ଶଙ୍ଖଭବନ ପରେ ଆଜି ପୁଣି ଗଣମାଧ୍ୟମରେ ମୁହାଁମୁହିଁ ହେଲେ ଶ୍ରୀମୟୀ-ମନ୍ମଥ

ଶ୍ରୀମୟୀ ନିଜର ଘର କଥା ବାହାରେ କହିବେ ନାହିଁ ବୋଲି ଆଜି ରୋକଠୋକ୍ ମନା କରିଦେଇଥିଲେ ମଧ୍ୟ ବୁଲେଇବଙ୍କେଇ ତାଙ୍କ ପ୍ରତି ଅସମ୍ମାନ କରାଯାଇଥିବା ସ୍ୱୀକାର କରିଛନ୍ତି।

ବିଜେଡି ନେତା ଶ୍ରୀମୟୀ ଓ ମନ୍ମଥ(ଫାଇଲ ଫଟୋ)

  • Published: Wednesday, 02 October 2024
  • , Updated: 02 October 2024, 09:57 PM IST

ଗତକାଲି ଶଙ୍ଖଭବନ ପରେ ଆଜି ଗଣମାଧ୍ୟମରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଓ ମନ୍ମଥ ରାଉତରାୟ । ଆଜି ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍ କଲୋନୀସ୍ଥିତ ନେତାଜୀ ପଡ଼ିଆରେ ବିଜେଡିର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ଉଭୟ ସାମିଲ ହୋଇ ଗଣମାଧ୍ୟମରେ ବୟାନବାଜି କରିଛନ୍ତି। ଶ୍ରୀମୟୀ ନିଜର ଘର କଥା ବାହାରେ କହିବେ ନାହିଁ ବୋଲି ଆଜି ରୋକଠୋକ୍ ମନା କରିଦେଇଥିଲେ ମଧ୍ୟ ବୁଲେଇବଙ୍କେଇ ତାଙ୍କ ପ୍ରତି ଅସମ୍ମାନ କରାଯାଇଥିବା ସ୍ୱୀକାର କରିଛନ୍ତି। ଆଉ ପୁରାଣ-ଇତିହାସର ଉଦାହରଣ ଦେଇ ମହିଳାଙ୍କୁ ଯିଏ ଅସମ୍ମାନ କରିଛି ତା’ର ଫଳ ତାକୁ ନିଶ୍ଚିତ ଭୋଗିବାକୁ ପଡ଼ିଛି ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏପଟେ ମନ୍ମଥ ମଧ୍ୟ ପାଲଟା ଜବାବ ଦେଇ ମହିଳା ଖାଲି ସମ୍ମାନ ଆଶା କଲେ ହେବନି, ସେମାନେ ବି ସମ୍ମାନ ଦେବା ଶିଖନ୍ତୁ ବୋଲି କହିବା ସହ ଶ୍ରୀମୟୀଙ୍କୁ ସେ ଚିହ୍ନନ୍ତି ନାହିଁ କି କଥା ହୁଏନି ବୋଲି କହିବାକୁ ପଛାଇ ନାହାନ୍ତି । ତେବେ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହୋଇ ସେ ନିଜ ଦଳର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ରଙ୍କୁଙ୍କୁ କିଭଳି ଚିହ୍ନିଲେ ନାହିଁ ବୋଲି କହିବା ଦଳୀୟ କନ୍ଦଳକୁ ତୀବ୍ର କରାଇଛି ।

ସୂଚନା ଅନୁସାରେ, ଗତକାଲି ଶଙ୍ଖଭବନରେ ବିଜେଡିର ଖୋର୍ଦ୍ଧା ସାଂଗଠନିକ ଜିଲ୍ଲାର ସମୀକ୍ଷା ବୈଠକରେ ଦଳର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ରଙ୍କୁ ଦଳର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଥିଲା। ଗତକାଲି ରାତିରେ ମନ୍ମଥ ଏନେଇ  ଗଣମାଧ୍ୟମ ଆଗରେ ମୁହଁ ଖୋଲି ବୈଠକରେ ପାଟିତୁଣ୍ଡ ହୋଇଥିବା ସ୍ପଷ୍ଟ କରିଥିଲେ । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦଳର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉଭୟ ଶ୍ରୀମୟୀ ଓ ମନ୍ମଥଙ୍କୁ ଦେଖିବାକୁ ମିଳିଥିଲା ।

