Advertisment

ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

୨୦୨୦ରେ ମମତା ମହାନ୍ତଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Mamata Mohanta

Mamata Mohanta

ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ନେତା ମମତା ମହାନ୍ତ। ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନରୁ ଓହରିଯିବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। 

Advertisment

କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ। ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥା’ନ୍ତା। ତେବେ କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସହିତ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ବିଜେଡି ଉପରେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ଏମିତିକି ତାଙ୍କୁ ନିର୍ବାଚନ ପରେ ବିଜେଡିରୁ ବାହାର କରି ଦେବାକୁ ଧମକ ଦିଆଯାଇଥିଲା। ବିଜେଡି ଛାଡ଼ିବା ପର ଦିନ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ସେ ବିଜେପିରେ ମିଶିଥିଲେ। 

ସପ୍ତାହେ ତଳେ ବିଜେପି ମମତା ମହାନ୍ତଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଥିଲା। ଗତ ଅଗଷ୍ଟ ୨୧ ତାରିଖରେ ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେହିଦିନ ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେପି ବିଧାୟକମାନଙ୍କ ସମର୍ଥନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା । କିନ୍ତୁ ଜଗନ୍ନାଥ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ପରେ ମମତା ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ମମତାଙ୍କୁ ରିଟର୍ଣ୍ଣିଂ ଅଫିସର ଜିତିବା ନେଇ ସାର୍ଟିଫିକେଟ୍ ପ୍ରଦାନ କରିବା ପରେ ସେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Advertisment

ସୂଚନାଯୋଗ୍ୟ, ଶ୍ରୀମତୀ ମହନ୍ତ ରାଜ୍ୟସଭାରେ ନିଜର ବାକିଥିବା କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ବିଜେପି ସାଂସଦ ଭାବେ କାର୍ଯ୍ୟ କରିବେ । ତାଙ୍କୁ ବିଜେଡି ୨୦୨୦ ଏପ୍ରିଲରେ ରାଜ୍ୟସଭାକୁ ପଠାଇଥିଲା । ସେତେବେଳେ ମଧ୍ୟ ମମତା ନିର୍ଦ୍ୱନ୍ଦ୍ୱରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ ।

Rajya Sabha Election Mamata Mohanta