ୟରେ ଦରାମ ସବୁ ଫେରାଇବେ? ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ କହି ସାରିଛି ଯେ ସେମାନେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ।”

ନିଜର ପୁରୁଣା ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ମମତା ଟାର୍ଗେଟ କରିଛନ୍ତି। ସେ କେମିତି କୋର୍ଟଙ୍କ ରାୟ ସମ୍ପର୍କରେ ଆଗୁଆ ଆକଳନ କରିଥିଲେ ବୋଲି ଦିଦି ପ୍ରଶ୍ନ କରିଛନ୍ତି।

ମମତା କହିଛନ୍ତି, “ସେ(ଶୁଭେନ୍ଦୁ ଅଧିକାରୀ) ଗୋଟିଏ ବିସ୍ଫୋରଣର ଆକଳନ କରିଥିଲେ। କ’ଣ ସେହି ବିସ୍ଫୋରଣ? ୨୬ ହଜାର ଲୋକଙ୍କ ଠାରୁ ସେମାନଙ୍କ ଚାକିରି ଛଡ଼ାଇ ନେବା ଓ ସେମାନଙ୍କୁ ମରଣ ମୁହଁକୁ ଠେଲି ଦେବା ବିସ୍ଫୋରଣ? ଯଦି ସେମାନେ ରାୟ ଲେଖୁ ନାହାନ୍ତି, ତା’ହେଲେ କୋର୍ଟ କ’ଣ ରାୟ ଦେବେ କେମିତି ଆଗୁଆ ଜାଣିଲେ?”

ଶୁଭେନ୍ଦୁ ଅଧିକାରୀ ଗତ ସପ୍ତାହରେ କହିଥିଲେ ଯେ “ସୋମବାର ଯାଏ ଅପେକ୍ଷା କରନ୍ତୁ। ଗୋଟିଏ ବଡ଼ ବିସ୍ଫୋରଣ ପିଉସୀ-ପୁତୁରାଙ୍କ ପାର୍ଟିକୁ ଦୋହଲାଇ ଦେବ। ସେମାନେ କମବ୍ୟାକ କରିବାକୁ ମଧ୍ୟ ସୁଯୋଗ ପାଇବେ ନାହିଁ।”

Bjp Mamata Banerjee Suvendu Adhikari Mamata Didi Lok Sabha Election 2024