ଗତକାଲି ଶଙ୍ଖଭବନର ଘଟଣାକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମୟୀ କହିଥିଲେ ଯେ, ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ତା’ର ଫଳ ସେ ନିଶ୍ଚିତ ପାଇଛନ୍ତି। ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତା’ର ଉଦାହରଣ ଦେଖୁଥିବେ । ଶଙ୍ଖଭବନ ବୈଠକରେ ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଯେତେ ବୁଲେଇବଙ୍କେଇ ପଚାରିଲେ ମଧ୍ୟ ଆମ ଘର ଭିତରର କଥା କହିବି ନାହିଁ । ଗଣମାଧ୍ୟମରେ କହିବା ଶୃଙ୍ଖଳିତ କର୍ମୀର ପରିଚୟ ନୁହେଁ। ସମୀକ୍ଷା ବୈଠକରେ ଯେଉଁ ନେତୃମଣ୍ଡଳୀ ଥିଲେ ସେମାନେ ତା’ର ତର୍ଜମା-ବିଶ୍ଲେଷଣ କରିବେ । ମୋ’ ମତରେ କହିବା ଲୋକ କେବେବି ବଡ଼ ନୁହେଁ, ସହିବା ଲୋକଟି ବଡ଼ । କେଉଁଠି କାହାର ମତାନ୍ତର-ମନାନ୍ତର ରହିଛି ସେକଥା ଦଳର ସଭାପତି ନିଷ୍ପତ୍ତି ନେବେ । ପ୍ରଦୀପ ସାହୁ ମୋର ବଡ଼ ଭାଇ । ନିର୍ବାଚନବେଳେ ମୋତେ ସେ ବହୁତ ବୁଲେଇଛନ୍ତି ବୋଲି ଶ୍ରୀମୟୀ କହିଛନ୍ତି।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ମନ୍ମଥ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଳରେ ଶୃଙ୍ଖଳା କମିଛି। ମହିଳାମାନେ ସମ୍ମାନ ଆଶା କଲେ ହେବନି ସେମାନେ ମଧ୍ୟ ପରସ୍ପରକୁ ସମ୍ମାନ ଦେବା ଉଚିତ୍ । ସେ ଶ୍ରୀମୟୀଙ୍କୁ ଚିହ୍ନିନ୍ତି ନାହିଁ କି ତାଙ୍କ ସହ କଥା ହୁଏନି। ଏପରିକି ଦଳର ନେତ୍ରୀ ହିସାବରେ ବି ତାଙ୍କ ସହ କଥାହୁଏନି । ଖାଲି ଟିକେଟ୍ ମିଳିଥିଲାବେଳେ ତାଙ୍କ ଘରକୁ ଯାଇ ଧନ୍ୟବାଦ କରି ଆସିଥିଲି ବୋଲି ମନ୍ମଥ କହିଛନ୍ତି।

ତେବେ ସାଧାରଣ ନିର୍ବାଚନବେଳେ ସେ ନିୟମିତ ଭାବେ ଶ୍ରୀମୟୀଙ୍କଠୁ ପରାମର୍ଶ ଓ ଆଶୀର୍ବାଦ ନେଉଛନ୍ତି ବୋଲି ଗଣମାଧ୍ୟମକୁ ବୟାନ ଦେଇଥିବା ମନ୍ମଥ ଆଜି ଦଳର ଜଣେ ଆଗଧାଡ଼ିର ନେତ୍ରୀ ତଥା ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକାଙ୍କୁ ଚିହ୍ନନ୍ତି ନାହିଁ କି କଥା ହୁଅନ୍ତି ନାହିଁ ବୋଲି କହି ନିଜର ଦୋମୁହାଁ ଚରିତ୍ରକୁ ପଦାରେ ପକାଇଛନ୍ତି । ଆଉ ବିଜେଡିରେ ଗୋଷ୍ଠୀକନ୍ଦଳ ଉତ୍କଟ ହୋଇଥିବାର ପ୍ରମାଣ ମଧ୍ୟ ଦେଇଛନ୍ତି । ଶ୍ରୀମୟୀ ଦଳର ଭୁବନେଶ୍ୱର ପାଇଁ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଗତକାଲି ବୈଠକରେ ସାମିଲ ହୋଇଥିଲେ । ଦଳର ସମୀକ୍ଷା ବୈଠକର ଘଟଣାକୁ ସମସ୍ତ ନେତା ଆଭ୍ୟନ୍ତରୀଣ ବ୍ୟାପାର କହି ଏଡ଼ାଇ ଯାଉଥିବାବେଳେ ମନ୍ମଥ କିଭଳି ଗତକାଲି ରାତିରେ ଗଣମାଧ୍ୟମ(ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ)କୁ ଏନେଇ ବୟାନ ଦେଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଯାହାକି ଖୋଲାଖୋଲି ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ଉପରେ ନିୟନ୍ତ୍ରଣ ହରାଇଥିବାକୁ ଇଙ୍ଗିତ କରୁଛି ।

ସେହିପରି ଏସବୁ ପ୍ରସଙ୍ଗ ଉପରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲା ବୈଠକରେ ସେଭଳି କିଛି ହୋଇନି। ସମୀକ୍ଷା ଓ ଆଲୋଚନାବେଳେ ସଂଗଠନକୁ ନେଇ ଏମିତି ଘଟଣା ପ୍ରାୟ ସାମନାକୁ ଆସିଥାଏ । ତା’ର ସମାଧାନ ବି କରାଯାଉଛି । ଏମିତି ନୁହେଁ ଯେ, କେହି ଦଳବିରୋଧୀ କାମ କରୁଛନ୍ତି । ଗତକାଲିର ଆଲୋଚନା ସୁରୁଖୁରୁରେ ପରିସମାପ୍ତି ହୋଇଛି । ଦଳର ଶୃଙ୍ଖଳା ବାହାରେ କାମ କରିବା କାହାର ଆଭିମୁଖ୍ୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ତେବେ ନିର୍ବାଚନ ପରାଜୟର ପ୍ରାୟ ୩ମାସ ପରେ ସାଂଗଠନିକ ଜିଲ୍ଲାଗୁଡ଼ିକର ସମୀକ୍ଷା ବୈଠକ ଶଙ୍ଖଭବନରେ ଅନୁଷ୍ଠିତ ହେଉଥିବାବେଳେ ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ସ୍ପଷ୍ଟ ବାରି ହୋଇପଡ଼ୁଛି । ନବରଙ୍ଗପୁର, ଭଦ୍ରକ,ଖୋର୍ଦ୍ଧା ଆଦି ଜିଲ୍ଲାର କନ୍ଦଳ ଉଗ୍ରରୂପ ଧାରଣ କରିଛି । ଯେଉଁ ଜିଲ୍ଲାର ସମୀକ୍ଷା ହେଉଛି ବିଭିନ୍ନ ଗୋଷ୍ଠୀ ପରସ୍ପର ଉପରେ ଦୋଷାରୋପ କରୁଥିବାର ଘଟଣା ପଦାକୁ ଆସିବାରେ ଲାଗିଥିବା ଜଣାପଡ଼ିଛି ।

Related story