Advertisment

କେଜ୍ରିୱାଲଙ୍କ ମୁହଁକୁ ପାଣି ଛାଟି ଯୁବକ ଅଟକ

ବିଜେପିକୁ ଦାୟୀ କଲା ଆମ୍ ଆଦମୀ ପାର୍ଟି। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

author-image
Debadatta Aryashrestha
Man threw water on Arvind Kejriwal

Man threw water on Arvind Kejriwal

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ପାଣି ଫିଙ୍ଗିଲେ ଯୁବକ। ଗ୍ରେଟର କୈଳାଶ ଅଞ୍ଚଳରେ କେଜ୍ରିୱାଲ ନିଜ ସମର୍ଥକଙ୍କ ଗହଣରେ ଯାଉଥିବା ସମୟରେ ଏଭଳି ଘଟଣା ଘଟିଛି। ଏହାପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ପାଣି ଫିଙ୍ଗିଥିବା ଯୁବକକୁ ସୁରକ୍ଷାକର୍ମୀ ଧରିପକାଇଥିଲେ। ତେବେ ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବିଜେପିକୁ ଦାୟୀ କରିଛି।

Advertisment

ପୁଲିସ କହିବା ଅନୁଯାୟୀ, କେଜ୍ରିୱାଲ ତାଙ୍କ ସମର୍ଥକଙ୍କ ସହ ଗ୍ରେଟର କୈଳାଶର ମାଲବୀୟ ନଗର ଅଞ୍ଚଳରେ ବୁଲୁଥିବା ବେଳେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତର ନାମ ଅଶୋକ ଝା। ଏହି ସମୟରେ ଅଶୋକ ହାତରେ ଏକ ଗ୍ଲାସ ଥିଲା, ଯେଉଁଥିରେ ଥିବା ପାଣିକୁ ସେ କେଜ୍ରିୱାଲଙ୍କ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲା। କେଜ୍ରିୱାଲଙ୍କ ସମେତ ତାଙ୍କ ସହ ଉପସ୍ଥିତ ଅନ୍ୟ ନେତା ତଥା ସୁରକ୍ଷାକର୍ମୀଙ୍କ ଉପରେ ମଧ୍ୟ ଏହି ପାଣି ପଡ଼ିଥିଲା। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି।

Advertisment

ଦେଶର ରାଜଧାନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସୁରକ୍ଷିତ ନୁହନ୍ତି ବୋଲି କହି ବିଜେପିକୁ ଟାର୍ଗେଟ କରିଛି ଆମ୍ ଆଦମୀ ପାର୍ଟି। ଆପ୍ ସାଂସଦ ରାଘବ ଚଢା କହିଛନ୍ତି ଯେ ଗତକାଲି ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଆଇନ ଶୃଙ୍ଖଳା ବିଗିଡିବା ଘଟଣାରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ଆଜି ତାଙ୍କ ଉପରେ ଆକ୍ରମଣ ହୋଇଗଲା। ଏହା ଅତ୍ୟନ୍ତ ନିନ୍ଦନୀୟ। ଗଣତାନ୍ତ୍ରିକ ରାଜନୀତିରେ ହିଂସାର ସ୍ଥାନ ନାହିଁ, ଅରବିନ୍ଦ କେଜ୍ରିୱାଲଙ୍କ ସହ କୋଟି କୋଟି ଲୋକଙ୍କ ଆଶୀର୍ବାଦ ରହିଛି। ଯାହାଙ୍କର ରକ୍ଷା ସ୍ୱୟଂ ଈଶ୍ୱର କରନ୍ତି, ତାଙ୍କର କେହି କିଛି କ୍ଷତି କରିପାରିବେ ନାହିଁ।

ଅନ୍ୟପଟେ ଦିଲ୍ଲୀ ସରକାରରେ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ବିଜେପି ନେତାମାନେ କ୍ରମାଗତ ଭାବରେ ପ୍ରତ୍ୟେକ ରାଜ୍ୟରେ ରାଲି ଓ ପଦଯାତ୍ରା କରନ୍ତି, ସେମାନଙ୍କୁ କେବେ ଆକ୍ରମଣ କରାଯାଏ ନାହିଁ। ହେଲେ ଅରବିନ୍ଦ କେଜ୍ରିୱାଲଙ୍କୁ କ୍ରମାଗତ ଭାବେ ଆକ୍ରମଣ କରାଯାଉଛି। ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ଭରଦ୍ୱାଜ କହିଛନ୍ତି ଯେ ଦିଲ୍ଲୀରେ କ୍ରମାଗତ ଭାବରେ ବିଭିନ୍ନ ବର୍ଗର ଲୋକଙ୍କୁ ଧମକପୂର୍ଣ୍ଣ କଲ ଆସୁଛି। ଦୋକାନ, ଗୋଦାମ ଏବଂ ଶୋ’ରୁମ ଭିତରେ ଗୁଳି ଫୁଟୁଛି। ଗ୍ରେଟର କୈଳାଶ ଓ ପଞ୍ଚଶୀଳ ପାର୍କ ଭଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଦିଲ୍ଲୀର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ବିଜେପିକୁ ଦାୟୀ କରିଛନ୍ତି।

Bjp Delhi Arvind Kejriwal AAP Water Through On Kejriwal