ଜିଲ୍ଲା ଦାୟିତ୍ୱରୁ ସୌଭାଗ୍ୟ ନାୟକ ବିଦା, ମାନସଙ୍କୁ ସମ୍ବଲପୁର ଲୋକସଭା ଦାୟିତ୍ୱ

ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ଶ୍ରୀ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । ସେ ଏବେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଉଛନ୍ତି ।

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

  • Published: Saturday, 30 December 2023
  • , Updated: 30 December 2023, 10:23 PM IST

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରିଛି ବିଜେଡି । ଏହାସହିତ ବିଜେଡି ଦୀର୍ଘଦିନ ଧରି ନୂଆପଡ଼ା ଓ ପରେ ବୌଦ୍ଧ ଜିଲ୍ଲା ସଂଗଠନ ପର୍ଯ୍ୟବେକ୍ଷକ ଦାୟିତ୍ୱ ଥିବା ସୌଭାଗ୍ୟ ନାୟକଙ୍କୁ ଜିଲ୍ଲା ଦାୟିତ୍ୱରୁ ହଟାଇ ଦେଇଛି ।

ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ଶ୍ରୀ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । ସେ ଏବେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ କାଢ଼ି ନେଇ ସମ୍ବଲପୁର ଓ ରେଙ୍ଗାଳୀ ବିଧାନସଭାମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଗୌତମବୁଦ୍ଧ ଦାସଙ୍କୁ ନିଯୁକ୍ତି ମିଳିଛି ।

ଏହି ନିଯୁକ୍ତି ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମଙ୍ଗାରାଜ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ ତାହା ସୁଚାରୁ ରୂପେ ତୁଲାଇଛନ୍ତି । ବ୍ରହ୍ମପୁର ସଂସଦୀୟ ସହ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ତାଙ୍କୁ ଦାୟିତ୍ୱ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି । ନିର୍ବାଚନ ଅଳ୍ପ ଦିନ ଥିବାରୁ ତାଙ୍କୁ ମିଳିଥିବା ଦାୟିତ୍ୱରୁ ସେ ସୁଚାରୂ ରୂପେ ତୁଲାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ତା’ପୂର୍ବରୁ ବିଜେଡି ନିଜର ସମରସଜ୍ଜା ଆରମ୍ଭ କରିଦେଇଛି ।

ସୂଚନାଯୋଗ୍ୟ, ସୌଭାଗ୍ୟ ନାୟକ ୨୦୧୯ରୁ ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଥିବାବେଳେ ୨୦୨୧ରୁ ଏପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।

Related story