‘ବିରାଟ ବାହୁବଳେ କିଚକ ରାଜା’ ଭଳି ନିଜ ଧରମ ଶ୍ୱଶୁରଙ୍କ ବଳରେ ବଳିୟାନ ହୋଇ ଏକଦା ଅଖଣ୍ଡ କ୍ଷମତାର ଉପଭୋଗ କରିଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ହଟହଟା । ବିଜେଡି ମୁଖ୍ୟାଳୟ ଶଙ୍ଖଭବନରେ ତାଙ୍କୁ ଯୁବ-ଛାତ୍ର ନେତାମାନଙ୍କ ତୀବ୍ର ବିରୋଧ ଓ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସେ ଦଳର ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକରେ ଯୋଗ ନଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସିବା ପୂର୍ବରୁ ଶଙ୍ଖଭବନରୁ ପଳାଇବାକୁ ପଛାଇ ନଥିଲେ । ମାନସଙ୍କ ଏଭଳି ହଟହଟା ହେଉଥିବାବେଳେ ଦଳର ସମସ୍ତ ଦଳୀୟ ପଦାଧିକାରୀ ଓ ଆଗଧାଡ଼ିର ନେତାମାନେ ଉପସ୍ଥିତ ଥିଲେ ମଧ୍ୟ କେହି ତାଙ୍କ ସପକ୍ଷରେ ଆଗକୁ ଆସିନଥିଲେ। ଏପରିକି ଶଙ୍ଖଭବନକୁ ତାଙ୍କୁ ଡାକି ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେବେ ବୋଲି କାନ୍ଦି କାନ୍ଦି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଆଗରେ ଫେରାଦ ହୋଇଥିଲେ । କିନ୍ତୁ ଯୁବ-ଛାତ୍ର କର୍ମକର୍ତ୍ତାମାନଙ୍କ ଆକ୍ରୋଶକୁ ଦେଖି ବବି ତାଳିପକା ଉଦ୍ୟମ କରି ଓଲଟା ମାନସଙ୍କୁ ‘ପିଲାଙ୍କ ଭଳି’ ନହେବାକୁ ତାଗିଦ୍ କରିଥିବା ସୂଚନା ମିଳିଛି ।
ମାନସ ହଟହଟା, କାନ୍ଦିଲେ
ଶଙ୍ଖଭବନରେ ଦଳର ଜନଜାଗରଣ ଅଭିଯାନ ତଥା ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକରେ ଯୋଗ ଦେବାକୁ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଆସିଥିଲେ । ସେ ଶଙ୍ଖଭବନ ପରିସରରେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଦଳର ଯୁବ-ଛାତ୍ର ସଂଗଠନର ଆଗଧାଡ଼ିର କିଛି କର୍ମକର୍ତ୍ତା ସିଧାସଳଖ ତାଙ୍କ ନାଁ ନେଇ ହୋ-ହାଲ୍ଲା କରିଥିଲେ । ଦଲାଲ- ଦଲାଲ- ହାଏହାଏ- ଭଳି ଶବ୍ଦରେ ଶଙ୍ଖଭବନ ପ୍ରକମ୍ପିତ ହୋଇଥିଲା । ଏପରିକି ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ ଚାଲିଥିବା ପ୍ରଥମ ମହଲାରେ ଏହି ହୋ-ହାଲ୍ଲା