Advertisment

ମନୀଷ ସିସୋଦିଆଙ୍କୁ ଜାମିନ, ଦେଢ ବର୍ଷ ପରେ ଜେଲରୁ ମୁକୁଳିବେ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ।

author-image
Debibandita Barick
ଅଦ୍ୟତନ ହୋଇଛି
Manish Sisodia

Manish Sisodia

ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଦୀର୍ଘ 18 ମାସ ହେବ ଜେଲରେ ଥିଲେ ମନୀଷ ସିସୋଦିଆ।

Advertisment

28 ଫେବ୍ରୁଆରୀ 2023ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏକାଧିକ ଅଭିଯୋଗ କ୍ରମେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିଥିଲା। 

ଦୀର୍ଘ ଦିନ ଜେଲରେ ରହିବା ପରେ ସିସୋଦିଆ ଅନେକ ଥର ଜାମିନ ପାଇଁ ଆବେଦନ କରିଛନ୍ତି। କିନ୍ତୁ ତଳ କୋର୍ଟ ଏବଂ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିନଥିଲା। ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ମକଦ୍ଦମା ଆରମ୍ଭ ହୋଇନଥିବାରୁ ବେଲ୍ ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ତାଙ୍କୁ ଜାମିନ ଦେଇଛନ୍ତି।

Advertisment

ଅଗଷ୍ଟ 6ରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ଆଜି ବିଚାରପତି ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ରାୟ ପ୍ରକାଶ କରି ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। 

ସର୍ବୋଚ୍ଚ ଅଦାଲତଙ୍କ ସର୍ତ୍ତ ଅନୁସାରେ, ସିସୋଦିଆ ତାଙ୍କ ପାସପୋର୍ଟ ପୈଠ କରିବେ। ପ୍ରତି ସୋମବାର ତାଙ୍କୁ ଥାନାରେ ସାକ୍ଷ୍ୟ ଦେବାକୁ ପଡ଼ିବ। ଏହା ସହିତ ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ବ୍ୟତୀତ କୋର୍ଟ ତାଙ୍କୁ ସଚିବାଳୟ ଯିବାକୁ ଅନୁମତି ଦେଇଛନ୍ତି। 

ଇଡି ଏବଂ ସିବିଆଇ ତାଙ୍କ ଜାମିନକୁ ବିରୋଧ କରି ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ତ ପାଇଁ ଆବେଦନ କରିଥିଲା। ଏହାକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ସିସୋଦିଆ 17 ମାସ ଜେଲରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମକଦ୍ଦମା ଆରମ୍ଭ ହୋଇନାହିଁ। ଏହି କାରଣରୁ ତାଙ୍କୁ ତ୍ୱରିତ ଶୁଣାଣି କରିବାର ଅଧିକାରରୁ ବଞ୍ଚିତ ହେବାକୁ ପଡ଼ିଛି। ଏହିପରି ମାମଲାଗୁଡ଼ିକର ଜାମିନ ପାଇଁ ଟ୍ରାଏଲ କୋର୍ଟକୁ ପଠାଇବା ନ୍ୟାୟକୁ ପରିହାସ କରିବା ଭଳି। ଏପରି କରିବା ଦ୍ୱାରା ସାପ ସିଡ଼ି ଖେଳ ଖେଳିବା ପରି ହେବ। ନୀତି ଅନୁସାରେ ଜାମିନ ଏକ ନିୟମ ଏବଂ ଜେଲ ହେଉଛି ଏକ ବ୍ୟତିକ୍ରମ।

ପରୀକ୍ଷଣ ବା ଟ୍ରାଏଲ ଉଦ୍ଦେଶ୍ୟରେ ସିସୋଦିଆଙ୍କୁ ଜେଲରେ ରଖିବା ଧାରା 21ର ଉଲ୍ଲଂଘନ ହେବ ବୋଲି ଜଷ୍ଟିସ ଗାଭାଇ କହିଛନ୍ତି। ପ୍ରକ୍ରିୟାକୁ ନ୍ୟାୟର ମାଲିକ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।