ଶବ୍ଦ ଶୁଣିବାକୁ ମିଳିଥିଲା । ଯୁବ-ଛାତ୍ର ସଂଗଠନର କର୍ମକର୍ତ୍ତାମାନଙ୍କର ଏଭଳି ଆଚରଣ ଓ ଆକ୍ରୋଶ ଦେଖି ମାନସ ତଳମହଲାରେ ‘ଆଜିର କାର୍ଯ୍ୟକ୍ରମ ପାଇଁ ହେଉଥିବା ନାମ ପଞ୍ଜିକରଣ’ ନକରି ସିଧା ଲିଫ୍ଟରେ ଉପରକୁ ପଳାଇଥିଲେ । ଯୁବ-ଛାତ୍ର ପିଲାମାନେ ବି ନଛୋଡ଼ବନ୍ଧା ଭଳି ସିଡ଼ିରେ ରହି ତାଙ୍କ ପ୍ରତି ଆକ୍ଷେପମୂଳକ ଓ ଅପମାନସୂଚକ ଶବ୍ଦ ଉଚ୍ଚସ୍ୱରରେ ଉଚ୍ଚାରଣ କରିବାରେ ଲାଗିଥିଲେ । ମାନସ ପ୍ରଥମେ ପ୍ରଥମ ମହଲାରେ ବୈଠକରେ ନେତୃତ୍ୱ ନେଉଥିବା ବରିଷ୍ଠ ଦେବୀ ମିଶ୍ରଙ୍କ ପାଖରେ ଫେରାଦ ହୋଇଥିଲେ । କିନ୍ତୁ ସେ କିଛି ଶୁଣିନଥିଲେ । ପରେ ସେ ବବିଙ୍କ ପାଖରେ କାନ୍ଦିକାନ୍ଦି ଫେରାଦ ହୋଇଥିଲେ । ବବି ତାଙ୍କୁ ଶଙ୍ଖଭବନରେ ଥିବା ନିଜ ଚାମ୍ବରରେ ପ୍ରାୟ ଅଧଘଣ୍ଟାଏ ଧରି ବସାଇ ରଖିଥିଲେ । ଯୁବ-ଛାତ୍ର କର୍ମକର୍ତ୍ତାମାନଙ୍କ ଆକ୍ରୋଶ ଶାନ୍ତ ପଡ଼ିବା ପରେ ବବି ତାଙ୍କୁ ସାଙ୍ଗରେ ଧରି ତଳମହଲାକୁ ଆସିଥିଲେ । ସେଠାରେ ଦଳର ୧୦ରୁ୧୨ଜଣ ପୂର୍ବତନ ବିଧାୟକ-ସାଂସଦ ଛିଡ଼ା ହୋଇ ବବିଙ୍କ ସହ କିଛି କଥା ହେଉଥିବାବେଳେ ପୁଣିଥରେ ପ୍ରାୟ ୫-୭ଜଣ ଯୁବ-ଛାତ୍ର କର୍ମକର୍ତ୍ତା ୟୁପିଆଇ ମାଧ୍ୟମରେ ମାନସଙ୍କ ଆକାଉଣ୍ଟକୁ ଟଙ୍କାଏ ଲେଖାଏଁ ପଠାଇଥିଲେ । ମାନସ ନିଜ ଫୋନରେ ଆସୁଥିବା ଆଲର୍ଟକୁ ଦେଖି ଆଉ ସେଠାରେ ନରହି ତୁରନ୍ତ ଗାଡ଼ିରେ ବସି ପଳାଇଥିଲେ ବୋଲି ସୂଚନା ମିଳିଛି । ଗଲାବେଳେ ବବି ଓ ସମସ୍ତଙ୍କୁ ଶୁଣାଇବା ଭଳି ଦଳରୁ ସେ ଇସ୍ତଫା ଦେଇଦେବାର ଧମକ ମାନସ ଦେଇଥିଲେ ମଧ୍ୟ ‘ଡେଣ୍ଟ ଟକ୍ ଲାଇକ୍ ଏ ଚାଇଲଡ୍’ ବୋଲି କହି ବବି ତାଙ୍କୁ ତାଗିଦ୍ କରିଥିଲେ ବୋଲି ଜଣାପଡ଼ିଛି ।
କାହିଁକି ହୋଇଥିଲା ମାନସଙ୍କୁ ବିରୋଧ
ବିଜେଡି ସୂତ୍ର ଅନୁସାରେ, ବିଜେଡି ସରକାରର ପଂଚମ ତଥା ଶେଷପାଳିରେ ନିଜର ଧରମଶ୍ୱଶୁର ତଥା ପାୱାରଫୁଲ ଆଇପିଏସଙ୍କ ବଳରେ ମାନସ ବଳିୟାନ ହୋଇପଡ଼ିଥିଲେ । ସେହି ସମୟରେ ଅଖଣ୍ଡ କ୍ଷମତାର ଉପଭୋଗ କରି ଧରାକୁ ସରା ମଣିଥିଲେ । ବିଜେଡି ଶାସନରେ ସେ ନିଜକୁ ଦଳର ୩-୪ ନମ୍ବର ବୋଲି ବିବେଚନା କରି ସେହିଭଳି ଢଙ୍ଗରେ ଆଚରଣ ମଧ୍ୟ କରୁଥିଲେ । ତାଙ୍କର ରାଜନୀତିକ ଅଭିଜ୍ଞତା କିମ୍ବା ୱାର୍ଡମେମ୍ବରଟିଏ ହୋଇନଥିବା ମାନସଙ୍କୁ ବିଜେଡି ନିଜର ଦୁର୍ଗ ଭାବେ ପରିଚିତ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ସହ ସମ୍ବଲପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରିଥିଲା । ଖୋର୍ଦ୍ଧା ଜିଲ୍ଲାର ସାଂଗଠନିକ ବ୍ୟାପାରରେ ମାନସଙ୍କ ମାତ୍ରାଧିକ ଅନଧିକାର ହସ୍ତକ୍ଷେପ ମଧ୍ୟ ରହିଥିଲା। ନିର୍ବାଚନବେଳେ ଦଳର ଯୁବ-ଛାତ୍ର ନେତାମାନଙ୍କୁ ଏସବୁ ନିର୍ବାଚନମଣ୍ଡଳୀରେ ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିଲା । ଦଳ ପକ୍ଷରୁ ମଧ୍ୟ ସେମାନଙ୍କ ନିମନ୍ତେ ଆବଶ୍ୟକ ପାଣ୍ଠି ବ୍ୟବସ୍ଥା ବି ହୋଇଥିଲା । କିନ୍ତୁ ମାନସ ସେମାନଙ୍କୁ ଏବାବଦର ପାରିଶ୍ରମିକ ଦେଇନଥିବା କିଛି ଯୁବ-ଛାତ୍ର ନିଜ ନାମ ଗୋପନ ରଖିବା ସର୍ତ୍ତରେ ଅଭିଯୋଗ କରିଛନ୍ତି । ଏପରିକି ଏସବୁ ପାଣ୍ଠି ମାନସ କୁଆଡ଼େ ଦଳଠୁ ନେଇ ମଧ୍ୟ ସମ୍ପୃକ୍ତ ଯୁବଛାତ୍ର ନେତାମାନଙ୍କୁ ଦେଇନାହାନ୍ତି । ଯେଉଁଥିପାଇଁ ସେମାନେ ବାରମ୍ବାର ମାନସଙ୍କୁ ଫୋନ୍ କରି ନିରାଶ ହେବାପରେ ତାଙ୍କ ଆକାଉଣ୍ଟକୁ ‘ୟୁପିଆଇ’ ମାଧ୍ୟମରେ ଟଙ୍କାଏ ଲେଖାଏଁ ପଠାଇ ଅଭିନବ ଢଙ୍ଗରେ ନିଜର ପ୍ରତିବାଦ କରି ଆସୁଥିଲେ । ଏହି ଟଙ୍କା ପଠାଉଥିବା ଯୁବଛାତ୍ରମାନଙ୍କ ଫୋନ୍ ନମ୍ବରକୁ ମଧ୍ୟ ମାନସ ‘ବ୍ଲକ୍’ କରିଦେଇଥିବା ସୂଚନା ମିଳିଛି । ତେବେ ନିର୍ବାଚନ ପରାଜୟ ପରଠୁ ମାନସଙ୍କୁ ସାର୍ବଜନୀନ ଭାବେ ଅନ୍ୟତ୍ର ଦେଖିବାକୁ ମିଳୁନଥିବାରୁ ଆଜି ଶଙ୍ଖଭବନରେ ତାଙ୍କୁ ପାଇବା ପରେ ଏହି ଯୁବଛାତ୍ର ନେତାମାନେ ନିଜର ଅସନ୍ତୋଷକୁ ପରିପ୍ରକାଶ କରିଥିବା ଜଣାପଡ଼ଛି । ମାନସଙ୍କ ପାଇଁ ଦଳକୁ ଗଞ୍ଜାମ ଜିଲ୍ଲାରେ ଅପୂରଣୀୟ କ୍ଷତି ସହିବାକୁ ପଡ଼ିଲା ବୋଲି ମଧ୍ୟ ଏହି ଯୁବଛାତ୍ର ନେତାମାନେ ଅଭିଯୋଗ କରିଛନ୍ତି । ଅବଶ୍ୟ କେହି କ୍ୟାମେରା ଆଗରେ କିଛି କହିବାକୁ ଚାହିଁନାହାନ୍ତି କିନ୍ତୁ ମାନସ ଯେଭଳି ଶଙ୍ଖଭବନରେ ହଟହଟା ହୋଇଛନ୍ତି ତାହା ତାଙ୍କର କଲାକର୍ମର ଫଳ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।